ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ଫାଷ୍ଟଟ୍ରାକ୍ ପକ୍ସୋ କୋର୍ଟ ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାରଣା କରି ଦୋଷୀ ମନୁ ପାଟଗୁରୁ (୨୯)କୁ ୪ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି।
ଏହାସହ ୧ ଲକ୍ଷ ଟଙ୍କା ଜରିମାନା ଦଣ୍ଡ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ୩ ମାସ ଜେଲ୍ ଦଣ୍ଡ ଭୋଗିବାକୁ ଚୂଡ଼ାନ୍ତ ରାୟରେ ଦର୍ଶାଯାଇଛି। ୨୦୧୮ ମସିହା ସେପ୍ଟେମ୍ବର ୨୧ ତାରିଖ ରାତି ପ୍ରାୟ ୧୦ଟାରେ କୋଟଗଡ଼ ଥାନା ଇଲାକାର ଅଷ୍ଟମ ଶ୍ରେଣୀ ଛାତ୍ରୀଜଣକ ଘରୁ ବାହାରକୁ ପରିସ୍ରା କରିବାକୁ ଆସି ଆଉ ଫେରି ନଥିଲେ। ମନୁ ତାଙ୍କୁ ଅପହରଣ କରିନେଇ ଏକ ନିକାଞ୍ଚନ ସ୍ଥାନରେ ଦୁଷ୍କର୍ମ କରିଥିଲା। ପୀଡ଼ିତାଙ୍କ ପରିବାରବର୍ଗ କୋଟଗଡ଼ ଥାନାରେ ଏତଲା ଦେବା ପରେ ମାମଲା ରୁଜୁ ହୋଇଥିଲା। ଗତକାଲି ଫୁଲବାଣୀ ଫାଷ୍ଟଟ୍ରାକ୍ ପକ୍ସୋ କୋର୍ଟ ବିଚାରପତି ଭାସ୍କର ଚନ୍ଦ୍ର ସାହୁ ଏହି ମାମଲାର ବିଚାରଣା କରି ସମସ୍ତ ସାକ୍ଷୀ ଓ ଡାକ୍ତରୀ ରିପୋର୍ଟକୁ ଭିତ୍ତିକରି ମନୁକୁ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ପକ୍ସୋ କୋର୍ଟର ସ୍ବତନ୍ତ୍ର ପିପି ବନମାଳୀ ବେହେରା ମକଦ୍ଦମା ପରିଚାଳନା କରିଥିଲେ।
Follow Us