ଜୟପୁର,: ସେମିଳିଗୁଡା ଥାନା ଅଂଚଳର ଜୈନେକା ନାବାଳିକାଙ୍କୁ ଜଣେ ଯୁବକ ଦୁଷ୍କର୍ମ କରି ନଗ୍ନ ଭିଡିଓ ଚିତ୍ର ଉତ୍ତୋଳନ କରି ସାମାଜିକ ଗଣମାଧ୍ୟମରେ ଛାଡିବାକୁ ଧମକ ଦେଇ ବାରମ୍ବାର ଦୁଷ୍କର୍ମ କରିବା ଅଭିଯୋଗକୁ ନେଇ ମହିଳା ଥାନାରେ ମାମଲା ରୁଜୁ ହୋଇିଛି। ଏହି ମାମଲାରେ ଅଭିଯୁକ୍ତ ଥିବା ସେମିଳିଗୁଡା ଥାନା ଅର୍ନ୍ତଗତ ତଳମାଣିଆ ଗାଁର ଅମିର ହନ୍ତାଳ(୨୭)କୁ ମହିଳା ଥାନା ପୁଲିସ ଦଫା ୩୭୬(୨)(ଏନ),୩୨୩,୩୫୪-ସି, ୫୦୬ ସହ ୬ପକ୍ସୋ ଆକ୍ଟ, ୬୬ ଇ ଆଇଟି ଆକ୍ଟରେ ଗିରଫ କରି କୋର୍ଟକୁ ଚାଳାଣ କରାଯାଇଥିବା କହିଛନ୍ତି ମହିଳା ଥାନା ଅଧିକାରୀ ମମତା ପାଣିଗ୍ରାହୀ।
ମିଳିଥିବା ସୂଚନା ମୁତାବକ, ଗତ ୨୦ତାରିଖ ଦିନ ସଂଧ୍ୟାରେ ନାବାଳିକା ଜଣକ ଗାଁକୁ ନିଜ ଘରକୁ ଫେରୁଥିଲେ। ଏ ସମୟରେ ଅଭିଯୁକ୍ତ ଅମିର ଉକ୍ତ ନାବାଳିକାଙ୍କ ସହ ପୂର୍ବ ପରିଚିତ ଥିବାରୁ କଥା ହୋଇଥିଲେ। ସେ ଘରକୁ ସାଙ୍ଗରେ ନେଇ ଛାଡି ଦେବେ ବୋଲି କହିଥିଲେ। ଉଭୟ ଚାଳି ଚାଳି ଆସୁଥିବା ବେଳେ ରାସ୍ତାରେ ଅନ୍ଦାରର ସୁଯୋଗରେ ନାବାଳିକାର ଇଛା ବିରୋଧରେ ଜୋର ଜବରଦସ୍ତ ଅଭିଯୁକ୍ତ ଦୁଷ୍କର୍ମ କରିଥିଲେ। ନାବାଳିକାଙ୍କୁ ଜୋର ଜବରଦସ୍ତ ନଗ୍ନ କରି ନଗ୍ନ ଭିଡିଓ ଚିତ୍ର ଉତ୍ତୋଳନ କରିଥିଲେ।
ଦୁଷ୍କର୍ମ ସଂପର୍କରେ କାହାରିକୁ କହିଲେ ତାହାକୁ ସାମାଜିକ ଗଣମାଧ୍ୟମରେ ଛାଡି ଦେବାର ଭୟ ଦେଖାଇଥିଲେ ଅଭିଯୁକ୍ତ। ପରବର୍ତ୍ତୀ ସମୟରେ ଏହି ଭିଡିଓକୁ ସାମାଜିକ ଗଣମାଧ୍ୟମରେ ଛାଡି ଦେବା ଭୟ ଦେଖାଇ ନାବାଳିକାଙ୍କ ସହ ବାରମ୍ବାର ଶାରିରୀକ ସଂପର୍କ ରଖି ଆସୁଥିଲେ। ନାବାଳିକା ଜଣକ ଅଭିଯୁକ୍ତଙ୍କୁ ବାହା ହେବାକୁ ବାରମ୍ବାର ଅନୁରୋଧ କରିବା ସତ୍ତ୍ବେ ସେ ଏହା ଶୁଣି ନଥିଲେ। ଏହା ପରେ ନାବାଳିକା ଜଣକ ନିଜ ପରିବାର ସହଯୋଗରେ ମହିଳା ଥାନାର ଦ୍ବାରସ୍ଥ ହୋଇଥିଲେ। ମହିଳା ଥାନା ଅଧିକାରୀ ଶ୍ରୀମତି ପାଣିଗ୍ରାହୀ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ଅଭିଯୁକ୍ତ ଓ ପିଡୀତାଙ୍କର ଡାକ୍ତରୀ ମାଇନା କରିଥିଲେ। ମାଜିଷ୍ଟ୍ରେଟଙ୍କ ନିକଟରେ ପିଡୀତାଙ୍କ ବୟାନ ଲିପିବଦ୍ଧ କରାଇବା ସହ ଅଭିଯୁକ୍ତକୁ କୋର୍ଟକୁ ଚାଳାଣ କରାଯାଇଥିବା କହିଛନ୍ତି ମହିଳା ଥାନା ଅଧିକାରୀ। କୋର୍ଟ ଅଭିଯୁକ୍ତକୁ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଥିବା କହିଛନ୍ତି ମହିଳା ଥାନା ଅଧିକାରୀ।
Follow Us