ଅପନ୍ତରା ଗାଁ’ର ‘କନ୍ୟା ରତନ’ : ଯେଉଁଠି ଶିକ୍ଷକ ଅମଙ୍ଗ, ସେଠି ପଢ଼ାଉଛନ୍ତି ପାଠ

Advertisment
ଅପନ୍ତରା ଗାଁ’ର ‘କନ୍ୟା ରତନ’ : ଯେଉଁଠି ଶିକ୍ଷକ ଅମଙ୍ଗ, ସେଠି ପଢ଼ାଉଛନ୍ତି ପାଠ

ବନ୍ତଳା : ଅପନ୍ତରା ଗାଁର କନ୍ୟା ରତନ ‘ରଶ୍ମିତା’ । ଯେଉଁଠି ସରକାରୀ ଚାକିରି କରି ସ୍କୁଲକୁ ପାଠ ପଢ଼ାଇ ଯିବାକୁ ଖୋଦ୍‌ ଶିକ୍ଷକ ଅମଙ୍ଗ ହୁଅନ୍ତି, ସେଠି ଶିକ୍ଷା ରୂପକ ରଶ୍ମି ବୁଣୁଛନ୍ତି ରଶ୍ମିତା। ଇଏ ଅନୁଗୁଳ ବ୍ଲକ ଅନ୍ତର୍ଗତ ଶରଧାପୁର ପଂଚାୟତର ବହୁଚର୍ଚ୍ଚିତ ଏବଂ ଅବହେଳିତ ଗାଁ ବେତରର ପ୍ରେରଣାର କଥା। ଯେଉଁଠି ଶିକ୍ଷା‌ ବ୍ୟବସ୍ଥାକୁ ଜିଲ୍ଲା ପ୍ରଶାସନ ସୁଧାରି ପାରିଲା ନାହିଁ, ସେଇଠି ବାପା ଛେଉଣ୍ଡ ରଶ୍ମିତା ଏବେ ଅଣ୍ଟା ଭିଡ଼ିଛନ୍ତି।

ଉଲ୍ଲେଖଯୋଗ୍ୟ, ଅନୁଗୁଳ ବ୍ଲକ ଶରଧାପୁର ପଞ୍ଚାୟତର ବଣଜଙ୍ଗଲ ଘେରା ଅପହଞ୍ଚ ଗାଁ ବେତରକୁ ଯିବାକୁ ସବୁଦିନିଆଟିଏ ନାହିଁ। ବିକାଶ ଏଠାରେ ଅପହଞ୍ଚ। ପାଠ ପଢିବାକୁ ପିଲା ବି ଚାହୁଁଛନ୍ତି। କେଉଁ ବର୍ଷରୁ ଗାଁରେ ତିଆରି ହୋଇଛି ବିଦ୍ୟାଳୟ। ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ଏହି ବିଦ୍ୟାଳୟରେ ୨ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିଲା। ଶିକ୍ଷକମାନେ ଗାଁରେ ରହିଲେ ନାହିଁ କି ପାହାଡ଼ ଉଠା ରାସ୍ତା ଡେଇଁ ପାଠ ପଢ଼ାଇବାକୁ ଗଲେ ନାହିଁ। କାଗଜପତ୍ରରେ କିନ୍ତୁ ସେମାନେ ନିୟମିତ ସ୍କୁଲ ଯାଉଥିଲେ ଆଉ ମାସକୁ ମାସ ଦରମା ବି ଉଠାଉଥିଲେ। ଗାଁ ଲୋକେ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ପ୍ରଶାସନ ସେମାନଙ୍କ କଥା ଶୁଣିଲା ନାହିଁ। ସ୍କୁଲକୁ ଶିକ୍ଷକ ଆସୁନଥିବାରୁ ବାଧ୍ୟ ହୋଇ କିଛିଲୋକ ନିଜ ସଂପର୍କୀୟଙ୍କ ଗାଁରେ ନିଜ ପିଲାମାନଙ୍କୁ ଛାଡ଼ି ଦେଲେ। ଏପଟେ ଶିକ୍ଷକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଶିକ୍ଷା ବିଭାଗ ପିଲା ଆସୁନଥିବାର ଆଳ ଦେଖାଇ‌ ସ୍କୁଲ ବନ୍ଦ କରିବା ପାଇଁ ସରକାରଙ୍କୁ ଚିଠି ଲେଖିଲା। ସ୍କୁଲରେ ପ୍ରାୟ ଦୁଇ ବର୍ଷ ତାଲା ଝୁଲୁଥିବା ବେଳେ କେବଳ ସରକାରୀ କାଗଜପତ୍ରରେ ଖୋଲା ରହିଥିଲା। ଚଳିତ ଶିକ୍ଷା ବର୍ଷରୁ ସ୍କୁଲକୁ ଉଚ୍ଛେଦ କରାଯାଇଛି।

publive-image

ଗତବର୍ଷ ଅନୁଗୁଳ ସରକାରୀ କଲେଜରୁ ଯୁକ୍ତ ଦୁଇ ପାଠ ସାରିଥିବା ୧୮ ବର୍ଷ ବୟସ୍କା ରଶ୍ମିତା ପ୍ରଧାନ ଗାଁର ଶିକ୍ଷ‌ାର ଦାୟିତ୍ୱ ଏବେ ନିଜ କାନ୍ଧରେ ମୁଣ୍ଡେଇଛନ୍ତି। ରଶ୍ମିତାଙ୍କ ପରିବାର ଅଭାବ ଅନଟନ ମଧ୍ୟରେ ଗତି କରୁଛି। ବାପା ଦୁଃଶାସନ ପ୍ରଧାନ ଅନେକ ଦିନୁ ଆଖି ବୁଜି ଦେଇଛନ୍ତି। ପରିବାର ଦାୟିତ୍ବ ଏବେ ତାଙ୍କ ମା ଉପରେ। ମା ପ୍ରତିଦିନ ପାହାଡ଼ ଡେଇଁ ଅନ୍ୟ ଗାଁକୁ ମଜୁରୀ କରିବାକୁ ଯାଇଥାନ୍ତି। ଅର୍ଥାଭାବ ରଶ୍ମିତାଙ୍କ ଉଚ୍ଚଶିକ୍ଷା କ୍ଷେତ୍ରରେ ବାଧକ ସାଜିଲା। କିଛି କରିବାର ଆଗ୍ରହ ତାଙ୍କୁ ଗାଁ ପିଲାଙ୍କ ପାଖକୁ ଟାଣି ନେଲା। ଏବେ ସେ ନିଜ ସାନ ଭଉଣୀ ସହିତ ଗାଁର ଅନ୍ୟ ୨୨ଜଣ ପିଲାଙ୍କୁ ଏକାଠି ପାଠ ପଢ଼ାଉଛନ୍ତି। ଶୈଶବରେ ଥିବା ପିଲାଙ୍କୁ ଅକ୍ଷର ଶିଖାଉଛନ୍ତି। ଗାଁର ତାଲା ବନ୍ଦ ସ୍କୁଲ ଘରର ଅଚଳ କଳାପଟା ଏବେ କିନ୍ତୁ ସଚଳ ଦେଖି ଗ୍ରାମବାସୀ ମଧ୍ୟ ବେଶ ଖୁସି। ରଶ୍ମିତାଙ୍କ ଏଭଳି ମହତ କାମ ପାଇଁ ଆଜି ଜାତୀୟ କନ୍ୟା ଦିବସ ଅବସରରେ ତାଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କୁ ପ୍ରମାଣପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe