ପୁଲିସ ଘରେ ନାବାଳିକାଙ୍କୁ ଦୁଷ୍କର୍ମ!, ଏଏସ୍‌ଆଇ ନିଲମ୍ବିତ

Advertisment
ପୁଲିସ ଘରେ ନାବାଳିକାଙ୍କୁ ଦୁଷ୍କର୍ମ!, ଏଏସ୍‌ଆଇ ନିଲମ୍ବିତ

ସୋହେଲା : ପୁଣି ଖାକିରେ ଲାଗିଛି ଦାଗ। ଜଣେ ଅପହୃତା ନାବାଳିକା ଛାତ୍ରୀଙ୍କୁ ଉଦ୍ଧାର କରିବା କି ସୁରକ୍ଷା ଦେବା ବଦଳରେ ତାଙ୍କୁ ନିଜ ଭଡ଼ା ଘରେ ରଖିବା ଓ ଥାନା ପରିସରରେ ଥିବା ଏକ ଘର ଭିତରେ ଦୁଷ୍କର୍ମ ଉଦ୍ୟମ କରିବା ଭଳି ସଂଗିନ ଅଭିଯୋଗ ଆସିଛି। ଅଭିଯୋଗରେ ସମ୍ପୃକ୍ତ ପୁଲିସ୍‌ ଏଏସ୍‌ଆଇଙ୍କୁ ନିଲମ୍ବିତ କରାଯାଇଛି।

ଅଭିଯୋଗ ଅନୁସାରେ, ଗତ ୮ତାରିଖ ସକାଳ ସାଢେ ୬ଟାରେ ସମ୍ପୃକ୍ତ ନାବାଳିକା ଟ୍ୟୁସନ୍‌କୁ ଯାଇ ଆଉ ଘରକୁ ଫେରିନଥିଲା। ଗତକାଲି ରାତି ୮ଟାରେ ମେଲଛାମୁଣ୍ଡା ପୁଲିସ ନିଖୋଜ ନାବାଳିକାକୁ ସୋହେଲାରୁ ଉଦ୍ଧାର କରି ପରିବାର ଲୋକଙ୍କ ଜିମା ଦେଇଥିଲା। ତେବେ, ଘରେ ପହଞ୍ଚି ନାବାଳିକା ଚାଞ୍ଚଲ୍ୟକର ବୟାନ ଦେଇଥିଲା। ସେ କହିଥିଲା ଯେ, ୮ତାରିଖ ସକାଳେ ମେଲଛାମୁଣ୍ଡା ଗ୍ରାମର ରିକୁ ନାଗ ତାକୁ ବାଇକରେ ବସାଇ ସୋହେଲା ଆଣିଥିଲା। ରିକୁ ସୋହେଲା ଥାନା ଆଗରେ ବାଇକ ରଖି ଏଏସ୍‌ଆଇ ବନମାଳୀ କୁଅଁରଙ୍କ ଠାରୁ ତାଙ୍କ ଭଡ଼ା ଘରର ଚାବି ଆଣଥିଲା। ସେହି ଘରେ ଦୁଷ୍କର୍ମ କରିବା ପରେ ବାହାରୁ ତାଲା ମାରି ରିକୁ ପଳାଇଥିଲା। ଏହାପରେ ଏଏସ୍‌ଆଇ ଶ୍ରୀ କୁଅଁର ସଂଧ୍ୟାରେ ମୁହଁରେ କପଡା ବାନ୍ଧି ଗୋଟିଏ ସ୍କୁଟିରେ ବସାଇ ଥାନା ପରିସରରେ ଥିବା ଏକ କୋଠରୀକୁ ଆଣିଥିଲେ। ବାହାରୁ ତାଲା ମାରି ଏଏସ୍‌ଆଇ ଥାନାକୁ ଚାଲି ଯାଇଥିଲେ । ରାତିରେ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଏହାପରେ ସେ ବେହୋସ ହୋଇ ଯାଇଥିଲା। ଭୋର ପ୍ରାୟ ୪ଟା ବେଳେ ଚେତା ଫେରିବା ପରେ ମଧ୍ୟ ଏଏସ୍‌ଆଇ ଜଣକ ଆପତ୍ତିଜନକ ଆଚରଣ ଜାରି ରଖିଥିଲେ। ସେ ଭୟରେ ଏହାର ପ୍ରତିବାଦ କରି ପାରିନଥିଲା ବୋଲି ନାବାଳିକା ଅଭିଯୋଗ କରିଛନ୍ତି।

ଏହା ଜାଣିବା ପରେ ନାବାଳିକାଙ୍କ ପରିବାର ଲୋକ ରିକୁ ନାଗ ସହ ଏଏସ୍‌ଆଇ ବନମାଳୀ କୁଅଁରଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ କରିଛନ୍ତି। ଘଟଣା ସମ୍ପର୍କରେ ଜାଣିବା ପରେ ଏସ୍‌ପି ମୁକେଶ ଭାମୁ ଏଏସ୍ଆଇ ଶ୍ରୀ କୁଅଁରଙ୍କୁ ନିଲମ୍ବିତ କରିଛନ୍ତି। ଘଟଣାର ତଦନ୍ତ ସହିତ ରିକୁ ନାଗକୁ ଧରିବା ପାଇଁ ପୁଲିସ୍‌ ଉଦ୍ୟମ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe