ରେଞ୍ଜର, ବନ କର୍ମଚାରୀ ୭ ଘଣ୍ଟା ଅଟକ

Advertisment

ହଦଗଡ଼ ଅଭୟାରଣ୍ୟ ଚଢ଼ାଉବେଳେ ଲୋକେ ଅଟକାଇଲେ, ପୁଲିସ ମୁକୁଳାଇଲେ

ହଦଗଡ଼ ଅଭୟାରଣ୍ୟ ଚଢ଼ାଉବେଳେ ଲୋକେ ଅଟକାଇଲେ, ପୁଲିସ ମୁକୁଳାଇଲେ

ରେଞ୍ଜର, ବନ କର୍ମଚାରୀ ୭ ଘଣ୍ଟା ଅଟକ

ଆନନ୍ଦପୁର/ହାଟଡିହି : କେନ୍ଦୁଝର ଜିଲ୍ଲା ହଦଗଡ଼ ଅଭୟାରଣ୍ୟର ଦଲକି ଗ୍ରାମକୁ ଚଢ଼ାଉ କରିବାକୁ ଯାଇଥିବା ବନବିଭାଗ କର୍ମଚାରୀଙ୍କୁ ହଟହଟା କରିବାକୁ ପଡ଼ିଛି। କର୍ମଚାରୀମାନେ ଗ୍ରାମର କିଛି ଘରେ ପଶି ଖାନତଲାସ କରୁଥିବାବେଳେ ଗ୍ରାମବାସୀମାନେ ତୀବ୍ର ବିରୋଧ କରିଥିଲେ। ହଦଗଡ଼ ରେଞ୍ଜରଙ୍କ ସମେତ ଜଙ୍ଗଲ ବିଭାଗର କର୍ମଚାରୀଙ୍କୁ ୭ ଘଣ୍ଟା ଧରି ଅଟକ ରଖିଥିଲେ। ଖବର ପାଇ ସନ୍ଧ୍ୟାରେ ପୁଲିସ୍ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଛି।

ମିଳିଥିବା ସୂଚନା ଅନୁସାରେ, ଦଲକି ଗ୍ରାମରେ କିଛି ଲୋକ ବନ୍ଧୁକ ରଖି ବଣ୍ୟଜନ୍ତୁ ଶିକାର କରୁଥିବା ନେଇ ଖବର ମିଳିଥିଲା। ହଦଗଡ଼ ରେଞ୍ଜର୍‌ ସୁମିତ ମହାନ୍ତି, ଫରେଷ୍ଟର ଅନନ୍ତ ପରିଡ଼ାଙ୍କ ନେତୃତ୍ବରେ ବନ ବିଭାଗର ଏକ ୪୦ ଜଣିଆ ଟିମ୍ ଆଜି ଦିନ ୧୧ଟାରେ ଗ୍ରାମରେ ଚଢ଼ଉ କରିଥିଲେ। ଗ୍ରାମର କିଛି ଲୋକଙ୍କ ଘରେ ଖାନତଲାସି କରାଯାଇଥିଲା। ତେବେ ବନ୍ଧୁକ ମିଳି ନଥିବାବେଳେ ସେମାନଙ୍କ ଘରୁ ହରିଣ ଶିଙ୍ଗ, କୋଚିଳାଖାଇର ମୁଣ୍ଡ, ଧନୁତୀର ଆଦି ଜବତ୍ କରାଯାଇଥିଲା। ତେବେ ବିନା ଅନୁମତିରେ ଜଙ୍ଗଲ ବିଭାଗ କର୍ମଚାରୀମାନେ ଜୋତା ପିନ୍ଧି ଘରେ ପଶିବା ଏବଂ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ଲୋକେ ଅଭିଯୋଗ କରିଥିଲେ। ଏହାକୁ କେନ୍ଦ୍ରକରି ଗ୍ରାମବାସୀମାନେ ଏକାଠି ହୋଇ ଜଙ୍ଗଲ ବିଭାଗର ଟିମ୍‌କୁ ବିରୋଧ କରିଥିଲେ। ଗ୍ରାମର ମହିଳାମାନେ ସେମାନଙ୍କ ଗାଡ଼ି ଆଗରେ ବସିରହି କର୍ମଚାରୀଙ୍କୁ ଅଟକ ରଖିଥିଲେ। ଦିନ ୧୧ଟାରୁ ଜଙ୍ଗଲ ବିଭାଗ ଅଧିକାରୀଙ୍କୁ ଅଟକ ରଖା ଯାଇଥିଲେ ମଧ୍ୟ ଉଦ୍ଧାର କରିବା ପାଇଁ ପୁଲିସ୍ ପକ୍ଷରୁ କୌଣସି ତତ୍ପରତା ପ୍ରକାଶ ପାଇ ନଥିବା କୁହାଯାଉଛି। ସନ୍ଧ୍ୟା ୬ଟାରେ ସୋସୋ ପୁଲିସ୍ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଇ ଜଙ୍ଗଲ ବିଭାଗ କର୍ମଚ‌ାରୀଙ୍କୁ ମୁକୁଳାଇଥିଲେ।

ଏ ସମ୍ପର୍କରେ ହଦଗଡ଼ ରେଞ୍ଜର ସୁମିତ ମହାନ୍ତିଙ୍କୁ ପଚାରିବାରୁ, ଆଜି ପାଟ୍ରୋଲିଂ ସମୟରେ କିଛି ବ୍ୟକ୍ତିଙ୍କ ଘରୁ ଧନୁତୀର ଓ ବିଭିନ୍ନ ଅସ୍ତ୍ରଶସ୍ତ୍ର ବାହାରିଥିଲା। ତାକୁ ଆଣିଲାବେଳେ ଆଦିବାସୀମାନେ ମେଳି ହୋଇ ଆମ କର୍ମଚାରୀଙ୍କୁ ଘେରି ଯାଇଥିଲେ। ସେମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିବା ଶ୍ରୀ ମହାନ୍ତି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe