ଓଡ଼ିଆ ଝିଅ ହର୍ଷିତା ପ୍ରିୟଦର୍ଶିନୀଙ୍କ ଆଉ ଏକ କୃତିତ୍ୱ

Advertisment
ଓଡ଼ିଆ ଝିଅ ହର୍ଷିତା ପ୍ରିୟଦର୍ଶିନୀଙ୍କ ଆଉ ଏକ କୃତିତ୍ୱ

ଜୟପୁର: ପାରମ୍ପରିକ ବିହନ ସଂରକ୍ଷଣ ବିଷୟରେ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି କୋରାପୁଟର କୁନି ଗବେଷିକା ହର୍ଷିତା ପ୍ରିୟଦର୍ଶିନୀ ମହାନ୍ତି। ସର୍ବଭାରତୀୟସ୍ତରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳତାକୁ ନେଇ ଗତ କିଛି ଦିନ ଧରି ‘ଏଚଡିଏଫସି ଲାଇଫ’ ଓ 'ରେଡ଼ ଏଫଏମ' ଦ୍ୱାରା ଚାଲିଥିବା ଆଭାସି ପ୍ରତିଯୋଗିତାର ଚୂଡାନ୍ତ ସାକ୍ଷାତକାରରେ ପାରମ୍ପରିକ ଧାନ ଓ ମାଣ୍ଡିଆକୁ ସଂରକ୍ଷଣ ପ୍ରକ୍ରିୟା ପାଇଁ କୋରାପୁଟ ଜିଲ୍ଲାର ଜୟପୁର ପ୍ରକାଶ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ରୀ ହର୍ଷିତା ପ୍ରଥମ ସ୍ଥାନର ଅଧିକାରୀ ହୋଇଛନ୍ତି। ଆୟୋଜକ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଅଢେଇ ଲକ୍ଷ ଟଙ୍କାର ପୁରସ୍କାର ସହ ପ୍ରମାଣପତ୍ର ପ୍ରଦାନ କରାଯାଇଛି।

ଗତ (ଶନିବାର) ଅନୁଷ୍ଠିତ ଏହି ଭର୍ଚ୍ଚୁଆଲ ସାକ୍ଷାତକାରରେ ତାଙ୍କ ଭବିଷ୍ୟତ ଲକ୍ଷ୍ୟ ସମ୍ପର୍କରେ ବିଚାରକ ମଣ୍ଡଳୀର ପ୍ରଶ୍ନର ଉତ୍ତରରେ ହର୍ଷିତା ନିଜକୁ ଏକ ସାମାଜିକ ବିଜ୍ଞାନୀ ଭାବେ ପ୍ରତିଷ୍ଠିତ କରାଇବାର ସଂକଳ୍ପ ନେଇଥିବା ଜଣାଇଥିଲେ। ପରେ ତାଙ୍କ ଦ୍ବାରା ମିଲେଟ, ଧାନ ଓ ଅନ୍ୟାନ୍ୟ ପାରମ୍ପରିକ ବିହନ ସଂରକ୍ଷଣ ବିଷୟରେ ପ୍ରଶ୍ନ କରାଯାଇଥିଲା ଓ ସେ ତା'ର ସଫଳତାର ସହ ଉତ୍ତର ରଖିଥିବା ହର୍ଷିତାଙ୍କ ବାପା ହରେକୃଷ୍ଣ ମହାନ୍ତି କହିଛନ୍ତି। ବିଚାରକଙ୍କ ପ୍ରଶ୍ନର ଉତ୍ତରରେ ହର୍ଷିତା ନିଜର ବିହନ ସଂରକ୍ଷଣ ପ୍ରଣାଳୀ ଓ ଜାତୀୟସ୍ତରରେ ଏହାର ପ୍ରଦର୍ଶନୀ ଜନିତ ଅଭିଜ୍ଞତାକୁ ବର୍ଣ୍ଣନା କରି ବିଚାରକଙ୍କ ଦ୍ବାରା ପ୍ରଥମ ପୁରସ୍କାର ପାଇଁ ଚୟନ ହୋଇଥିଲେ।

ପିଲାବେଳୁ ବିଭିନ୍ନ ଦେଶରେ ପ୍ରଚଳିତ ମୁଦ୍ରା ସଂଗ୍ରହ କରିବାର ପ୍ରକ୍ରିୟା ଜାରି ରଖି ଏପର୍ଯ୍ୟନ୍ତ ସେ ଦୁଇ ହଜାରରୁ ଅଧିକ ମୁଦ୍ରା ସଂଗ୍ରହ କରିସାରିଛନ୍ତି। ସେହିପରି ବର୍ତ୍ତମାନ ପାରମ୍ପରିକ ଖାଦ୍ୟଶସ୍ୟର ସଂରକ୍ଷଣ ତାଙ୍କୁ ଏକ ନୂତନ ପରିଚୟ ମଧ୍ୟ ଦେଇଛି। ଧାନର ଉତ୍ପତ୍ତିସ୍ଥଳୀ ଓ ମାଣ୍ଡିଆ ଭଳି ବିଭିନ୍ନ ମିଲେଟ ଜାତୀୟ ଶସ୍ୟର ଗନ୍ତାଘର ଭାବେ ପରିଚିତ କୋରାପୁଟ ଜିଲ୍ଲାରେ ପାରମ୍ପରିକ ବିହନ ସଂରକ୍ଷଣ କ୍ଷେତ୍ରରେ ସେ ଅନେକ ଖ୍ୟାତି ଅର୍ଜନ କରିଛନ୍ତି। ପାଠପଢାରୁ ସମୟ ବାହାର କରି ଛୁଟି ଦିନରେ ବାପାଙ୍କ ସହ ହର୍ଷିତା ଗାଁ’ ଗଣ୍ଡାରେ ଚାଷୀଙ୍କ ନିକଟକୁ ଯାଉଥିଲେ। ସେମାନେ କରୁଥିବା ବିବିଧ ଚାଷ ପ୍ରଣାଳୀ ଏବଂ ସେମାନେ ବ୍ୟବହାର କରୁଥିବା ପାରମ୍ପରିକ ଧାନ, ମାଣ୍ଡିଆ ଓ ଅନ୍ୟାନ୍ୟ ମିଲେଟ ଜାତୀୟ ଫସଲର ବିହନ ସମ୍ପର୍କରେ ପଚାରି ବୁଝିବା ଆରମ୍ଭ କରିଥିଲେ। ସେହି ଚାଷୀଙ୍କଠାରୁ ପାରମ୍ପରିକ ବିହନ ସଂଗ୍ରହ କରି ନିଜ ଘରେ ଛୋଟ ଛୋଟ ଡବା ଓ ପ୍ୟାକେଟରେ ଭର୍ତ୍ତି କରି ସାଇତି ରଖିଛନ୍ତି। ନିଜ ସଂରକ୍ଷଣ ପ୍ରଣାଳୀ ପାଇଁ ଗବେଷଣାଗାର ଆବଶ୍ୟକତାକୁ ପୁରଣ କରିବା ପରେ ସେଥିମଧ୍ୟରୁ ବଳକା ରହିଯାଇଥିବା ବିହନକୁ ଅନ୍ୟ ଚାଷୀଙ୍କୁ ହର୍ଷିତା ବାଣ୍ଟି ଦିଅନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ ହର୍ଷିତା ପ୍ରାୟ ୧୫୦ ପ୍ରକାରର ପାରମ୍ପରିକ ଧାନ, ୫୩ କିସମର ମାଣ୍ଡିଆ ଓ ୭ କିସମର ବିଭିନ୍ନ ଅନ୍ୟ ମିଲେଟ ଜାତୀୟ ଶସ୍ୟର ପାରମ୍ପରିକ ବିହନ ସଂରକ୍ଷଣ କରିପାରିଛନ୍ତି। ଭବିଷ୍ୟତରେ ଜଣେ ସାମାଜିକ ବିଜ୍ଞାନୀ ହୋଇ ଏହି ଅଞ୍ଚଳର କୃଷି ଉପରେ ଅଧିକ ଗବେଷଣା କରିବାର ଲକ୍ଷ୍ୟ ରହିଥିବା ହର୍ଷିତା ଜଣାଇଛନ୍ତି। ହର୍ଷିତାଙ୍କ ଏହି ସଫଳତା ସମ୍ପର୍କରେ ଅବଗତ ହେବା ପରେ ଭୁବନେଶ୍ୱର ସ୍ଥିତ ସାମାଜିକ ଅନୁଷ୍ଠାନ ‘ସ୍ୱାବଲମ୍ବୀ ଫାଉଣ୍ଡେସନ’ର ପ୍ରତିଷ୍ଠାତା ଶିଶିର ସାହୁ ହର୍ଷିତାଙ୍କୁ ସମ୍ବର୍ଦ୍ଧିତ କରିବା ସହ ଏକ ଲାପଟପ ଉପହାର ଭାବେ ପ୍ରଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe