ରଥଖଳା ଚଳଚ‌ଞ୍ଚଳ : ଉଠିଲା ତୃତୀୟ ଭୁଇଁ, ଲାଗିଲା ପୋଟଳ

Advertisment
ରଥଖଳା ଚଳଚ‌ଞ୍ଚଳ : ଉଠିଲା ତୃତୀୟ ଭୁଇଁ, ଲାଗିଲା ପୋଟଳ

ପୁରୀ : ଆଉ ୭ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଏହାର ଦିନକ ପୂର୍ବରୁ ସିଂହଦ୍ବାର ସମ୍ମୁଖ ରଥଚକଡ଼ାକୁ ଯିବେ ତିନି ରଥ। ଏଥି ପାଇଁ ଚଳଚଞ୍ଚଳ ହୋଇଉଠିଛି ରଥଖଳା। ରଥ ନିର୍ମାଣ କାର୍ଯ୍ୟ ପଛେଇ ଯାଇଥିବାରୁ ଓଭରଟାଇମ୍ କାମ କରି ଏହାକୁ ଶେଷ ପର୍ଯ୍ୟାୟରେ ପହଞ୍ଚାଇବା ଲାଗି ଦିନରାତି ଏକ କରି ଦେଇଛନ୍ତି ବିଶ୍ବକର୍ମା ସେବକ। ବିଶ୍ବକର୍ମାଙ୍କ ସହ ତାଳ ଦେଇ ଭୋଇ ସେବକମାନେ ବି କାମରେ ଲାଗି ପଡ଼ିଛନ୍ତି। ଆବଶ୍ୟକ କାଠ ଯୋଗାଇ ରଥ ଉପରକୁ ଭୂଇଁ ଉଠାଇବା ସହ ଅନ୍ୟାନ୍ୟ କାମକୁ ଜୋର୍‌ସୋର୍‌ରେ ଆଗେଇ ନେଇଛନ୍ତି। ଗତକାଲି ଦ୍ବିତୀୟ ଭୁଇଁ କାମ ଶେଷ ପରେ ଆଜି ତୃତୀୟ ଭୁଇଁ କାମ ଶେଷ ହୋଇଛି। ଏହାସହ ତୃତୀୟ ଭୁଇଁ ଟୁଙ୍ଗୁରା କାମ ବି ଶେଷ ହୋଇଛି। ସେପଟେ ପୋଟଳ କାମ ଆଜି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତୃତୀୟ ଭୁଇଁ କାମ ପରେ ପୋଟଳ ଓରା, ପୋଟଳ ଖମ୍ବି, ପୋଟଳ ତାରେଣୀ ଆଦି ସଂଯ‌ୋଗ କାମ ଶେଷ ହୋଇଛି। ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ବରେ ଭୋଇ ସେବକମାନେ ପୋଟଳ କାମ ଶେଷ କରିବା ପରେ ହରିବୋଲ ପକାଇଛନ୍ତି। ସେପଟେ ରୂପକାର ସେବକମାନେ କଳସ ପ୍ରସ୍ତୁତିରେ ଲାଗିଥିବା ବେଳେ ଚିତ୍ରକର ସେବକମାନେ ତିନିରଥର ଚକ ସହ ଗୁଜ ରଙ୍ଗ କାମକୁ ତ୍ବରାନ୍ବିତ କରିଛନ୍ତି। ଦୋଳ ବେଦି କମାରଶାଳରେ ଓଝା ସେବକମାନେ ପୋଟଳ ଆଦି କଣ୍ଟା କାମ ଶେଷ କରିବା ପରେ ଆନ୍ୟାନ୍ୟ କଣ୍ଟା କାମକୁ ଆଗେଇ ନେଇଛନ୍ତି। ଦର୍ଜୀ ସେବକମାନେ ରଥ କନା କାମକୁ ଶେଷ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe