ଓଡ଼ିଶାରେ ବିରଳ ଅପରେସନ୍, ୧୦ ବର୍ଷ ଧରି ଦୁର୍ବିସହ ଜୀବନ ବିତାଉଥିବା ରୋଗୀଙ୍କୁ ମିଳିଲା ନୂଆ ଜୀବନ

Advertisment
ଓଡ଼ିଶାରେ ବିରଳ ଅପରେସନ୍, ୧୦ ବର୍ଷ ଧରି ଦୁର୍ବିସହ ଜୀବନ ବିତାଉଥିବା ରୋଗୀଙ୍କୁ ମିଳିଲା ନୂଆ ଜୀବନ

ଭୁବନେଶ୍ୱର: ଜୀବନ ଥିଲେ ରୋଗ ଥାଏ, କିନ୍ତୁ ଯେଉଁ ରୋଗ ପାଇଁ ଜୀବନ ଦୁର୍ବିସହ ହୋଇପଡେ ସେହି ରୋଗରୁ ମୁକ୍ତି ପାଇଁ ରୋଗୀଟିଏ ସବୁବେଳେ ଭଗବାନଙ୍କ ପାଖରେ ପ୍ରାର୍ଥନା କରେ| ଆଜି ଆମେ ଆପଣଙ୍କୁ ଏମିତି ଜଣେ ବ୍ୟକ୍ତିଙ୍କ କାହାଣୀ କହିବୁ, ଯାହାଙ୍କର ଦୀର୍ଘ ୧୦ ବର୍ଷରୁ ଅଧିକ ଦିନର ସ୍ବାସ୍ଥ୍ୟ ସମସ୍ୟା ଆଜି କିଛି ଡାକ୍ତରଙ୍କ ଲାଗି ଦୂର ହୋଇପାରିଛି | ଏହି ବ୍ୟକ୍ତିଙ୍କ ଠାରେ ଏଭଳି ଏକ ବିରଳ ଅପରେସନ କରାଯାଇଛି, ଯେଉଁଥିପାଇଁ ରୋଗୀ ଜଣକ ଏକ ନୂଆ ଜୀବନ ପାଇଛନ୍ତି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ |

୪୨ ବର୍ଷର ଏହି ବ୍ୟକ୍ତିଙ୍କର ଆଙ୍କଲୋଇଜିଙ୍ଗ୍ ସ୍ପଂଡିଲାଇଟିସ୍ ନାମକ ରୋଗ ଥିଲା | ଯେଉଁ ରୋଗ ପାଇଁ ବେକ ଠାରୁ ଅଣ୍ଟା ପର୍ଯ୍ୟନ୍ତ ଥିବା ୩୩ଟି ହାଡ ମିଶିଯାଇଥିଲା ଓ ଏହି ହାଡଗୁଡିକ ବଙ୍କା ହୋଇଯାଇଥିଲା | ଯାହାଫଳରେ ରୋଗୀ ଜଣକ ଆଉ ଭଲ ଭାବରେ ଚାଲିପାରି ନଥିଲେ ବରଂ ବଙ୍କା ହୋଇ ଚାଲୁଥିଲେ | ମେରୁଦଣ୍ଡ ବଙ୍କା ହୋଇଯିବା ଫଳରେ ରୋଗୀ ନା ଅଣ୍ଟା ସଳଖି ଛିଡା ହୋଇପାରୁଥିଲେ ନା କାହାକୁ ବେକ ଉଠାଇ ଚାହିଁପାରୁଥିଲେ | ପାଖାପାଖି ୧୦ ବର୍ଷରୁ ଅଧିକ ଦିନ ଧରି ଏହି ସମସ୍ୟାରେ ସେ ପୀଡିତ ଥିବାବେଳେ ସେ ସିଧା ହୋଇ ଶୋଇପାରୁନଥିଲେ | ଏହା ପରେ ତାଙ୍କର ଚିକିତ୍ସା ଲାଗି ଉଦ୍ୟମ ଆରମ୍ଭ ହୋଇଥିଲା।

ଏହି ରୋଗରୁ ମୁକ୍ତି ଲାଗି ଏକମାତ୍ର ନିରାକରଣ ଥିଲା ଅପରେସନ୍। ଅସ୍ତ୍ରୋପଚାର କରି ୧୦ ବର୍ଷର ସମସ୍ୟାକୁ ଦୂର କରିବା ନିଶ୍ଚିତ ଭାବେ ଏକ ଚାଲେଞ୍ଜ ଥିଲା। ସାଧାରଣତଃଏପରି  ଅପରେସନ୍ ରାଜ୍ୟ ବାହାରେ ହେଉଥିଲେ ହେଁ ଭୁବନେଶ୍ବରର ଆମ୍ରି ହସ୍ପିଟାଲରେ ଏହା କରିବା ଲାଗି ନିଷ୍ପତ୍ତି କଲେ  ବ୍ରେନ ଓ ସ୍ପାଇନ ସର୍ଜନ ଡାକ୍ତର ବିଶ୍ୱରଂଜନ ନାୟକ ଓ ତାଙ୍କ ଟିମ। ମାତ୍ର ରୋଗୀଙ୍କର ଆର୍ଥିକ ସମ୍ବଳ ନ ଥିଲା। ଏହାପ‌ରେ ଡା.ବିଶ୍ବରଂଜନ ରାଜ୍ୟ ସରକାରଙ୍କ ଓଡ଼ିଶା ଷ୍ଟେଟ୍ ଟ୍ରିଟମେଣ୍ଟ ଫଣ୍ଡକୁ ରୋଗୀଙ୍କ ଚିକିତ୍ସା ଲାଗି ସହାୟତା ପ୍ରଦାନ ପାଇଁ ପତ୍ର ଲେଖିଲେ। ଡାକ୍ତରଙ୍କ ଉଦ୍ୟମ ପରେ ଓଏସଟିଏଫ୍ ପକ୍ଷରୁ ଅର୍ଥ ମଂଜୁର କରାଯାଇଥିଲା। ଏହାପରେ ଅପରେସନ୍ ଲାଗି ପଥ ପରିଷ୍କାର ହୋଇଯାଇଥିଲା।  ପ୍ରଥମ ଥର ପାଇଁ ଅତ୍ୟନ୍ତ ଯତ୍ନ ଓ ସାବଧାନତାର ସହିତ ଆଙ୍କଲୋଇଜିଙ୍ଗ ସ୍ପଂଡିଲାଇସିସ ପୀଡ଼ିତ ଏହି ରୋଗୀଙ୍କର ଅପରେସନ କରାଯାଇଥିଲା | ବର୍ତ୍ତମାନ ଅପରେସନକୁ ପ୍ରାୟ ଦୁଇ ସପ୍ତାହ ହୋଇଗଲାଣି। ବର୍ତ୍ତମାନ ବ୍ୟକ୍ତି ଜଣକ ଚଲାବୁଲା, ଉଠାବସା କରିବା ସହ ଠିକଭାବେ ଶୋଇ ପାରୁଛନ୍ତି।

ପୂର୍ବରୁ ଏଭଳି ରୋଗ ପାଇଁ ପୀଡିତ ବ୍ୟକ୍ତି ହାଇଦ୍ରାବାଦ ଓ ବାଙ୍ଗାଲୋର ଯାଉଥିବାବେଳେ ଆମ୍ରି ହସ୍ପିଟାଲରେ ଡା. ବିଶ୍ୱରଂଜନଙ୍କ ଟିମ ଏହି ବ୍ୟକ୍ତିଙ୍କର ସଫଳ ଅସ୍ତ୍ରୋପଚାର କରି ଓଡ଼ିଶାର ରୋଗୀଙ୍କ ଲାଗି ଆଶା ସଞ୍ଚାର କରିଛନ୍ତି | ବିଶ୍ୱରଞ୍ଜନଙ୍କ ସହ ଡାକ୍ତର ଅମିତ ଜୟସ୍ବାଲ ଡାକ୍ତର ଜିତେନ୍ଦ୍ର ରାଉତ ଓ ଡାକ୍ତର ସ୍ଵର୍ଣ୍ଣମୟୀ ଶତପଥୀ ପ୍ରମୁଖ ଅସ୍ତ୍ରୋପଚାରରେ ମୁଖ୍ୟଭୂମିକା ଗ୍ରହଣ କରିଥିଲେ | ରୋଗୀଙ୍କୁ ଏକ ନୂଆ ଜୀବନ ଦେବା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲା ସନ୍ତୱାନା ସେବା ଟ୍ରଷ୍ଟ ଏବଂ ଅରୂପ ତ୍ରିପାଠୀ ବୋଲି କହନ୍ତି ଡା. ବିଶ୍ବରଂଜନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe