ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା: ସାବାଳକକୁ ଆଜୀବନ, ନାବାଳକକୁ ୨୦ ବର୍ଷ ଜେଲ୍‌

Advertisment
କ୍ରାଇମବ୍ରାଞ୍ଚକୁ ବଡ଼ ଝଟ୍‌କା: ଚୌଦ୍ବାର ଜେଲ୍ ଆସିବାକୁ ନିମହାଂସ୍‌ର ନା

Freepik

କେନ୍ଦୁଝର: ଜନୈକା ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ସ୍ବତନ୍ତ୍ର ବିଚାରପତି ଲୋକନାଥ ସାହୁ ଆଜି ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ଏହି ମାମଲାରେ ଜଣେ ଅଭିଯୁକ୍ତକୁ ଆଜୀବନ ଏବଂ ଅନ୍ୟଜଣେ ଅଭିଯୁକ୍ତ (ନାବାଳକ)କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ଉଭୟଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା ଆଦେଶ ଦେଇଛନ୍ତି। ଏହି ମାମଲାରେ ଜଣେ ଅଭିଯୁକ୍ତ ସାବାଳକ ଏବଂ ଅନ୍ୟଜଣେ ନାବାଳକ ହୋଇଥିବାରୁ କୋର୍ଟରେ ଦୁଇଟି ସ୍ବତନ୍ତ୍ର ମାମଲା (କେସ୍‌ ନମ୍ବର ୮୪/୨୦୧୯ ଓ କେସ୍‌ ନ‌ମ୍ବର ୧୦୦/୭୬- ୨୦୧୯) ରୁଜୁ କରାଯାଇଥିଲା।

ପ୍ରାପ୍ତ ସୂଚନା ମୁତାବକ, ୨୦୧୯ ଅକ୍ଟୋବର ମାସରେ ଘସିପୁରା ଥାନା ଯୁଗଳକିଶୋରପୁର ଗ୍ରାମରେ ଏକ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ୍‌ ଚାଲିଥିଲା। ଉକ୍ତ ଗ୍ରାମର ଜଣେ ବ୍ୟକ୍ତି ଖେଳପଡ଼ିଆରେ ଏକ ଜଳଖିଆ ଦୋକାନ ଖୋଲିଥିଲେ। ଜଳଖିଆ ଦୋକାନରେ ତାଙ୍କ ୧୨ ବର୍ଷର ଝିଅ ସହଯୋଗ କରୁଥିଲା। ଅକ୍ଟୋବର ୧୨ ତାରିଖରେ ଫୁଟ୍‌ବଲ୍‌ ମ୍ୟାଚ୍‌ ସରିବା ପରେ ସନ୍ଧ୍ୟା ପ୍ରାୟ ୭ଟାବେଳେ ଦୋକାନର ଜିନିଷପତ୍ର ଘରକୁ ନେବାର ଥିଲା। ନାବାଳିକା ଜଣଙ୍କ କିଛି ଜିନିଷ ଘରକୁ ନେଇ ଆସିଥିଲେ। ଆଉ କିଛି ଜିନିଷ ଆଣିବା ପାଇଁ ପୁଣି ଦୋକାନକୁ ଯାଉଥିବାବେଳେ ରାସ୍ତାରେ ଓସ୍ତପୁରା ଗ୍ରାମର ଈଶ୍ବର ଲୋହାର ଏବଂ ଜଣେ ନାବାଳକ ତାଙ୍କୁ ଜୋରଜବରଦସ୍ତ ନିକଟରେ ଥିବା ହୁଡ଼ିକୁ ଉଠାଇ ନେଇଥିଲେ। ସେଠାରେ ଜଣକ ପରେ ଜଣେ ତାଙ୍କୁ ଦୁଷ୍କର୍ମ କରିଥିଲେ।

ନାବାଳିକା ଏ ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇବା ପରେ ପରଦିନ ଘସିପୁରା ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ କେସ୍‌ ନମ୍ବର ୧୯୨/୨୦୧୯ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଥାନା ଅଧିକାରୀ ରାମଚନ୍ଦ୍ର ବିଶ୍ବାଳ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲେ। କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ସ୍ବତନ୍ତ୍ର ବିଚାରପତି ଲୋକନାଥ ସାହୁ ୨୬ ଜଣ ସାକ୍ଷୀଙ୍କ ବୟାନ ଶୁଣିବା ପରେ ଆଜି ଈଶ୍ବରକୁ ଆଜୀବନ ସଶ୍ରମ କାରାଦଣ୍ଡ ସହ ୫୦ ହଜାର ଏବଂ ନାବାଳକକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଏଥିସହ ଦୁଇଟି ମାମଲାରେ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ନାବାଳିକାଙ୍କୁ ପ୍ରଦାନ ପାଇଁ କୋର୍ଟ ମଧ୍ୟ ରାୟ ଦେଇଛନ୍ତି। ଏହି ମାମଲାକୁ ସ୍ବତନ୍ତ୍ର ପିପି ଗଣେଶ ପ୍ରସାଦ ମହାପାତ୍ର ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe