ବିପଦସଙ୍କୁଳ ଅବସ୍ଥାରେ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ରତନପୁର ସ୍ୱାସ୍ଥ୍ୟକେନ୍ଦ୍ର

Advertisment
ବିପଦସଙ୍କୁଳ ଅବସ୍ଥାରେ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ରତନପୁର ସ୍ୱାସ୍ଥ୍ୟକେନ୍ଦ୍ର

ଅସ୍ତରଙ୍ଗ : ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା କୋରଣା ପଞ୍ଚାୟତର ରତନପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏଥିପ୍ରତି କାହାର ନଜର ନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସ୍ୱାସ୍ଥ୍ୟକେନ୍ଦ୍ରର ଅବସ୍ଥା ଏବେ ଶୋଚନୀୟ ହୋଇପଡ଼ିଛି। ପୁରୁଣା କାନ୍ଥ ଫାଟି ଆଁ କରିଥିବା ବେଳେ ଆଜବେଷ୍ଟସ୍ ସବୁ ଭାଙ୍ଗିବାକୁ ବସିଲାଣି। ଗତ ‘ଫନି’ ବାତ୍ୟାରେ କୌଣସି ମତେ ସ୍ୱାସ୍ଥ୍ୟକେନ୍ଦ୍ରଟି ବର୍ତ୍ତି ଯାଇଥିଲା। ପ୍ରକାଶ ଥାଉକି, ଉପକୂଳରେ ୧୯୮୯ ମସିହାରୁ ସ୍ଥାପିତ ଏହି ସ୍ୱାସ୍ଥ୍ୟକେନ୍ଦ୍ରଟି ୬ ବଖରା ଆଜବେଷ୍ଟସ୍ ଘରେ ଚାଲିଛି। ଆୟୁଷ ଡାକ୍ତର ସୁଜିତ୍ କୁମାର ମହାନ୍ତି, ଫାର୍ମାସିଷ୍ଟ ଦାଶରଥି ତ୍ରିପାଠୀ, ଜଣେ ଏଏନ୍ଏମ୍‌ ନର୍ସ ଓ ଆଟେଣ୍ଡାଣ୍ଟ୍ ସ୍ଥାନୀୟ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି। ପ୍ରତିଦିନ ଏଠାକୁ ୩୦ରୁ ୪୦ଜଣ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି। କିନ୍ତୁ ସ୍ୱାସ୍ଥ୍ୟକେନ୍ଦ୍ରଟି ବିପଦସଙ୍କୁଳ ଅବସ୍ଥାରେ ଥିବାରୁ ରୋଗୀ ସେବାରେ ବ୍ୟାଘାତ ସୃଷ୍ଟି ହୋଇଛି। ସ୍ୱାସ୍ଥ୍ୟକେନ୍ଦ୍ରର ମରାମତି ପାଇଁ ବିଭାଗୀୟ ଅଧିକାରୀ କୌଣସି ଆନ୍ତରିକତା ଦେଖାଉ ନଥିବା ଅଭିଯୋଗ ହୋଇଛି।

publive-image

ସ୍ୱାସ୍ଥ୍ୟକେନ୍ଦ୍ରର ଅବସ୍ଥା ସୁଧାରିବାକୁ ବହୁବାର ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ବି କୌଣସି ସୁଫଳ ମିଳିପାରୁ ନଥିବା ସ୍ଥାନୀୟ ଲୋକେ କହିଛନ୍ତି। ଏ ସଂପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ମଧ୍ୟ ଅବଗତ କରାଯାଇଥିବା ଡାକ୍ତର ଶ୍ରୀ ମହାନ୍ତି କହିଛନ୍ତି। ଅନ୍ୟପକ୍ଷରେ ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ଭାବେ ଘୋଷଣା କରାଯାଇଛି। ଏହି ଦୃଷ୍ଟିରୁ ଡାକ୍ତରଖାନା ଛାତ ଘରେ ଚାଲିବା କଥା। ସେହିପରି ଅନ୍ୟାନ୍ୟ ସୁବିଧା ସୁଯୋଗ ମିଳିବା ପାଇଁ ମଧ୍ୟ ନିୟମ ରହିଛି। ମାତ୍ର ଏଥିପ୍ରତି କାହାର ନଜର ପଡ଼ୁ ନାହିଁ। ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ରଟି କୋରଣା ପଞ୍ଚାୟତ ଅଧୀନରେ ଯାଉଛି। ଏହି ପଞ୍ଚାୟତରୁ ସ୍ୱାଧୀନ ନାୟକ ପଞ୍ଚାୟତ ନିର୍ବାଚନରେ ଜିତି ଅସ୍ତରଙ୍ଗ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦରେ ରହିଛନ୍ତି। ମାତ୍ର ସ୍ୱାସ୍ଥ୍ୟକେନ୍ଦ୍ରର ଅବସ୍ଥା ସମ୍ପର୍କରେ ପ୍ରଶାସନକୁ ସ୍ଥାନୀୟ ଲୋକେ ଓ ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀ ବହୁବାର ଜଣାଇବା ପରେ ବି ଏହାର ମରାମତି ହେଉନାହିଁ। ଅପରପକ୍ଷେ ପ୍ରଶାସନ ଅନୁଦାନ ମଞ୍ଜୁର କଲେ ପୁରୁଣା ଘରଗୁଡ଼ିକୁ ଭାଙ୍ଗି ନୂଆ ଘର ତିଆରି ହେବ ବୋଲି ଶ୍ରୀ ନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe