ndtv.com
ସୁନ୍ଦରଗଡ଼: ୨୦୧୬ ଜୁଲାଇ ୧୨ରେ ବୀରମିତ୍ରପୁର ଥାନା କ୍ୟାଣ୍ଟିନଦଫାଇ ଅଞ୍ଚଳରେ ଏକ ୧୪ ବର୍ଷିୟା ନାବାଳିକା ଦୁଷ୍କର୍ମ ମାମଲାରେ ଗୁରୁବାର ସୁନ୍ଦରଗଡ଼ ପକ୍ସୋ କୋର୍ଟ ରାୟ ଶୁଣାଇଛନ୍ତି। ଅଭିଯୁକ୍ତ ନାଗର ବୁଡ଼ା (୫୮)କୁ ମାମଲାରେ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ଜେଲ୍ ଓ ୨୦ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଜରିମାନା ଅନାଦେୟରେ ଅଧିକ ୬ ମାସ ଜେଲ୍ ଦଣ୍ଡ ଭୋଗିବାକୁ କୋର୍ଟ ରାୟରେ ଉଲ୍ଲେଖ କରିଛନ୍ତି। ସେହିପରି କୋର୍ଟ ପୀଡିତାଙ୍କୁ ୨ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ପ୍ରଦାନ କରିବାକୁ ଆଦେଶ ଦେଇଛନ୍ତି।
ମାମଲାର ବିବରଣୀ ଅନୁସାରେ, ନାବାଳିକା ଜଣକ ୧୨ ତାରିଖ ଅପରାହ୍ନ ସାଢ଼େ ୩ଟାରେ ଗାଁ ଦାଣ୍ଡରେ ଥିବା ବେଳେ ଆସାମୀ ନାଗର ତାଙ୍କୁ ନିଜ ଘର ଭିତରକୁ ଟାଣି ନେଇ କବାଟ କିଳି ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲା। ଘଟଣା ପରେ ନାବାଳିକା କାନ୍ଦି କାନ୍ଦି ଆସି ମା’ଙ୍କୁ ସବୁ କଥା କହିଥିଲେ। ନାଗରକୁ ମା’ ପଚାରିବା ପରେ ସେ କୁଆଡ଼େ ଦୁଷ୍କର୍ମ ଘଟଣାକୁ ସ୍ବୀକାର କରିଥିଲା। ଏହା ଜଣାପଡ଼ିବା ପରେ ୭ ବର୍ଷର ପଡ଼ୋଶୀ କୁନି ଝିଅ ମଧ୍ୟ ନାଗରଙ୍କ ନାମରେ ଅନୁରୂପ ଅଭିଯୋଗ ଆଣିଥିଲେ। କାହାକୁ କହିଲେ ଜୀବନରେ ମାରିଦେବାର ଧମକ ଦେବାରୁ ଝିଅ ଚୁପ୍ ହୋଇଯାଇଥିବା ପ୍ରକାଶ କରିଥିଲେ।
ପୀଡ଼ିତାଙ୍କ ମା’ ବୀରମିତ୍ରପୁର ଥାନାରେ ଏତଲା ଦେବା ପରେ ପୁଲିସ ଭାରତୀୟ ଦଣ୍ଡବିଧି ଧାରା ୩୪୨, ୩୭୬(୨)(ଆଇ), ୩୫୪ (ଏ), ୫୦୬, ୬ ଶିଶୁ ଯୌନ ନିର୍ଯାତନା ସୁରକ୍ଷା ଆଇନ (ପକ୍ସୋ)ରେ ମାମଲା ରୁଜୁ କରିଥିଲା। ଏହା ପରେ ୧୩ ତାରିଖରେ ନାଗରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ମାମଲାର ବିଚାର ଚାଲିଥିବା ବେଳେ ପୁଲିସ ରିପୋର୍ଟ ଓ ସାକ୍ଷୀମାନଙ୍କ ବୟାନ ସହ ଅନ୍ୟ ପ୍ରମାଣକୁ ଭିତ୍ତି କରି ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲା ଜଜ୍ ତଥା ସ୍ବତନ୍ତ୍ର ପକ୍ସୋ କୋର୍ଟ ଜଜ୍ ମହେନ୍ଦ୍ର କୁମାର ସୂତ୍ରଧର ଦଣ୍ଡ ଶୁଣାଇଛନ୍ତି। ସ୍ବତନ୍ତ୍ର ଜନଅଭିଯୋଜକ (ପିପି) ଦେବାଶିଷ ମିଶ୍ର ମାମଲାର ପରିଚାଳନା କରିଥିଲେ।
Follow Us