ରଥଖଳା ହାଲଚାଲ: ଚକରେ ପଇ, ବଳା ପିନ୍ଧା ଜାରି

Advertisment
ରଥଖଳା ହାଲଚାଲ: ଚକରେ ପଇ, ବଳା ପିନ୍ଧା ଜାରି

ପୁରୀ: ବଡ଼ଦାଣ୍ଡ ରଥଖଳାରେ ଆଜି ରଥ ନିର୍ମାଣ କାର୍ଯ୍ୟ ୧୪ ଦିନରେ ପହଞ୍ଚିଛି। ଆଜି କାମ ଶେଷ ସୁଦ୍ଧା ମହାରଣା ସେବକମାନେ ତିନି ରଥର ପଇ ବିନ୍ଧ ସହ ତୀଖଗୁଜ, ଜଳଯନ୍ତ୍ର, କୁଡୁକା ନିର୍ମାଣ କାମ ଜାରି ରଖିଛନ୍ତି। ପନ୍ଦାରି ବଳା ପିନ୍ଧା ସହ ଠେକ କାର୍ଯ୍ୟ ଜାରି ରହିଛି। ରୂପକାର ସେବକଙ୍କ ଦ୍ୱାରା ରୂପ ଖୋଦେଇ କାର୍ଯ୍ୟ ଜାରି ରହିଛି। ଗତକାଲି ୯ଟି ଚକ ପାଇଁ ଅରଯୁକ୍ତ ତୁମ୍ବରେ ପଇ ପିନ୍ଧା କାର୍ଯ୍ୟ ଶେଷ ହୋଇଥିଲା। ଆଜି ଏହାର କଳସା କାମ ଶେଷ ହୋଇଛି। ପରେ ପନ୍ଦାରି ‌ଗାଡ଼ ଠେକ କାର୍ଯ୍ୟ ଆରମ୍ଭ ହୋଇଛି। ଆଜି ତିନି ରଥର ପଇ ବିନ୍ଧ କାର୍ଯ୍ୟ ଜାରିରହିଛି। ତାଳଧ୍ବଜ ରଥର ଗତକାଲି ତିନୋଟି ଚକ ପାଇଁ ଆବଶ୍ୟକ ୧୨ଟି ପଇ ବିନ୍ଧ ସରି ତୁମ୍ବରେ ଅର ସଂଯୋଗ ପରେ ପଇ ଲାଗି ହୋଇଥିଲା। ଆଜି ଏହାର କଳସା କାମ ‌ଶେଷ ହୋଇଛି। ଆଉ ଦୁଇଟି ଚକ ପାଇଁ ୮ଟି ପଇ ବିନ୍ଧ କାର୍ଯ୍ୟ ଶେଷ ହୋଇଛି। ଦୁଇଟି ତୁମ୍ବରେ ଅର ସଂଯୋଗ ହୋଇ ସିଙ୍ଗଡ଼ା ବାଡ଼ିଆ ପରେ ଅଖବିନ୍ଧ ଓ ଅରକଟା ଶେଷ ହୋଇଛି। ପରେ ସାଲ ହୋଇ ପଇ ସଂ ଯୋଗ ଶେଷ ହୋଇଛି। କଳସା କାମ ଜାରି ରହିଛି।

ଏହାସହ ୮ଟି ତୀଖଗୁଜ, ୧୨ଟି କୁଡ଼ୁକା ପାଇଁ କାଠ ଚଉପଟ ଚାଲିଛି। ୧୧ଟି ସାଲଗୁଜ ଓ ୯ଟି ଜଳଯନ୍ତ୍ର ‌ଶେଷ ହୋଇଛି। ଦେବଦଳନ ରଥର ୨ଟି ଚକର ପଇ ପିନ୍ଧା ଓ କଳସା ‌କାମ ଶେଷ ହୋଇଛି। ଦୁଇଟି ଚକର ପନ୍ଦାରି ଗାଡ଼ ଠେକ କାମ ଚାଲୁ ରହିଛି। ଆଉ ଦୁଇଟି ଚକ ପାଇଁ ୮ଟି ପଇର ବିନ୍ଧ କାର୍ଯ୍ୟ ଶେଷ ହୋଇଛି। ଦୁଇଟି ତୁମ୍ବରେ ଅର ସଂଯୋଗ ପରେ ସିଙ୍ଗଡ଼ା ବାଡ଼ିଆ ‌ହୋଇଛି। ଅଖବିନ୍ଧ ଓ ଅରକଟା ଯାଇ ସାଲ ପରେ ପଇ ପିନ୍ଧା କାର୍ଯ୍ୟ ଶେଷ ହୋଇଛି। ଆଉ ଏକ ଚକର ତୁମ୍ବରେ ସିଙ୍ଗଡ଼ା ବାଡ଼ିଆ ପରେ ଅଖ ବିନ୍ଧ ପାଇଁ ରଥଖଳାକୁ ଆସିଛି। ନନ୍ଦିଘୋଷ ରଥର ୪ଟି ଚକ ପାଇଁ ୧୬ଟି ପଇ ବିନ୍ଧ ସରିବା ପରେ ତୁମ୍ବରେ ଅର ସଂଯୋଗ ଓ ପଇ ପିନ୍ଧା କାମ ଶେଷ ହୋଇଛି। କଳସା କାମ ଶେଷ ହୋଇଥିବାବେଳେ ଅଖ ଠେକ କାମ ଜାରି ରହିଛି। ଆଉ ଦୁଇଟି ଚକ ପାଇଁ ୮ଟି ପଇ ବିନ୍ଧ ଶେଷ ହୋଇ ଅର ସଂଯୋଗ କରାଯାଇଛି। ସାଲ ହୋଇ ପଇ ସଂଯୋଗ ପରେ କଳସା କାମ ଜାରି ରହିଛି। ୯ଟି ଜଳଯନ୍ତ୍ରରୁ ୫ଟିର କାମ ଶେଷ ହୋଇଥିବା ବେଳେ ୪ଟିର ଚଉପଟ କାମ ଜାରିରହିଛି। ୮ଟି ତୀଖ ଗୁଜରୁ ୩ଟି ଶେଷ ‌ହୋଇଥିବା ବେଳେ ୫ଟିର ଚଉପଟ କାମ ଜାରି ରହିଛି। ସେହିଭଳି ୧୨ଟି କୁଡ଼ୁକାରୁ ୧୧ଟିର ଶେଷ ହୋଇଛି। ରୂପକାର ସେବକମାନେ ୪ଟି ସାଲଗୁଜରେ ନୃସିଂହ ମୂର୍ତ୍ତି ଖୋଦେଇ ଜାରି ରଖିଛନ୍ତି। ଦୋଳବେଦି କମାରଶାଳରେ ଓଝା ସେବକମାନେ ପନ୍ଦାରି, ଅରକଣ୍ଟା ଓ ବଳା ନିର୍ମାଣ ଜାରି ରଖିଛନ୍ତି। ଆଜି ରଥଖଳାରେ ସର୍ବାଧିକ ୧୯୨ଜଣ ସେବକ ରଥ ନିର୍ମାଣରେ ନିୟୋଜିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe