ରଥଯାତ୍ରା ଦ୍ବିତୀୟ ସମନ୍ବୟ ବୈଠକ : ସ୍ନାନଯାତ୍ରା ପୂର୍ବରୁ ସରିବ ଅଧପନ୍ତରିଆ କାମ

Advertisment

ଖୋଲିବ ୬୨ ରେଳ ଟିକେଟ୍ କାଉଣ୍ଟର୍‌, ନଜର ରଖିବ ୧୫୦ ପ୍ଲାଟୁନ୍ ଫୋର୍ସ, ବସ୍‌ ଭଡ଼ା ଅଧିକ ନେଲେ କାର୍ଯ୍ୟାନୁଷ୍ଠାନ

ଖୋଲିବ ୬୨ ରେଳ ଟିକେଟ୍ କାଉଣ୍ଟର୍‌, ନଜର ରଖିବ ୧୫୦ ପ୍ଲାଟୁନ୍ ଫୋର୍ସ, ବସ୍‌ ଭଡ଼ା ଅଧିକ ନେଲେ କାର୍ଯ୍ୟାନୁଷ୍ଠାନ

ରଥଯାତ୍ରା ଦ୍ବିତୀୟ ସମନ୍ବୟ ବୈଠକ : ସ୍ନାନଯାତ୍ରା ପୂର୍ବରୁ ସରିବ ଅଧପନ୍ତରିଆ କାମ

ପୁରୀ : ଆଉ ମାସକ ପରେ ଶ୍ରୀକ୍ଷେତ୍ରର ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଏହି ଅବସରରେ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ଦୃଷ୍ଟିରୁ ସ୍ନାନଯାତ୍ରା ପୂର୍ବରୁ ଅଧପନ୍ତରିଆ କାମ ‌ସବୁ ଶେଷ କରିବାକୁ ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ବ ମରାମତି କାମ ଯଥାଶୀଘ୍ର ସଂପୂର୍ଣ୍ଣ ହେବ। ବଡ଼ଦାଣ୍ଡକୁ ଜବରଦଖଲମୁକ୍ତ କରାଯିବ। ରଥଯାତ୍ରା ସମୟରେ ବର୍ଷାପାଣି ନିଷ୍କାସନ ସବୁଠୁ ବଡ଼ ଆହ୍ବାନ ହୋଇଥିବାରୁ ଡ୍ରେନେଜ୍‌ କାମକୁ ଯଥେଷ୍ଟ ପ୍ରାଧାନ୍ୟ ଦିଆଯିବ। ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ବଡ଼ଦାଣ୍ଡସ୍ଥିତ ଭକ୍ତନିବାସଠାରେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଅନିଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦ୍ବିତୀୟ ସମନ୍ବୟ ବୈଠକରେ ଏହିସବୁ ନିଷ୍ପତ୍ତି ନିଆଯାଇଛି।

ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଥିବା ବୈଠକରେ ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଥିଲା। ପ୍ରତିବର୍ଷ ଭଳି ଚଳିତ ବର୍ଷ ରଥ ଦଉଡ଼ି କତା ନିଗମ ଦେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଥିଲା। ରଥଖଳାକୁ ନିୟମିତ ପରିଷ୍କାର ସହ ପାନୀୟ ଜଳ, ବିଦ୍ୟୁତ୍, ଆମ୍ବୁଲାନ୍ସ, ବର୍ଷାଜଳ ନିଷ୍କାସନ, ପ୍ରାଥମିକ ସ୍ବାସ୍ଥ୍ୟ ବ୍ୟବସ୍ଥା ଆଦି ସ୍ଥିତି ସମୀକ୍ଷା କରାଯାଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ବାସ୍ଥ୍ୟସେବା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଅଚଳ ଆଇସିୟୁ କାର୍ଯ୍ୟକ୍ଷମ ଉପରେ ଗୁରୁତ୍ବ ଦିଆଯାଇଥିଲା। ଆବଶ୍ୟକ ସଂଖ୍ୟକ ଡାକ୍ତର, ଶଯ୍ୟା ଆଦି ବ୍ୟବସ୍ଥା ଉପରେ ଗୁରୁତ୍ବ ଦିଆଯାଇଥିଲା। ଖାଦ୍ୟ ଅପମିଶ୍ରଣ ରୋକିବା ନେଇ ସ୍ବତନ୍ତ୍ର ସ୍କ୍ବାଡ୍ ଗଠନ ଉପରେ ଆଲୋଚନା ହୋଇଥିଲା। ପୁଲିସ କ୍ୟାମ୍ପରେ ପାନୀୟ ଜଳ ସୁବିଧା ପାଇଁ ୫୪ଟି ଷ୍ଟାଣ୍ଡପୋଷ୍ଟରେ ୨୪ ଘଣ୍ଟିଆ ଜଳଯୋଗାଣ ବ୍ୟବସ୍ଥା କରାଯାଇଥିବା ଜନସ୍ବାସ୍ଥ୍ୟ ବିଭାଗ ଯନ୍ତ୍ରୀ ସୂଚନା ଦେଇଥିଲେ। ସହର ଭିତରେ ଥିବା ୯ଟି ଓଭରହେଡ୍ ଟ୍ୟାଙ୍କ ସଫେଇ କରାଯିବ ବୋଲି ସେ କହିଛନ୍ତି। ପୁରୀରେ ୧୧୪ଟି ହୋଟେଲରେ ପାଣି ନମୁନା ଯାଞ୍ଚ କରାଯାଇଥିବାବେଳେ ୧୯ଟି ହୋଟେଲରେ ପାନୀୟ ଜଳ ପିଇବା ଯୋଗ୍ୟ ନଥିବା ଜନସ୍ବାସ୍ଥ୍ୟ ବିଭାଗ ଯନ୍ତ୍ରୀ ସୂଚନା ଦେଇଥିଲେ। ସହରରେ ଦୁଇଦିନ ଭିତରେ ଓ ଗ୍ରାମାଞ୍ଚଳରେ ୧୫ ଦିନ ଭିତରେ ବିଦ୍ୟୁତ୍ ସେବା ସ୍ବାଭାବିକ ହେବ ବୋଲି ଆଜିର ବୈଠକରେ ସେସୁର ଅଧିକାରୀମାନେ ସୂଚନା ଦେଇଥିଲେ। ଗାଡ଼ି ଚାଳକଙ୍କ ଗତି ଉପରେ ନଜର ରଖିବା ପାଇଁ ବାହାରୁ ୪ଟି ଇଣ୍ଟସେପ୍ଟର ଆସିବ ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ସୂଚନା ଦେଇଥିଲେ। ସେହିପରି ରଥଯାତ୍ରା ସମୟରେ ଯାତ୍ରୀ ଭଡ଼ା ସଂପର୍କରେ ବିଭିନ୍ନ ସ୍ଥାନରେ ସୂଚନା ଫଳକ ଲଗାଯିବ। ଯଦି ଧାର୍ଯ୍ୟ ଦରଠାରୁ ଅଧିକ ଭଡ଼ା ନେଲେ, କାର୍ଯ୍ୟାନୁଷ୍ଠାନ ହେବ ବୋଲି ନି‌େ୍ପତ୍ତି ହୋଇଛି। ରଥଯାତ୍ରା ସମୟରେ ସହରର ବିଭିନ୍ନ ସ୍ଥାନରେ ୬୨ଟି ରେଳ ଟିକେଟ୍ କାଉଣ୍ଟର ଖୋଲାଯିବ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।

ସହରରେ ଥିବା ଡ୍ରେନ୍‌ଗୁଡ଼ିକର ମରାମତି ଓ ସଫେଇ କାମ ଜୁନ ୧୫ ପୂର୍ବରୁ ସାରିବାକୁ ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର ଚାରିପାଖ ରାସ୍ତା ମରାମତି ସହ ବାଟଗାଁଠାରୁ ମେଡିକାଲ୍ ଛକ ପର୍ଯ୍ୟନ୍ତ ଚାଲିଥିବା ଜାତୀୟ ରାଜପଥ କାମ ଜୁନ୍ ୨୫ ପୂର୍ବରୁ ‌ଶେଷ ହେବ ବୋଲି ବିଭାଗୀୟ ଅଧିକାରୀମାନେ ସୂଚନା ଦେଇଛନ୍ତି। ବଡ଼ଦାଣ୍ଡ ଜବରଦଖଲମୁକ୍ତ କରି ଆବଶ୍ୟକ ମରାମତି କାର୍ଯ୍ୟ ଆରମ୍ଭ କରିବା ଉପରେ ବି ଗୁରୁତ୍ବ ଦିଆଯାଇଛି।

ଆଇନଶୃଙ୍ଖଳା ଉପରେ ନଜର ରଖିବା ପାଇଁ ୧୫୦ ପ୍ଲାଟୁନ୍ ଫୋର୍ସ ଚଳିତ ରଥଯାତ୍ରାରେ ମୁତୟନ କରାଯିବ ବୋଲି ଆରକ୍ଷୀ ଅଧୀକ୍ଷକ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି। ଆଜିର ବୈଠକରେ ନବନିର୍ବାଚିତ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ପୁଲିସ ଆଇଜି ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ, ଜିଲ୍ଲାପାଳ ବଲୱନ୍ତ ସିଂ, ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାସ, ଉପଜିଲ୍ଲାପାଳ ଭବତାରଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe