ପୁରୀ: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହୋଇଯାଇଛି। ରଥ ନିର୍ମାଣ ଅନୁକୂଳ ପାଇଁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଛାମୁଣ୍ଡିଆ ବନ୍ଧା ହୋଇଛି। ତିନି ଧଉରା କାଠ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ସମ୍ମୁଖରେ ପୂଜାର୍ଚ୍ଚନା କରାଯାଇଛି। ଅପରାହ୍ଣ ପ୍ରାୟ ୪ଟାରେ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ବନଜାଗ ବିଧିରେ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହୋଇଛି। ଦେଉଳ ପୁରୋହିତ, ଶ୍ରୀନଅର ରାଜଗୁରୁ, ବେଦଜ୍ଞ ବ୍ରାହ୍ମଣମାନେ ସ୍ବତନ୍ତ୍ର ଭାବେ ନିର୍ମିତ ଯଜ୍ଞଶାଳାରେ ଯଜ୍ଞ କରିଛନ୍ତି। ବନଜାଗର ଇଷ୍ଟଦେବ ପ୍ରଭୁ ନୃସିଂହଙ୍କୁ ନୃସିଂହଙ୍କ ମନ୍ତ୍ରରେ ପୂଜାପାଠ ସହ ଯଜ୍ଞ ଆହୁତି ଦିଆଯାଇଛି। ଶ୍ରୀମନ୍ଦିରରୁ ଶ୍ରୀଜିଉଙ୍କ ତିନି ଅଜ୍ଞାମାଳ ବିଜେ ପରେ ଛାମୁଣ୍ଡିଆ ଭିତରେ ରହିଥିବା ତିନି ରଥକାଠରେ ଲାଗି ହୋଇଛି। ପୂର୍ବରୁ ସ୍ୱତନ୍ତ୍ର ବିଧି ଅନୁସାରେ ମା’ ଦକ୍ଷିଣକାଳୀଙ୍କ ମନ୍ତ୍ରରେ ଅଭିମନ୍ତ୍ରିତ ସୁନାର ତିନୋଟି ଛୋଟ କୁରାଢ଼ୀରେ ପ୍ରଥମେ ଦେଉଳ ପୁରୋହିତ ତିନି ଅସନ କାଠକୁ ଚୋଟ ମାରିବା ପରେ ବିଶ୍ୱକର୍ମାମାନେ ରଥକାର୍ଯ୍ୟରେ ନିୟୋଜିତ ହୋଇଥିଲେ। ସେହି ଅନୁଯାୟୀ ଶାଢ଼ୀ ବନ୍ଧା ଓ ଅନ୍ୟାନ୍ୟ ନୀତି ସମ୍ପନ୍ନ ହୋଇଥିଲା।
/sambad/media/post_attachments/wp-content/uploads/2022/05/Capture୨.jpg)
ରଥ ସଂହିତା ଅନୁଯାୟୀ, ସରସ୍ୱତୀ ପୂଜାରେ ରଥକାଠ ଅନୁକୂଳ, ଶ୍ରୀରାମ ନବମୀରେ ରଥ କାଠ ଚିରଟ ଅନୁକୂଳ ଓ ଅକ୍ଷୟ ତୃତୀୟାରେ ରଥ ନିର୍ମାଣ କାମ ଅନୁକୂଳ ପରେ ରଥ ନିର୍ମାଣ କାମ ଆରମ୍ଭ ହେବ। ଭଉଁରୀରେ ଚକ ଡେରା କାମ ଆରମ୍ଭ ଓ ଶୀତଳଷଷ୍ଠୀରେ ଚକଡେରା କାର୍ଯ୍ୟ ଶେଷ ହେବ। ନୃସିଂହ ଚତୁର୍ଦ୍ଦଶୀରେ କୋଣଗୁଜ ଅନୁକୂଳ ଓ ସ୍ନାନପୂର୍ଣ୍ଣିମାରେ ରଥ ଚାରିନାହାକା ଉଠିବ।
/sambad/media/post_attachments/wp-content/uploads/2022/05/66eeb0dd-6e43-4480-a53f-fef79a1ee0ab.jpg)
ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ସକାଳେ ବନଯାଗ ବିଧିରେ ରଥ ପ୍ରତିଷ୍ଠା ପରେ ବଡ଼ଦାଣ୍ଡରେ ରଥ ଗଡ଼ିବ। ରଥ ସଂହିତା ଅନୁଯାୟୀ, ତିନି ରଥ ନିର୍ମାଣ ପାଇଁ ୪୨୬ ଖଣ୍ଡ ଧଉରା, ୩୬୪ ଖଣ୍ଡ ଅସନ, ୭୨ ଖଣ୍ଡ ଫାଶି ଓ ୩ ଖଣ୍ଡ ଶିମିଳି କାଠ, ଏପରି ମୋଟ ୮୬୫ ଖଣ୍ଡ କାଠ ଆବଶ୍ୟକ ଥାଏ। ପୂର୍ବ ବର୍ଷର ୮୦ ଖଣ୍ଡ କାଠ ବଳକା ରହିଥିବାରୁ ଚଳିତ ବର୍ଷ ୭୮୫ ଖଣ୍ଡ ରଥକାଠ ଯୋଗାଇଦେବାକୁ ଶ୍ରୀମନ୍ଦିର ପ୍ରଶାସନ ନୟାଗଡ଼ ବନଖଣ୍ଡକୁ ଚିଠି କରିଛି। ୭୮୫ ଖଣ୍ଡ କାଠ ମଧ୍ୟରୁ ୪୨୨ ଖଣ୍ଡ କଟକ ଖପୁରିଆସ୍ଥିତ ସ’ ମିଲ୍କୁ ଯିବ। ବାକି ୩୬୩ ଖଣ୍ଡ କାଠ ରଥଖଳାକୁ ଆସିବ। ଇତିମଧ୍ୟରେ ଶହେରୁ ଅଧିକ ଖଣ୍ଡ ରଥକାଠ ଆସି ଶ୍ରୀକ୍ଷେତ୍ରରେ ପହଞ୍ଚିଛି। ପର୍ଯ୍ୟାୟକ୍ରମେ ବାକି କାଠ ପହଞ୍ଚିବ।
/sambad/media/post_attachments/wp-content/uploads/2022/05/48bb4363-2c34-4b3d-80c4-beb22b5cd321-1-e1651575797881.jpg)
Follow Us