ରଥଖଳା ଚଳଚଞ୍ଚଳ: ତିନି ରଥର ସିଂହାସନ ନିର୍ମାଣ ଆରମ୍ଭ

ଆସନ୍ତା ବୁଧବାରଦିନ ହେବ ଚକା ଡେରା ନୀତି

ପୁରୀ : ରଥଖଳାରେ ଗତକାଲି ସୁଦ୍ଧା ତିନି ରଥର ୨୫ଟି ଚକ ନିର୍ମାଣ ସରିଥିଲା। ଆଜି ତିନି ରଥର ଆଉ ଦୁଇଟି ଲେଖାଏଁ ଚକ ନିର୍ମାଣ ପାଇଁ ଯନ୍ତାଗାଡ଼ଠାରେ ଭୋଇ ସେବକମାନଙ୍କ ଦ୍ବାରା ତୁମ୍ବରେ ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ପରେ ତିନି ଚାଳିକୁ ଯୋଗାଇଥିଲେ। ଆସନ୍ତାକାଲି ଭଉଁରୀ ତିଥିରେ ଚକ-ଅଖ ଡେରା ନୀତି ପରେ ନିର୍ମାଣ ସରିଯାଇଥିବା ଚକଗୁଡ଼ିକୁ ରଥ ଚାଳିରୁ ନିର୍ଦ୍ଦିଷ୍ଟ ସ୍ଥାନକୁ ବିଧି ମତେ ଅଣାଯିବ। ସେହିପରି ଆଜି ତିନିରଥର ମୋଟ ୪୪ଟି ଯୋକା ନିର୍ମାଣ ଶେଷ ହୋଇଛି। ଆଜି ତିନିରଥର ସିଂହାସନ ନିର୍ମାଣ ପାଇଁ ତିନି ରଥ ଚାଳିକୁ ତିନିଟି ୧୨ ଫୁଟିଆ ଅସନ କାଠ ଯୋଗାଇ ଦିଆଯାଇଛି। ତିନିରଥ ମହାରଣାମାନେ ସିଂହାସନ ଚଉପଟ କାର୍ଯ୍ୟ ଶେଷ କରିଛନ୍ତି। ଏହାପରେ ଚଉପଟ ସରିଯାଇଥିବା ସିଂହାସନରେ ବିଶ୍ବକର୍ମାମାନେ ତିନି ଥାକିଆ ରାହା କାଟିବେ। ଏହାପରେ ଏଥିରେ ରୂପକାର ସେବକମାନେ ପୂର୍ଣ୍ଣ କୁମ୍ଭ, ହାତୀ ମାଳ ଓ ଡାଳିଲତା ଖୋଦେଇ କରିବେ।

publive-image

ସେହିପରି ଆଜି ଦର୍ପଦଳନ ରଥର ପ୍ରଭା ଅପସରା (୨୦ ଫୁଟିଆ ଧଉରା କାଠ)ଚଉପଟ କାର୍ଯ୍ୟ ଶେଷ ହୋଇଛି। ତିନିରଥର ରୂପକାର ସେବକମାନେ ଗୁଜଗୁଡ଼ିକରେ ରୂପ ଖୋଦେଇ ସହ ପଲିସ କାର୍ଯ୍ୟ ଜାରି ରଖିଛନ୍ତି। ଦୋଳବେଦି କମାରଶାଳରେ ଓଝା ସେବକମାନେ ପନ୍ଦାରି, ପନ୍ଦାରି ଚାବି ଓ ବଳା ନିର୍ମାଣ ଜାରି ରଖିଛନ୍ତି। ଦୋଳବେଦିଠାରେ କରତି ସେବକମାନେ ତାଳଧ୍ୱଜ ରଥର ପୋଲ ଗୟଳ ପାଇଁ ୪୦ ଫୁଟିଆ ଧଉରା କାଠର ଉଭୟ ପଟ ଚିତା କରିବା ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe