ଅପେକ୍ଷାରେ ‘ଗୁଣ୍ଡିଚା’, ଗୁଣ୍ଡିଚା ନାମକରଣକୁ ନେଇ ରହିଛି ଭିନ୍ନଭିନ୍ନ ମତ

Advertisment
ଅପେକ୍ଷାରେ ‘ଗୁଣ୍ଡିଚା’, ଗୁଣ୍ଡିଚା ନାମକରଣକୁ ନେଇ ରହିଛି ଭିନ୍ନଭିନ୍ନ ମତ

ପୁରୀ: ଜ୍ବରରୁ ଉଠିଛନ୍ତି କାଳିଆ ସାଆନ୍ତ। ମନେ ପଡ଼ିଲାଣି ଜନ୍ମ ମାଟି ଗୁଣ୍ଡିଚା ଘର। ରାତି ପାହିଲେ ଭାଇ ଭଉଣୀଙ୍କ ସାଙ୍ଗେ ଯିବେ ଗୁଣ୍ଡିଚା ବାଡ଼ି। ବିଶ୍ବନିୟନ୍ତାଙ୍କ ପାଦ ସ୍ପର୍ଶରେ ଗୁଣ୍ଡିଚା ମନ୍ଦିର ପାଲଟିବ ବୈକୁଣ୍ଠ। ତେବେ କିଏ ସେ ‘ଗୁଣ୍ଡିଚା’? କାହିଁକି ପ୍ରଭୁଙ୍କର ଅତି ପ୍ରୀତିପଦ ‘ଗୁଣ୍ଡିଚା’ ମଣ୍ଡପ? ନୃସିଂହ କ୍ଷେତ୍ର ଅଧୀନସ୍ଥ ଗୁଣ୍ଡିଚା ମନ୍ଦିରର ନାମକରଣକୁ ନେଇ ରହିଛି ଗବେଷକଙ୍କ ଭିନ୍ନ ଭିନ୍ନ ମତ। ଯଦିଓ ଗବେଷଣାର ଅନ୍ତ ନାହିଁ, କିନ୍ତୁ ଏଯାବତ ଗବେଷକମାନେ ଦେଇଥିବା ମତ ବେଶ୍‌ ପ୍ରାସଙ୍ଗିକ ମନେହୁଏ।

ଗବେଷକ ଗୟାଚାନ୍ଦ ତ୍ରିପାଠୀଙ୍କ ମତ ମୁତାବକ, ଇନ୍ଦ୍ରଦ୍ୟୁମ୍ନ ମହାରାଣୀଙ୍କର ନାମ ‘ଗୁଣ୍ଡିଚା’ ହୋଇଥିବାରୁ ଏହି ଯାତ୍ରା ତାଙ୍କ ନାମରେ ଅଭିହିତ ହୋଇଛି। ବ୍ରହ୍ମ ପୁରାଣର ୬୬ ଅଧ୍ୟାୟ ୧୬୮ ଶ୍ଳୋକରେ ଉଲ୍ଲେଖ ଥିବା ‘ଗୁଣ୍ଡିକା’ ଶବ୍ଦରୁ ‘ଗୁଣ୍ଡିଚା’ର ସୃଷ୍ଟି ବୋଲି ମତ ପ୍ରଦାନ କରିଛନ୍ତି ବିଶିଷ୍ଟ ଗବେଷକ ଡ.ଗୋପୀନାଥ ମହାପାତ୍ର। ତାଙ୍କ ମତରେ ଗୁଣ୍ଡର ଅର୍ଥ ଲୁଚାଇବା। ଯଜ୍ଞ ବେଦିରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଆବିର୍ଭାବ ସମୟରେ ଏକ ପଟ୍ଟବସ୍ତ୍ର ଦ୍ବାରା ଆଚ୍ଛାଦିତ କରି ଲୁଚାଇବା ଭଳି ରଖାଯାଇଥିଲା। ଏଥିରୁ ଗୁଣ୍ଡିକା ଶବ୍ଦର ଅପଭ୍ରଂଶ ହୋଇ ଗୁଣ୍ଡିଚା ମନ୍ଦିର ହୋଇଥିବା ସେ ଯୁକ୍ତି ବାଢ଼ନ୍ତି। ତେଣୁ ଜନ୍ମବେଦିକୁ ଯାତ୍ରା କରିବାକୁ ଗୁଣ୍ଡିଚା ଯାତ୍ରା ଓ ମନ୍ଦିରକୁ ଶ୍ରୀଗୁଣ୍ଡିଚା କୁହାଯାଇଛି ବୋଲି ସେ ଉଲ୍ଲେଖ କରିଛନ୍ତି।

publive-image

ଅନ୍ୟତମ ଗବେଷକ ଡ.ହରିହର କାନୁନଗୋଙ୍କ ମତାନୁଯାୟୀ, ଶ୍ରୀଜଗନ୍ନାଥଙ୍କର ଯାତ୍ରାକୁ ଗୁଣ୍ଡିଚା ଯାତ୍ରା କୁହାଯାଉଥିବାରୁ ଏହି ସ୍ଥାନର ନାମ ଗୁଣ୍ଡିଚା ଘର ହୋଇଥିବା ଅନୁମାନ କରାଯାଏ। ଏହି ଗୁଣ୍ଡିଚା କ୍ଷେତ୍ର ପ୍ରାରମ୍ଭିକ ଅବସ୍ଥାରେ ଏକ ଅବାରଣଯୁକ୍ତ ମଣ୍ଡପ ଭଳି ଥିବାରୁ ତାହାକୁ ଗୁଣ୍ଡିଚା ମଣ୍ଡପ ବା ଆଡ଼ପ ମଣ୍ଡପ କୁହାଯାଉଥିଲା। କାଳକ୍ରମେ ସେହି ମଣ୍ଡପର ରକ୍ଷଣାବେକ୍ଷଣ କରି ସ୍ଥାୟୀ କୁଟୀର ନିର୍ମିତ ହୋଇଥିଲା। ତାହାକୁ ଗୁଣ୍ଡିଚା ଘର କୁହାଗଲା। ପରବର୍ତ୍ତୀ ସମୟରେ ଗଙ୍ଗବଂଶର ରାଜତ୍ବ ସମୟରେ ଯେଉଁ ପରିଦୃଶ୍ୟମାନ ମନ୍ଦିର ନିର୍ମିତ ହୋଇଛି, ତାହା ଗୁଣ୍ଡିଚା ମନ୍ଦିର ଭାବେ ନାମିତ ହୋଇଛି।

ଗବେଷକ ଡ.ବେଣି ମାଧବ ପାଢ଼ୀ ତାଙ୍କ ରଚିତ ‘ଦାରୁ ଦେବତା’ ପୁସ୍ତକରେ ଲେଖିଛନ୍ତି ଯେ ଗୁଣ୍ଡିଚା ଶବ୍ଦ ‘ଗୁଡ଼ିସା’ରୁ ନଆସି ‘କୁନ୍‌ଡିଜା’ ଶବ୍ଦର ଅପଭ୍ରଂଶରୁ ସୃଷ୍ଟି ହୋଇଛି। ଏହା ପଛରେ ତାଙ୍କର ଯୁକ୍ତି ହେଉଛି, ସୌର ଭାଷଶରେ ‘କୁନ୍‌’ର ଅର୍ଥ ‘ସେହି’ ଓ ‘ଡିଜା’ର ଅର୍ଥ ‘ଗଣ୍ଡି’ ହୋଇଥିବାରୁ ଶବର ଦେବତା ଭାବରେ ପୂଜିତ ହେଉଥିବା ଗଣ୍ଡି ଓ ଦାରୁ ପୂଜାକୁ ଗୁରୁତ୍ବ ଦିଆଯାଇଛି। ଏହି ଦାରୁଖଣ୍ଡି ବା ମାଦଳର ରୂପାନ୍ତର ହୋଇଥିବାରୁ ସେଇ ଗୁଣ୍ଡିଚା ମଣ୍ଡପରେ ଗଣ୍ଡି ରୂପେ ମହାପ୍ରଭୁ ଉପାସିତ ହୋଇଥିଲେ। ଏହି ମତକୁ ଅଧ୍ୟାପକ ହରପ୍ରସାଦ ମିଶ୍ର ମଧ୍ୟ ସମର୍ଥନ କରିଛନ୍ତି।

publive-image BhaktiBharat.com

ସ୍କନ୍ଦ ପୁରାଣରେ ଦର୍ଶନ ମହତ୍ତ୍ବ

ସ୍କନ୍ଦ ପୁରାଣ ମୁତାବକ ମହାପ୍ରଭୁ ଗୁଣ୍ଡିଚା ମଣ୍ଡପ ବା ମହାବେଦିକୁ ଆସୁଥିବାରୁ ଏହି ମହାବେଦି ମହୋତ୍ସବ ସମୟରେ ଯେଉଁମାନେ ଆନନ୍ଦ ମନରେ ସହୃଦୟ ନେଇ ଭକ୍ତି ଭାବରେ ମହାପ୍ରଭୁଙ୍କ ଦର୍ଶନ କରନ୍ତି, ସେମାନଙ୍କର ନିଃସନ୍ଦେହରେ ବୈକୁଣ୍ଠ ବାସ ହୁଏ। ଏହା ଅପେକ୍ଷା ଅଧିକ ଶ୍ରେୟସ୍କର ବିଷ୍ଣୁ ମହୋତ୍ସବ ଅନ୍ୟ କୌଣସି ଶାସ୍ତ୍ରରେ ଦେଖାଯାଏ ନାହିଁ। ୫୭ରୁ ୬୦ ଅଧ୍ୟାୟ ମଧ୍ୟରେ ଏହା ବି ଉଲ୍ଲେଖ ଅଛି ଯେ ଏହି ସମୟରେ ଦେବଗଣ ମହାବେଦି ଉତ୍ସବକୁ ଆଗମନ କରନ୍ତି। ଏହି ମହୋତ୍ସବରେ ନାମ ସଂକୀର୍ତ୍ତନ କଲେ ଶତଶତ ଜନ୍ମର ପାତକ ନଷ୍ଟ ହୋଇଥାଏ।

ରାଣୀ ଓ ଗୁଣ୍ଡିଚା ମନ୍ଦିର

ଗଙ୍ଗ ସାମ୍ରାଜ୍ୟର ପ୍ରତିଷ୍ଠାତା ଅନନ୍ତ ବର୍ମା ଚୋଡ଼ଗଙ୍ଗ ଦେବଙ୍କ ପଟ୍ଟ ମହାଦେବୀ ଗୋଣ୍ଡ ଚୋଡ଼ ନିଜର ନାମକୁ ପ୍ରସିଦ୍ଧ କରିବା ପାଇଁ ଗୁଣ୍ଡିଚା ମନ୍ଦିର ନିର୍ମାଣ କରାଇଥିଲେ। ଓଡ଼ିଆ ଭାଷାରେ ଗୋଣ୍ଡଚୋଡ଼ ଗୁଣ୍ଡିଚା ନାମରେ ପରିଚିତ ହୋଇଥିବାରୁ ଏହାର ନାମ ଗୁଣ୍ଡିଚା ମଣ୍ଡପ ହୋଇଛି ଓ ଏହା ରଥଯାତ୍ରା ସହ ସମ୍ପୃକ୍ତ ହୋଇଛି। ପଟ୍ଟ ମହାଦେବୀ ଗୋଣ୍ଡଚୋଡ଼ଙ୍କ ନାମ ୧୨୨୮ ଖ୍ରୀଷ୍ଟାବ୍ଦର ଦ୍ରାକ୍ଷାରାମ ମନ୍ଦିରରେ ପ୍ରବର୍ତ୍ତିତ ଅଭିଲେଖରୁ ପ୍ରାପ୍ତ ହୋଇଛି। ତେଣୁ ରଥଯାତ୍ରା ସମ୍ରାଟ ଚୋଡ଼ଗଙ୍ଗ ଦେବଙ୍କ ସମୟରେ ପ୍ରବର୍ତ୍ତିତ ହୋଇଥିଲା ବୋଲି ଐତିହାସିକ କେଦାରନାଥ ମହାପାତ୍ର ବଳିଷ୍ଠ ଯୁକ୍ତି ବାଢ଼ିଛନ୍ତି।

ଐତିହାସିକଙ୍କ ମତରେ ରଥଯାତ୍ରା

ବିଶିଷ୍ଟ ଐତିହାସିକ ଡ.ସତ୍ୟନାରାୟଣ ରାଜଗୁରୁଙ୍କ ଆଲେଖ୍ୟ ମୁତାବକ, ୧୨୨୩ ଖ୍ରୀଷ୍ଟାବ୍ଦ ପରବର୍ତ୍ତୀ କାଳରେ ରଥଯାତ୍ରା ପ୍ରଚଳନ ହୋଇଛି। ଶ୍ରୀ ରାଜଗୁରୁଙ୍କ ମତରେ ୧୨୨୩ ଖ୍ରୀଷ୍ଟାବ୍ଦ ପରେ କୌଣସି ସମୟରେ ଶ୍ରୀଜଗନ୍ନାଥଙ୍କ ଦାରୁ ବିଗ୍ରହ ନିର୍ମିତ ହେବା ପରେ ଓ ଆଦିବାସୀ ‘ଦଇତାମାନେ’ ଶ୍ରୀଜଗନ୍ନାଥଙ୍କ ସେବକ ରୂପେ ନିଯୁକ୍ତ ହେବା ପରେ ରଥଯାତ୍ରାର ସୃଷ୍ଟି ହୋଇଅଛି। ଐତିହାସିକ କେଦାରନାଥନ ମହାପାତ୍ର ରଥଯାତ୍ରାର କାଳ ନିରୂପଣ କରି ଲେଖିଛନ୍ତି, ଦ୍ବାଦଶ ଶତାବ୍ଦୀ ଅବା ତାହାର ପୂର୍ବବର୍ତ୍ତୀ ସମୟରୁ ରଥଯାତ୍ରା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe