ଶିଶୁଭବନର ବିରଳ ସଫଳତା: ବିନା ଅସ୍ତ୍ରୋପଚାରରେ ବାହାରିଲା ଦେଢ଼ ଇଞ୍ଚର କଣ୍ଟା

ଖେଳୁଥିବା ବେଳେ କଳଙ୍କି ଲଗା କଣ୍ଟାକୁ ଚୁଚୁମି ଦେବାରୁ ଜଣେ ଶିଶୁର ଶ୍ବାସନଳୀରେ ତାହା ଅଟକି ଯାଇଥିଲା। ଶ୍ବାସକ୍ରିୟାରେ ଯନ୍ତ୍ରଣା ହେବାରୁ ଶିଶୁକୁ ଶିଶୁଭବନରେ ଭର୍ତ୍ତି କରାଯାଇଥିଲା। ତେବେ ବିନା କୌଣସି ଅସ୍ତ୍ରୋପଚାରରେ ବ୍ରୋଙ୍କୋସ୍କୋପି ବ୍ୟବହାର କରି....

fshsffhsfh

କଟକ: ଖେଳୁଥିବା ବେଳେ କଳଙ୍କି ଲଗା କଣ୍ଟାକୁ ଚୁଚୁମି ଦେବାରୁ ଜଣେ ଶିଶୁର ଶ୍ବାସନଳୀରେ ତାହା ଅଟକି ଯାଇଥିଲା। ଶ୍ବାସକ୍ରିୟାରେ ଯନ୍ତ୍ରଣା ହେବାରୁ ଶିଶୁକୁ ଶିଶୁଭବନରେ ଭର୍ତ୍ତି କରାଯାଇଥିଲା। ତେବେ ବିନା କୌଣସି ଅସ୍ତ୍ରୋପଚାରରେ ବ୍ରୋଙ୍କୋସ୍କୋପି ବ୍ୟବହାର କରି ଶିଶୁଭବନ ଡାକ୍ତରୀ ଟିମ୍ ବିରଳ ସଫଳତା ହାସଲ କରିଛନ୍ତି। ଶ୍ବାସନଳୀରୁ କଳଙ୍କି ଲଗା ଏକ ଦେଢ଼ ଇଞ୍ଚ ଲମ୍ବା କଣ୍ଟାକୁ କଢ଼ାଯାଇଛି। ଶିଶୁଟି ଏବେ ସୁସ୍ଥ ଥିବା ବେଳେ ଜୀବନ ପ୍ରତି କୌଣସି ବିପଦ ନ ଥିବା ଜଣାପଡ଼ିଛି।

ଯାଜପୁର ଜିଲ୍ଲା କାଳିଆପାଣି ଥାନା ଗିରିଙ୍ଗାମାଳିର ଦୁର୍ଗା ପୂର୍ତ୍ତୀଙ୍କ ୬ ବର୍ଷର ପୁଅ ବିନୁ ଗତ ୨୩ ତାରିଖରେ ସ୍କୁଲ ଯିବା ରାସ୍ତାରେ ପଡ଼ିଥିବା ଏକ କଳଙ୍କି ଲଗା କଣ୍ଟା ପାଟିରେ ପୂରାଇ ଚୁଚୁମିବାରୁ ତାହା ଶ୍ବାସନଳୀ ଭିତରକୁ ଚାଲିଯାଇଥିଲା। ବାରମ୍ବାର କାଶ ହେବାରୁ ପରିବାର ଲୋକେ ପ୍ରଥମେ ସୁକିନ୍ଦାରେ ଥିବା ଏକ ସରକାରୀ ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ସ୍ବାସ୍ଥ୍ୟ ଅବସ୍ଥାରେ ପରିବର୍ତ୍ତନ ଆସି ନ ଥିଲା। ପରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଏକ୍ସ-ରେ କରିବା ସମୟରେ ଶ୍ବାସନଳୀରେ ଏକ କଣ୍ଟା ଥିବା ଜଣାପଡ଼ିଥିଲା। ଏହାପରେ ବିନୁକୁ ଗତ ୨୪ ତାରିଖରେ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ବଡ଼ଡାକ୍ତରଖାନା ବି ଶିଶୁର ଶ୍ବାସନଳୀରୁ କଣ୍ଟା କାଢ଼ିବାରେ ନିଜର ଅସହାୟତା ପ୍ରକାଶ କରିଥିଲା। ସେଦିନ ଦିନ ପ୍ରାୟ ୧୨ଟା ବେଳେ ବିନୁକୁ ଶିଶୁଭବନରେ ଭର୍ତ୍ତି କରାଯାଇଥିଲା। ୨୫ ତାରିଖରେ ଏକ ଡାକ୍ତରୀ ଟିମ୍ ଗଠନ ହୋଇଥିଲା। 

ଶ୍ବାସନଳୀରେ ଅଟକିଥିଲା, ଫାଟିଯାଇଥାନ୍ତା ଫୁସ୍‌ଫୁସ୍‌
୬ ବର୍ଷର ଶିଶୁ ଏବେ ବିପଦମୁକ୍ତ

ଶିଶୁଭବନ ଅଧୀକ୍ଷକ ପ୍ରଫେସର ଡାକ୍ତର ପ୍ରଭାକର ମିଶ୍ରଙ୍କ ତତ୍ତ୍ବାବଧାନରେ ଗଠିତ ଟିମ୍‌ରେ ଶିଶୁଭବନ ପେଡିଆଟ୍ରିକ୍‌ ଆଇସିୟୁ ଇନ୍‌ଚାର୍ଜ ତଥା ପେଡିଆଟ୍ରିକ ମେଡିସିନ୍ ବିଭାଗର ପ୍ରଫେସର ଡାକ୍ତର ବିଜୟ କୁମାର ମେହେର, ପେଡିଆଟ୍ରିକ୍‌ ମେଡିସିନ୍‌ ବିଭାଗ ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ସାର୍ଥକ ନାୟକ ଏବଂ କଟକ ବଡ଼ଡାକ୍ତରଖାନାର ଇଏନ୍‌ଟି ବିଭାଗ ଆସିଷ୍ଟାଣ୍ଟ ପ୍ରଫେସର୍ ଡାକ୍ତର ଜ୍ୟୋତ୍ସ୍ନା ଅର୍ପିତା ସାହୁ, ନିଶ୍ଚେତକ ବିଭାଗ ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ସୌମ୍ୟରଞ୍ଜନ ସେଠୀ ଏଥିରେ ସାମିଲ ହୋଇଥିଲେ। ବ୍ରୋଙ୍କୋସ୍କୋପି ମାଧ୍ୟମରେ ପାଖାପାଖି ଏକ ଘଣ୍ଟା ଉଦ୍ୟମ ପରେ ଶ୍ବାସନଳୀରୁ ଏହି କଣ୍ଟା କଢ଼ାଯାଇଥିଲା। ବିନା କୌଣସି ଅସ୍ତ୍ରୋପଚାରରେ ଏହି ଯନ୍ତ୍ର ବ୍ୟବହାର କରି ଡାକ୍ତରୀ ଟିମ୍ କଣ୍ଟା କାଢ଼ିଥିଲେ। ଦେଢ଼ ଇଞ୍ଚ ଲମ୍ବ ଏହି କଣ୍ଟା ଡାକ୍ତରୀ ଟିମ୍‌କୁ ଚକିତ କରିଥିଲା। ଏହି କଣ୍ଟା କାଢ଼ିବାରେ ବିଳମ୍ବ ହୋଇଥିଲେ ଶ୍ବାସନଳୀ କ୍ଷତିଗ୍ରସ୍ତ ହେବା ସହିତ ଫୁସ୍‌ଫୁସ୍‌ ଫାଟିଯିବାର ଯଥେଷ୍ଟ ଆଶଙ୍କା ଥିଲା। ଏବେ ବିନୁ ସୁସ୍ଥ ଥିବା ବେଳେ ବୁଧବାର ଶିଶୁଭବନରୁ ଡିସ୍‌ଚାର୍ଜ ହେବାକୁ ଯାଉଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe