ରଥଖଳା ଚଳଚଞ୍ଚଳ: ତିନି ରଥର ଦୁଇଟି ଲେଖାଏଁ ନାହାକା ଚକର ନିର୍ମାଣ କାର୍ଯ୍ୟ ଶେଷ

ରଥଖଳା ଚଳଚଞ୍ଚଳ: ତିନି ରଥର ଦୁଇଟି ଲେଖାଏଁ ନାହାକା ଚକର ନିର୍ମାଣ କାର୍ଯ୍ୟ ଶେଷ

ପୁରୀ : ରଥଖଳାରେ ଆଜି ସୁଦ୍ଧା ତିନି ରଥର ଦୁଇଟି ଲେଖାଏଁ ନାହାକା ଚକର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ତାଳଧ୍ବଜ ରଥର ‌ମୋଟ୍‌ ୪ଟି ପଡ଼ିନାହାକା ଚକ ମଧ୍ୟରୁ ଦୁଇ ଚକର ପଇପିନ୍ଧା ଓ ଚକ କଳଶା ପରେ ତୁମ୍ବ‌ରେ ଅଖ ବିନ୍ଧ କାମ ଚାଲିଛି। ଆଉ ୨ଟି ପଡ଼ିନାହାକା ଚକରୁ ଗୋଟିଏ ଚକ ପାଇଁ ପଇବିନ୍ଧ ଚାଲିଥିବା ବେଳେ ଅନ୍ୟ ଚକ ପାଇଁ ତୁମ୍ବରେ ସିଙ୍ଗଡ଼ା ବାଡ଼ିଆ ସରି ଅରରେ ପଇ ପିନ୍ଧା ପୂର୍ବରୁ ଅରଗୁଡ଼ିକର ବଳାକା ଅଂଶ କଟାଯାଇ ସାଲ କାର୍ଯ୍ୟ ଶେଷ ହୋଇଛି।

ଦର୍ପଦଳନ ରଥର ୪ଟି ନାହାକା ଚକରୁ ୨ଟି ନାହାକା ଚକ ନିର୍ମାଣ ଶେଷ ହୋଇଛି। ଅନ୍ୟ ଦୁଇ ନାହାକା ଚକ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚକର କିଳା କଟା ପଇତା ପକା କାର୍ଯ୍ୟ ବାକି ଅଛି। ନନ୍ଦିଘୋଷ ରଥର ମୋଟ୍‌ ୪ଟି ନାହାକା ଚକରୁ ୨ଟି ନାହାକା ଚକ ନିର୍ମାଣ ଶେଷ ହୋଇଛି। ଆଉ ଦୁଇଟି ନାହାକା ଚକରୁ ଗୋଟିକର ପଇ କଳଶା କାର୍ଯ୍ୟ କରାଯାଉଛି। ଅନ୍ୟ ନାହାକା ଚକର ଠେକ ତୁଲିଆ ବା ତୁମ୍ବରେ ଅଖ ବିନ୍ଧ ଖୋଳା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏଥିସହ ଯନ୍ତାଗାଡ଼ରେ ତିନି ରଥର ଆଉ ଗୋଟିଏ ଚକ ପାଇଁ ତୁମ୍ବରେ ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ଭୋଇ ସେବକମାନେ ଜାରି ରଖିଛନ୍ତି। ଦୋଳବେଦିସ୍ଥିତ ଅସ୍ଥାୟୀ କମାରଶାଳରେ ତିନି ରଥର ଓଝା ସେବକମାନେ ନାହାକା ଚକ ପାଇଁ ଆବଶ୍ୟକ ପନ୍ଦାରି ଓ ବଳା ରଥଚାଳିକୁ ଯୋଗାଇଦେଇଛନ୍ତି। ତିନି ରଥର ପଡ଼ି ନାହାକା ଚକର ତୁମ୍ବରେ ଲାଗିବା ପାଇଁ ପନ୍ଦାରି ଓ ବଳା ନିର୍ମାଣ କାର୍ଯ୍ୟ ଜାରି ରହିଛି। ମୋଟ୍‌ ୧୮୪ଜଣ ସେବକ ଆଜି ରଥ କାର୍ଯ୍ୟରେ ନିୟୋଜିତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe