image sopurce-the indian express.
ବଡ଼ବିଲ : ବଡ଼ବିଲ ଥାନା, ଗାଢାହଟିଂ ସ୍ଥିତ ମୁଣ୍ଡାନାଲା ନିକଟ କାଜୁ ଜଙ୍ଗଲରେ ଜଣେ ବିଧବା ପରିବା ବିକାଳି ମହିଳାଙ୍କୁ ଜଣେ ନାବାଳକ ସମେତ ୩ ଜଣ ମିଶି ଗଣବଳତ୍କାର କରିବା ଅଭିଯୋଗରେ ଆଜି ବଡ଼ବିଲ ପୁଲିସ ଉକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାଯାଇଛି।
ଗତ ଗୁରୁବାର ପୀଡ଼ିତା ଜଣକ ସୁନ୍ଦରଗଡ଼ ଜିଲ୍ଲା, କୋଇଡା ହାଟରୁ ପରିବା ବିକ୍ରିକରି ବଡ଼ବିଲ ଫେରିବା ସମୟରେ ବଡ଼ବିଲ ଗୁରୁଦ୍ୱାର ଛକରୁ ଏକ ସ୍କର୍ପିଓ ଗାଡ଼ିରେ ତାଙ୍କୁ ଅପହରଣ କରି ନିଆଯାଇଥିଲା। ଗୁରୁବାର ଓ ଶୁକ୍ରବାର ଦୁଇଦିନ ଧରି କାଜୁ ଜଙ୍ଗଲରେ ପୀଡ଼ିତାଙ୍କୁ ୩ ଜଣ ଅଭିଯୁକ୍ତ ଏକାଧିକବାର ଦୁଷ୍କର୍ମ କରିଥିଲେ। କୌଶଳକ୍ରମେ ପୀଡ଼ିତା ଜଣକ ଶୁକ୍ରବାର ବିଳମ୍ବିତ ରାତିରେ ସେଠାରୁ ଖସି ଚାଲିଆସିଥିଲେ ଏବଂ ଶନିବାର ଦିନ ଥାନାକୁ ଯାଇ ଅଭିଯୋଗ କରିବା ସହ ଗତ ଦୁଇଦିନ ଧରି କାଜୁ ଜଙ୍ଗଲରେ ହୋଇଥିବା ଘଟଣା ସମ୍ପର୍କରେ ଥାନା ଅଧିକାରୀଙ୍କୁ ଅବଗତ କରାଇଥିଲେ।
ବଡ଼ବିଲ ପୁଲିସ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଇ ଘରେ ଛାଡ଼ି ଦେଇଥିଲେ। ହେଲେ ପରବର୍ତ୍ତୀ ସମୟରେ ପୀଡ଼ିତାଙ୍କ ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରି ପୁଲିସ ଜଣେ ମହିଳା ପୁଲିସଙ୍କ ତତ୍ତ୍ବାବଧାନରେ ଶନିବାର ରାତି ଥାନା ପରିସରରେ ଏକ ଘରେ ସୁରକ୍ଷିତ ଭାବେ ରଖିଥିବା ପୀଡ଼ିତା ଜଣକ ପ୍ରକାଶ କରିଥିଲେ।
ଅଭିଯୋଗକୁ ଭିତ୍ତି କରି ଆଜି ପୁଲିସ ଉକ୍ତ ନାବାଳକ ସହ ଅନ୍ୟ ଦୁଇଜଣ ଅଭିଯୁକ୍ତ ଅକ୍ଷୟ ଓଝା ଓ ରିଷି ତରୁଆକୁ ଗିରଫ କରିଛି। ଦୁଷ୍କର୍ମ କରିବାପରେ ପୀଡ଼ିତାକୁ ଧମକ ଚମକ ଦେବା ସହ, ଏନେଇ ପୋଲିସ କିମ୍ବା ଅନ୍ୟ କାହା ନିକଟରେ ପ୍ରକାଶ କଲେ ତାକୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ଦୁଷ୍କର୍ମପ ରେ ତାଙ୍କ ନିକଟରୁ ୧୩ ହଜାର ଟଙ୍କା ମଧ୍ୟ ଲୁଟି ନେଇଥିବା ପୀଡ଼ିତା ଅଭିଯୋଗ ଫର୍ଦ୍ଦରେ ଦର୍ଶାଇଛନ୍ତି। ତେବେ ଆଜି ଗିରଫ ୩ ଦୁଷ୍କର୍ମକାରୀଙ୍କ ଡାକ୍ତରୀ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।
Follow Us