ମଜୁରି ପାଇଁ ରଥଖଳାରେ ବିରୋଧ ପ୍ରଦର୍ଶନ : ଅଧ ଘଣ୍ଟା ପାଇଁ ରଥକାମ ବନ୍ଦ, ବିଲ ପ୍ରସ୍ତୁତି ଆରମ୍ଭ କଲା ଶ୍ରୀମନ୍ଦିର ପ୍ରଶାସନ

Advertisment
ମଜୁରି ପାଇଁ ରଥଖଳାରେ ବିରୋଧ ପ୍ରଦର୍ଶନ : ଅଧ ଘଣ୍ଟା ପାଇଁ ରଥକାମ ବନ୍ଦ, ବିଲ ପ୍ରସ୍ତୁତି ଆରମ୍ଭ କଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ : ଦିନେ କି ସପ୍ତାହେ ନୁହେଁ, ୧୫ ଦିନ ହେଲା ମଜୁରି ମିଳିନି। ଦିନ ମଜୁରିରେ ରଥ ନିର୍ମାଣ କାର୍ଯ୍ୟ କରୁଥିବା ମହାରଣାମାନେ ବାଧ୍ୟ ହୋଇ ଆଜି ରଥଖଳାରେ ବିରୋଧ ପ୍ରଦର୍ଶନ କରିଥିଲେ। ପ୍ରତୀକ ଭା‌ବେ ଅଧଘଣ୍ଟାଏ ପାଇଁ କାମ ବନ୍ଦ କରିଥିଲେ। ମନ୍ଦିର ପ୍ରଶାସନ ମଜୁରି ନଦେଲେ କାମ ବନ୍ଦ କରାଯିବ ବୋଲି ଚେତାବନୀ ଦେବା ପରେ ପ୍ରଶାସନ ପକ୍ଷରୁ ତରବରିଆ ଭାବେ ମଜୁରି ବିଲ୍‌ ପ୍ରସ୍ତୁତି ଆରମ୍ଭ ହୋଇଛି। ମଜୁରି ଦେବାକୁ ପ୍ରତିଶ୍ରୁତି ପରେ ରଥ ନିର୍ମାଣ କାର୍ଯ୍ୟ ପୂର୍ବବତ ଚାଲିଥିଲା।

ଅକ୍ଷୟ ତୃତୀୟା ଅର୍ଥାତ୍‌ ମେ ୭ ତାରିଖଠାରୁ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ‘ଫନି’ ବିଭୀଷିକାରେ ସବୁ ମହାରଣା କ୍ଷତିଗ୍ରସ୍ତ ହୋଇଛନ୍ତି। ତେବେ ଏହି କ୍ଷତିକୁ ନଜର ବୁଲାଇ ସେମାନେ ରଥ ନିର୍ମାଣରେ ଲାଗିଥିଲେ ମଧ୍ୟ ସେମାନଙ୍କୁ ମଜୁରି ଦେଉନି ମନ୍ଦିର ପ୍ରଶାସନ। ମଜୁରି ନେଲେ ପରିବାର ଚଳିବ। ଏପରି ସ୍ଥିତିରେ ୧୫ ଦିନ ଧରି ପ୍ରଶାସନ ପକ୍ଷରୁ ମଜୁରି ଦିଆଗଲାନାହିଁ। ମଜୁରି ଦିଆନଯିବା ପଛର କାହାଣୀ ହେଲା, ବର୍ଦ୍ଧିତ ମଜୁରି ଚୂଡ଼ାନ୍ତ ହୋଇନାହିଁ। ଏପରିକି ମଙ୍ଗଳବାର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ଆସିଥିଲେ ଓ ପରିଚାଳନା କମିଟି ବୈଠକ ବସିଥିଲେ ମଧ୍ୟ ମଜୁରି ଚୂଡ଼ାନ୍ତ କରାଗଲାନାହିଁ। ଯାହାକୁ ନେଇ ମହାରଣାମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ମୁଖ୍ୟ ପ୍ରଶାସକ ମଜୁରି ନେଇ କିଛି ସ୍ପଷ୍ଟ ନକରିବାରୁ ଶେଷରେ ଆଜି ମହାରଣାମାନେ ତାତିଥିଲେ। ବିନା ମଜୁରିରେ କାମ କିପରି ହେବ ବୋଲି ସେମାନେ ବିଶ୍ବକର୍ମାଙ୍କୁ ପ୍ରଶ୍ନ କରିଥିଲେ। ରଥ କାମରେ ନିୟୋଜିତ ବିଶ୍ବକର୍ମା, ଦଳପତି, ରଥ ଅମିନ ସମସ୍ତେ ଏ ପ୍ରସଙ୍ଗରେ ନିରବ ରହିବାରୁ ମହାରଣାମାନେ ଆଜି ଦିନ ୯ଟା ପରେ ଅଧ ଘଣ୍ଟାଏ ପାଇଁ ରଥ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିଦେଇଥିଲେ। ଏହାକୁ ନେଇ ହୋହଲ୍ଲା ହେବାରୁ ପ୍ରଶାସନିକ ଅଧିକାରୀମାନଙ୍କର ନିଦ ଭାଙ୍ଗିଥିଲା। ତତ୍କାଳ ମଜୁରି ବିଲ୍‌ ପ୍ରସ୍ତୁତି ବି ଆରମ୍ଭ ହୋଇଥିଲା। ହେଲେ କେତେ ବଢ଼ିବ ତାହା ଧାର୍ଯ୍ୟ ହୋଇ ନଥିବାରୁ ମଜୁରି ପରିମାଣ ଦର୍ଶାଇ ପାରୁନାହାନ୍ତି। ରଥକାମ ଏବେ ଚାଲୁ ରହିଛି, କିନ୍ତୁ ଆଗକୁ ମଜୁରି ନ ମିଳିଲେ ସ୍ଥିତି କିଛି ଅଲଗା ହୋଇପାରେ ବୋଲି ମହାରଣାମାନେ ରୋକଠୋକ ଶୁଣାଇ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe