ବାତ୍ୟା ଭୟରେ ଘରେ ନେଇ ଅତ୍ୟଧିକ ସାମଗ୍ରୀ ନଜମାଇବାକୁ ଟ୍ବିଟ୍‌ ଯୋଗେ ଅନୁରୋଧ କଲେ ଖାଦ୍ୟ ମନ୍ତ୍ରୀ

Advertisment
ବାତ୍ୟା ଭୟରେ ଘରେ ନେଇ ଅତ୍ୟଧିକ ସାମଗ୍ରୀ ନଜମାଇବାକୁ ଟ୍ବିଟ୍‌ ଯୋଗେ ଅନୁରୋଧ କଲେ ଖାଦ୍ୟ ମନ୍ତ୍ରୀ

Kalinga TV

ଭୁବନେଶ୍ବର: ବୁଧବାର ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ  ମେ ୬ ସୁଦ୍ଧା ଆହୁରି ଘନୀଭୂତ ହୋଇ ବାତ୍ୟା ରୂପ ନେବ ବୋଲି ବିଶେଷଜ୍ଞମାନେ ମତ ରଖିଥିବା ବେଳେ ଏ ନେଇ ସିରିଜ୍‌ ଟ୍ବିଟ୍‌ କରି ଲୋକଙ୍କୁ ସଚେତନ କରାଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ସେ ଟ୍ବିଟ୍‌ କରି ଲେଖିଛନ୍ତି ଯେ ସାମ୍ଭବ୍ୟ ବାତ୍ୟା ଭୟରେ ଅଯଥା ଅତ୍ୟାଧିକ ଜିନିଷ କ୍ରୟ କରି ରଖନ୍ତୁ ନାହିଁ। ଏହାର କୁପ୍ରଭାବ ବଜାର ଉପରେ ପଡ଼ିପାରେ ଓ ଅସାଧୁ ବ୍ୟବସାୟୀଙ୍କୁ ଏପରି କରିବା ଦ୍ବାରା ଠକିବାକୁ ସୁଯୋଗ ମିଳିଯିବ।

publive-image

ସରକାର ବ୍ୟାତ୍ୟାକୁ ନେଇ ସମସ୍ତ ପ୍ରକାରର ପ୍ରସ୍ତୁତି ସାରିଛନ୍ତି। ବଜାରରେ ଯଥେଷ୍ଟ ପରିମାଣର ସାମଗ୍ରୀ ଉପସ୍ଥିିତ ରହିଛି। ଲୋକମା‌ନେ ଭୟଭୀତ ହୋଇ ଅଯଥାରେ ଘରେ ନେଇ ଜିନିଷ ନ ଜମାଇବାକୁ ସେ ଅନୁରୋଧ କରିଛନ୍ତି।

କେବଳ ସେତିକି ନୁହେଁ, କଳାବଜାରୀ ଓ ଅସାଧୁ ବ୍ୟବସାୟୀଙ୍କ ଉପରେ ତୀକ୍ଷ୍ମ ନଜର ରହିଛି ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି। ଆବଶ୍ୟକ ପଡ଼ିଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଶେଷରେ ସେ ବାତ୍ୟାକୁ ମୁକାବିଲା କରିବାକୁ ସତର୍କ ରହିବାକୁ କହିଛନ୍ତି। ଆତଙ୍କିତ ହେବାର କୌଣସି କାରଣ ନାହିଁ, ସରକାର ଆପଣଙ୍କ ସହ ସବୁବେଳେ ଅଛନ୍ତି ବୋଲି କହି ଲୋକଙ୍କୁ ଆଶ୍ବସ୍ତ କରାଇଛନ୍ତି।

publive-image

ଉଲ୍ଲେଖଯୋଗ୍ୟ,  ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ କଲବଲ ହେଉଥିବା ଓଡ଼ିଶା ପୁଣି ଏକ ସାମ୍ଭାବ୍ୟ ବାତ୍ୟାକୁ ସାମ୍‌ନା କରିପାରେ ବୋଲି ପାଣିପାଗ ବିଶେଷଜ୍ଞମାନେ ମତ ଦେଇଛନ୍ତି। ମେ’ ୪ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଏହାର ପ୍ରଭାବରେ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହି ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଲଘୁଚାପ ସୃଷ୍ଟି ହେବାର ୨୪ ଘଣ୍ଟା ପରେ ଏହା ଆହୁରି ଘନୀଭୂତ ହୋଇ ବାତ୍ୟାର ରୂପ ନେବ ବୋଲି ଗବେଷକମାନେ ଆକଳନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe