ବେତନଟୀ: ଜଙ୍ଗଲ ଭିତରେ ମହିଳାଙ୍କୁ ଦୁଷ୍କର୍ମ ପରେ ବୀଭତ୍ସ ହତ୍ୟା ସନ୍ଦେହ। ଗତକାଲି ରାତିରେ ଘଟିଥିବା ଏମିତି ଏକ ହତ୍ୟାକାଣ୍ଡକୁ ନେଇ ବୈଶିଙ୍ଗା ଥାନା ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି। ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ନଡ଼ପୁର ଉପକଣ୍ଠ ରାସ୍ତା ପାର୍ଶ୍ୱ ଶାଳ ଜଙ୍ଗଲରେ ଘଟିଛି ଏହି ହତ୍ୟାକାଣ୍ଡ l
ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୯ଟାରେ ନଡ଼ପୁର ଗ୍ରାମର ୩୫ ବର୍ଷୀୟା ମାଳତୀ ମୁର୍ମୁ ଓ ତାଙ୍କ ସ୍ୱାମୀ ଗୋଲକ ମୁର୍ମୁ ନିଜ ସାନ ପୁଅ ସହିତ ଘରେ ରାତ୍ରିଭୋଜନ କରିଥିଲେl ପରେ ଗୋଲକ ପାଖ ଗ୍ରାମରେ ଚାଲିଥିବା ଆଦିବାସୀ ଯାତ୍ରା ଦେଖିବାକୁ ଚାଲି ଯାଇଥିବା ବେଳେ ସାନ ପୁଅ ଗ୍ରାମର ଜଣେ ସାଙ୍ଗଙ୍କ ଘରକୁ ଶୋଇବାକୁ ଚାଲିଯାଇଥିଲା l ଘରେ ଏକୁଟିଆ ମାଳତୀ ଶୋଇଥିଲା l ହେଲେ ଆଜି ସକାଳୁ ଗ୍ରାମବାସୀ ମାଳତୀର ରକ୍ତ ଜୁଡୁବୁଡୁ ଅର୍ଦ୍ଧ ଉଲଗ୍ନ କ୍ଷତବିକ୍ଷତ ଶବ ବେତନଟୀ-ନଡ଼ପୁର ଜଙ୍ଗଲ ମଧ୍ୟ ରାସ୍ତା ପାର୍ଶ୍ୱରେ ପଡ଼ିଥିବାର ଦେଖିବାକୁ ପାଇଥିଲେ l
ଜଙ୍ଗଲ ମଧ୍ୟରେ ଗୋଟିଏ ସ୍ଥାନରେ ରକ୍ତ ପଡ଼ିବା ସହିତ ପାଖାପାଖି ୨୦୦ମିଟର ପର୍ଯ୍ୟନ୍ତ ମାଳତୀକୁ ଘୋଷାଡ଼ି ନେବାର ଚିହ୍ନ ମଧ୍ୟ ଦେଖିବାକୁ ମିଳିଥିଲା l ଏହିସବୁ ପାରିପାର୍ଶିକ ପରିସ୍ଥିତିକୁ ଦେଖି ଦୁଷ୍କର୍ମ ପରେ ହତ୍ୟା କରାଯିବାର ସନ୍ଦେହ କରାଯାଉଛି l ଖବର ପାଇ ଆଜି ସକାଳୁ ସକାଳୁ ବେତନଟୀ ଏସଡିପିଓ ସୁଦର୍ଶନ ଦାଶ, ବୈଶିଙ୍ଗା ପୁଲିସ ସହିତ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳକୁ ଯାଇ ଛାନଭିନ କରୁଛିl ହତ୍ୟାକାରୀ କିଏ ଏବଂ କେତେଜଣ, ତାହା ଜଣାପଡିନାହିଁ । ବୈଶିଙ୍ଗା ପୁଲିସ ତନାଘନା ତଦନ୍ତ ଜାରି ରଖିଛି। ମୃତ ମହିଳାଙ୍କ ନିକଟରେ କେବଳ ତାଙ୍କ ଏଗାର ବର୍ଷର ସାନପୁଅ ଉପସ୍ଥିତ ଥିବାବେଳେ ସ୍ୱାମୀ ଗୋଲକ ଦୀର୍ଘ ସମୟ ପର୍ଯ୍ୟନ୍ତ ଘଟଣାସ୍ଥଳରେ ପହଞ୍ଚି ନଥିଲା l
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us