ଦୁଷ୍କର୍ମ ପୀଡ଼ିତାଙ୍କ ଅନୁକମ୍ପା ରାଶି ହଡ଼ପ ଘଟଣା: ଡିଇଓ, ପିଇଟି ଗିରଫ

କଟକରେ ଜଣେ ଦୁଷ୍କର୍ମ ପୀଡ଼ିତାଙ୍କ ଅନୁକମ୍ପା ରାଶି ହଡ଼ପ ଘଟଣାରେ ଲାଲବାଗ ଥାନା ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୁଲିସ ଏହି ଘଟଣାରେ ଜିଲ୍ଲାପାଳଙ୍କ ଅଧୀନରେ ଥିବା ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ....

dfdfcvcv

କଟକ: କଟକରେ ଜଣେ ଦୁଷ୍କର୍ମ ପୀଡ଼ିତାଙ୍କ ଅନୁକମ୍ପା ରାଶି ହଡ଼ପ ଘଟଣାରେ ଲାଲବାଗ ଥାନା ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୁଲିସ ଏହି ଘଟଣାରେ ଜିଲ୍ଲାପାଳଙ୍କ ଅଧୀନରେ ଥିବା ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଡିଇଓ ତଥା ଅଫିସ୍ ଆସିଷ୍ଟାଣ୍ଟ ଥିବା ଭୁବନେଶ୍ବର ବାଲିଅନ୍ତା ଥାନା ସତ୍ୟଭାମାପୁର ଅଞ୍ଚଳରେ ରହୁଥିବା ଅମିୟ କୁମାର ସାହୁ(୪୫) ଓ ବାଙ୍କୀ ଥାନା ରଣପୁରର ସଙ୍ଗୀତା ସିଂହ(୩୮)ଙ୍କୁ ଗିରଫ କରିଛି। ଅମିୟ ଜଗତସିଂହପୁର ନୂଆଗାଁର ବାସିନ୍ଦା। ସଙ୍ଗୀତା ଏକ ସ୍କୁଲ୍‌ରେ ପିଇଟି ଭାବେ ଚାକିରି କରିଛନ୍ତି। ସେମାନଙ୍କ ନିକଟରୁ ଚାରିଟି ମୋବାଇଲ୍ ଫୋନ୍, ହ୍ବାଟ୍‌ସଆପ୍ ସ୍କ୍ରିନ୍‌ ସଟ୍, ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ମାଧ୍ୟମରେ ହୋଇଥିବା ଅନ୍‌ଲାଇନ୍ ଅର୍ଥ କାରବାରର ସ୍କ୍ରିନ୍‌ ସଟ୍ ଜବତ ହୋଇଛି। ଅଭିଯୁକ୍ତ ଅମିୟ କୁମାର ସାହୁଙ୍କୁ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ଚାକିରିରୁ ବହିଷ୍କାର କରିଥିବା ସୂଚନା ମିଳିଛି।

ଅମୀୟଙ୍କୁ ଚାକିରିରୁ ବହିଷ୍କାର କଲେ ଜିଲ୍ଲାପାଳ
ଲକ୍ଷେ ଟଙ୍କା ଲାଞ୍ଚ ନେଇଥିଲେ

ସୂଚନା ଅନୁଯାୟୀ, ୨୦୨୦ରେ କଟକ ଜିଲ୍ଲା ନରସିଂହପୁର ଅଞ୍ଚଳର ଜଣେ ନାବାଳିକା(ବର୍ତ୍ତମାନ ସେ ସାବାଳିକା)ଙ୍କୁ ଗଣ ଦୁଷ୍କର୍ମ କରାଯାଇଥିଲା। ପୀଡ଼ିତା ନ୍ୟାୟ ପାଇଁ ଥାନାରେ ଫେରାଦ ହୋଇଥିଲେ। ପୁଲିସ ତାଙ୍କ ଅଭିଯୋଗକୁ ଗ୍ରହଣ କରି ନଥିଲା। ଫଳରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ପୀଡ଼ିତା ଜଣକ କ୍ଷତିପୂରଣ ରାଶି ପାଇଁ ଜିଲ୍ଲା ଆଇନସେବା ପ୍ରାଧିକରଣଙ୍କ ଦ୍ୱାରସ୍ଥ ହୋଇଥିଲେ।  ପ୍ରାଧିକରଣ ପକ୍ଷରୁ ତାଙ୍କୁ ମୋଟ ୫ଲକ୍ଷ ଟଙ୍କାର ଆର୍ଥିକ ଅନୁକମ୍ପା ପ୍ରଦାନ କରିବାକୁ ମଞ୍ଜୁରି ମିଳିଥିଲା। ଗଲା ଜୁନ ସୁଦ୍ଧା ପ୍ରଥମ ଦଫାରେ ତାଙ୍କୁ ୩ ଲକ୍ଷ ୭୫ ହଜାର ଟଙ୍କା ମିଳିବାର ଥିଲା। କିନ୍ତୁ ଏହି ଟଙ୍କା ତାଙ୍କୁ ହସ୍ତାନ୍ତର କରିବା ପୂର୍ବରୁ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟର ଡିଇଓ ତଥା ଅଫିସ ଆସିଷ୍ଟାଣ୍ଟ ଅମିୟ କୁମାର ସାହୁ ଓ ସଙ୍ଗୀତା ସିଂହ ଷଡ଼ଯନ୍ତ୍ର କରିଥିଲେ। ବେଗୁନିଆ ବ୍ଲକ୍‌ ପୋଡ଼ାଢିଅରେ ଥିବା ଜନତା ନୋଡାଲ୍‌ ବିଦ୍ୟାପୀଠରେ ପିଇଟି ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ସଙ୍ଗୀତା ପୀଡ଼ିତାଙ୍କ ନିକଟରୁ ଲାଞ୍ଚ ମାଗିବାକୁ ମାଷ୍ଟର୍‌ପ୍ଲାନ୍ କରିଥିଲେ। ସଂଗୀତା ନିଜକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ ଭାବେ ପରିଚୟ ଦେଇଥିଲେ। ଅନୁକମ୍ପା ରାଶି ପାଇବାକୁ ୧ ଲକ୍ଷ ୧ ହଜାର ଟଙ୍କା ଦେବାକୁ ପୀଡ଼ିତାଙ୍କୁ ପ୍ରବର୍ତ୍ତାଇଥିଲେ। ନ ଦେଲେ ସହାୟତା ରାଶି ମିଳିବ ନାହିଁ ବୋଲି ଧମକାଇଥିଲେ। ପୀଡ଼ିତା ଭୟରେ ତିନୋଟି ବ୍ୟାଙ୍କ୍ ଆକାଉଣ୍ଟରେ ଏହି ଟଙ୍କା ଜମା କରିଥିଲେ।

ଅଳ୍ପଦିନ ଭିତରେ ତାଙ୍କୁ ବକେୟା ଟଙ୍କା ମିଳିଯିବ ବୋଲି ଉଭୟ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଅବଶିଷ୍ଟ ଅନୁକମ୍ପା ରାଶି ପୀଡିତାଙ୍କୁ ମିଳି ନଥିଲା। ପୀଡ଼ିତା ଉକ୍ତ ଦୁଇଜଣଙ୍କ ସହିତ ଅନେକ ଥର ଫୋନ୍‌ରେ ଯୋଗଯୋଗ କରିଥିଲେ ବି ସେମାନେ ବିଭିନ୍ନ ଆଳ ଦେଖାଇ ସମୟ ଗଡ଼ାଇ ଚାଲିଥିଲେ। ପୀଡ଼ିତା ଏ ସଂକ୍ରାନ୍ତରେ ଲାଲବାଗ ଥାନାରେ ଗଲା ୧୭ ତାରିଖରେ ଏତଲା ଦେଇଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ସାଇବର୍ ଥାନା ପୁଲିସ ସଙ୍ଗୀତାଙ୍କୁ ପ୍ରଥମେ ଗିରଫ କରିଥିବା ବେଳେ ପରବର୍ତ୍ତୀ ସମୟରେ ଅମିୟଙ୍କୁ ଲାଲବାଗ ଥାନା ପୁଲିସ ଗିରଫ କରିଛି। ଗିରଫ ପରେ କଟକ ସଦର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଥିବା ଲାଲବାଗ ଥାନା ଆଇଆଇସି ସୁଧାଂଶୁ ଭୂଷଣ  ଜେନା ସୂଚନା ଦେଇଛନ୍ତି। ଅନ୍ୟପଟେ ଏଭଳି କେହି ବ୍ୟକ୍ତି ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କ ଦ୍ବାରା ଠକେଇର ଶିକାର ହୋଇଥିଲେ ତୁରନ୍ତ ଏ ସମ୍ପର୍କରେ ଲାଲବାଗ ଥାନା ପୁଲିସ ନିକଟରେ ଅଭିଯୋଗ କରିବାରୁ ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe