ଭାପୁର ବ୍ଲକ୍‌ ଅଧ୍ୟକ୍ଷାଙ୍କୁ ନିର୍ଯା‌ତନା ଓ ହତ୍ୟା ଧମକ ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଷ୍ଟ୍ରୀୟ ଦଳିତ ମହାସଭା

Advertisment
ଭାପୁର ବ୍ଲକ୍‌ ଅଧ୍ୟକ୍ଷାଙ୍କୁ ନିର୍ଯା‌ତନା ଓ ହତ୍ୟା ଧମକ ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଷ୍ଟ୍ରୀୟ ଦଳିତ ମହାସଭା

ଭୁବନେଶ୍ବର : ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଅଧ୍ୟକ୍ଷା‌ଙ୍କୁ ଉପାଧ୍ୟକ୍ଷଙ୍କ ପକ୍ଷରୁ ଦିଆ ଯାଉଥିବା ନିର୍ଯାତନା ପ୍ରସଙ୍ଗରେ ରାଷ୍ଟ୍ରୀୟ ଦଳିତ ମହାସଭା ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅଧ୍ୟକ୍ଷା ଶାନ୍ତିଲତା ବେହେରା ଜଣେ ଦଳିତ ମହିଳା ହୋଇଥିବାରୁ ଉପାଧ୍ୟକ୍ଷ ତାଙ୍କୁ ହତ୍ୟା ଧମକ ଦେବା ସହ ନାନା ପ୍ରକାର ମାନସିକ ନିର୍ଯାତନା ଦେଉଛନ୍ତି ବୋଲି ମହାସଭା ଅଭିଯୋଗ କରିଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିବାକୁ ସଂଗଠନ ଦାବି କରିଛି। ଏଥି ସହିତ ବ୍ଲକରେ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଅଧ୍ୟକ୍ଷାଙ୍କର ଜାଲ୍‌ ଦସ୍ତଖତ କରାଯାଇଥିବାରୁ ଭିଜିଲାନ୍‌ସ ତଦନ୍ତ ଦାବି କରାଯାଇଛି।

ଆଜି ଭୁବନେଶ୍ବରସ୍ଥିତ ହୋଟେଲ କେଶରୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳିତ ମହାସଭାର ରାଜ୍ୟ ସଭାପତି ଅଶୋକ କୁମାର ମଲ୍ଲିକ କହିଥିଲେ ଯେ ଭାପୁର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବେହେରା ଜଣେ ଅନୁସୂଚିତ ଜନଜାତି ବର୍ଗର ମହିଳା। ତେଣୁ ବ୍ଲକ ଉପାଧ୍ୟକ୍ଷ ତାଙ୍କୁ କୌଣସି ଉନ୍ନୟନମୂଳକ କାର୍ଯ୍ୟରେ ସାମିଲ କରୁ ନାହାନ୍ତି। ଏମିତିକି ଜୋର୍‌ ଜବରଦସ୍ତ ତାଙ୍କ ସିଲ୍, ଲେଟର୍‌ପ୍ୟାଡ୍‌, ଜାତି ପ୍ରମାଣପତ୍ର, ଭୋଟର୍‌ କାର୍ଡ, ଆଧାର କାର୍ଡ, ପଟ୍ଟାପାଉତି ଆଦି ଗୁରୁତ୍ବପୂର୍ଣ୍ଣ କାଗଜ ନେଇ ନିଜ ପାଖରେ ରଖିଛନ୍ତି। ଫଳରେ ତାଙ୍କ ଜାଲ୍ ଦସ୍ତଖତ କରି ବହୁ ଉନ୍ନତିମୂଳକ କାର୍ଯ୍ୟ ନ କରି ମିଥ୍ୟା ବିଲ୍ ମାଧ୍ୟମରେ ବିପୁଳ ଅର୍ଥ ଆତ୍ମସାତ୍‌ କରିଛନ୍ତି। କେବଳ ସେତିକି ନୁହେଁ, ଦୁଇ ବର୍ଷ ହେଲା ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟକୁ ଉପାଧ୍ୟକ୍ଷ ମାଡ଼ି ବସିଛନ୍ତି ଓ ଅଧ୍ୟକ୍ଷାଙ୍କୁ କାର୍ଯ୍ୟାଳୟର ଚାବି ମଧ୍ୟ ଦେଉନାହିଁନ୍ତି। ଏସବୁର ପ୍ରତିବାଦ କରିବାରୁ ଉପାଧ୍ୟକ୍ଷ ତାଙ୍କୁ ଜାତିଗତ ଆପେକ୍ଷ କରି ଗାଳି ଦେବା‌ ସହ ଜୀବନରେ ମାରି ଦେବାକୁ ଧମକ ଦେଇଛନ୍ତି। ଏବେ ଉପାଧ୍ୟକ୍ଷ ତାଙ୍କୁ ଅନାସ୍ଥା ପ୍ରସ୍ତାବ ବଳରେ ପଦବିରୁ ହଟାଇବାକୁ ଅଭିଯାନ ଆରମ୍ଭ କରିଛନ୍ତି। ୧୮ ଜଣ ସମିତି ସଭ୍ୟ ଓ ସରପଞ୍ଚଙ୍କ ମାଧ୍ୟମରେ ଅନାସ୍ଥା ପସ୍ତାବ ଆଣିଛନ୍ତି।

ମହାସଭା ପକ୍ଷରୁ କୁହାଯାଇଛି ଯେ ମୁଖ୍ୟମନ୍ତ୍ରୀ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇବା ସହ ଆଦିବାସୀ, ହରିଜନ ଓ ମହିଳାଙ୍କ ଉତ୍‌ଥାନକୁ ସଦାବେଳେ ଗୁରୁତ୍ବ ଦେଇ ଆସିଛନ୍ତି। ତେଣୁ ବ୍ଲକ ଅଧ୍ୟକ୍ଷାଙ୍କ ନାଁରେ ଆସିଥିବା ଉଦ୍ଦେଶ୍ୟମୂଳକ ଅନାସ୍ଥା ପ୍ରସ୍ତାବରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ କରନ୍ତୁ। ସରକାରଙ୍କ ଆଦିବାସୀ ଓ ହରିଜନ ଆଇନ ଅନୁଯାୟୀ ତୁରନ୍ତ ବ୍ଲକ୍‌ ଅଧ୍ୟକ୍ଷା ଓ ତାଙ୍କ ପରିବାରକୁ ସୁରକ୍ଷା ଦେବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ଉକ୍ତ ଘଟଣାରେ ବିହିତ କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ ରାଷ୍ଟ୍ରୀୟ ଦଳିତ ମହାସଭା ଆନ୍ଦୋଳନକୁ ଓହ୍ଲାଇବ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭଜମନ ବେହେରା, ଆମ୍ବେଦକର ବିଚାର ମଞ୍ଚର ରାଜ୍ୟ ସଭାପତି ଦେବରାଜ ନାଏକ ଓ ରାଷ୍ଟ୍ରୀୟ ଦଳିତ ମହାସଭା ରାଜ୍ୟ ଉପଦେଷ୍ଟା ରବିନାରାୟଣ ସେଠୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe