ରଥ ଖଳା ହାଲଚାଲ : ମୁହାଣ୍ଟ ଓ ଚଉତା କାଠ ବିନ୍ଧ ଅନୁକୂଳ

Advertisment
ରଥ ଖଳା ହାଲଚାଲ : ମୁହାଣ୍ଟ ଓ ଚଉତା କାଠ ବିନ୍ଧ ଅନୁକୂଳ

ପୁରୀ : ରଥଖଳାରେ ରଥ ନିର୍ମାଣ କାର୍ଯ୍ୟକୁ ଆଜି ୩୩ ଦିନ ପୂରିଛି। ବିଶ୍ୱକର୍ମାମାନେ ମୁହାଣ୍ଟ ଓ ଚଉତା କାମକୁ ଆଗେଇ ନେଇଛନ୍ତି। ଆଜି ମୁହାଣ୍ଟ ଓ ଚଉତ କାଠରେ ବିନ୍ଧ ଅନୁକୂଳ ହୋଇଛି। ତିନି ରଥ ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ୱକର୍ମାମାନଙ୍କ ନେତୃତ୍ଵରେ ମହାରଣା ସେବକମାନେ ଏହି କାମକୁ ତ୍ୱରାନ୍ଵିତ କରିଛନ୍ତି। ସେପଟେ ଭୂଇଁ କାଠ ବିନ୍ଧ କାମ ବି ଆଗେଇ ଚାଲିଛି। ଏହା ଭିତରେ ଚାରିନାହାକା କାମ ଶେଷ ହୋଇଛି। ଗତକାଲି ଗରଗରା କାଠ ରଥଖଳାରେ ପଡ଼ିବା ପରେ ଆଜିଠାରୁ ଏହାର ହଣା କାର୍ଯ୍ୟ ଆରମ୍ଭ ହୋଇଛି। ଅନ୍ୟ ପଟେ ତିନି ରଥ ପାଇଁ ୪୨ଟି ଚକ ଆବଶ୍ୟକ ଥିବା ବେଳେ ଗତକାଲି ସୁଦ୍ଧା ୩୯ଟି ଚକ କାମ ଶେଷ ହୋଇଥିଲା। ତେବେ ସୁଭଦ୍ରାଙ୍କ ଦର୍ପଦଳନ ରଥ ଚକରେ ଫାଟ ଦେଖାଯିବାରୁ ଏହାକୁ ବଦଳାଇ ଦିଆଯାଇଛି। ଏହା ବଦଳରେ ଆଉ ଏକ ନୂଆ ଚକ ପ୍ରସ୍ତୁତ ହେବ। ତିନି ରଥ ପାଇଁ ୨ଟି ଲେଖା ୬ଟି ଗରାଗରା କାଠ ଆବଶ୍ୟକ ଥିବା ବେଳେ ଆଜି ୬ଟି ଯାକ କାଠ ହଣା ଆରମ୍ଭ ହୋଇଛି। ଦୋଳବେଦି କମାରଶାଳରେ କମାର ସେବକମାନେ ଦଣ୍ଡାକଣ୍ଟା ଓ ପୋଖରିଆ କାମକୁ ଜୋରଦାର କରିଛନ୍ତି।

ପ୍ରାଥମିକ ପର୍ଯ୍ୟାୟରେ କୋଣଗୁଜ କାମ ଆରମ୍ଭ ହୋଇଥିବା ବେଳେ ରୂପକାର ସେବକମାନେ ଏହାକୁ ଶେଷ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି। ତାଳଧ୍ୱଜ ରଥର ମୁଖ୍ୟ ରୂପକାର ଗଣେଶ ଚନ୍ଦ୍ର ମହାପାତ୍ରଙ୍କ ସୂଚନା ମୁତାବକ, ଆଉ କିଛି ଦିନ ଭିତରେ କୋଣଗୁଜ କାମ ଶେଷ ପରେ ନାଟଗୁଡ଼ୁ କାମ ଆରମ୍ଭ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe