ରଥଖଳା ଚଳଚଞ୍ଚଳ: ତିନି ରଥରେ ଲାଗିଲା କନା

ଶରଧାବାଲିରୁ ପୁରୁଣା ବାଲି ସ୍ଥାନାନ୍ତର, ସିଂହଦ୍ବାର ସମ୍ମୁଖକୁ ସିଲ୍‌ କଲା ପ୍ରଶାସନ

ରଥଖଳା ଚଳଚଞ୍ଚଳ: ତିନି ରଥରେ ଲାଗିଲା କନା

ପୁରୀ : ତିନି ରଥର ନିର୍ମାଣ କାର୍ଯ୍ୟ ସରିଥିବାବେଳେ କେବଳ ପ୍ରଭା ଲାଗିବା ବାକି ରହିଛି। ଅନ୍ୟପଟେ ରଙ୍ଗ କାର୍ଯ୍ୟ ବି ଶେଷ ହୋଇଛି। କେବଳ କନା ପଡ଼ିବା ବାକି ଥିବାବେଳେ ଆଜିଠାରୁ ଏହି କାର୍ଯ୍ୟ ଅନୁକୂଳ ହୋଇଛି। ଦରଜୀ ସେବକମାନେ ଆଜି ତିନି ରଥର ଦୁଆର ବେଢ଼ାରେ କନା ପକାଇଛନ୍ତି। କୋଠ ସୁଆଁସିଆ ସେବକଙ୍କ ଦ୍ବାରା ପ୍ରଥମେ ତାଳଧ୍ବଜ ରଥର ଚାରି ଦୁଆର ବେଢାରେ କନା ପଡ଼ିଥିଲା। ପରେ ନନ୍ଦିଘୋଷ ରଥ ଓ ଦେବଦଳନ ରଥର ଚାରି ଦୁଆର ବେଢ଼ାରେ କନା ପଡ଼ିଛି। ସେପଟେ ତିନିରଥର ଦରଜୀ ସେବକମାନେ ଚିକ୍‌କଣ ଜରି ଫୁଲ ଲେସ ପଡ଼ି ତିଆରି ହୋଇଥିବା ବତା କନାଗୁଡିକ ଯୋଡ଼ିବା କାର୍ଯ୍ୟ ଶେଷ କରିଛନ୍ତି।

publive-image

ତିନି ରଥର କନକମୁଣ୍ଡି ପାଇଁ ପିତଳ ସଜ ସଫା ହୋଇଛି। ଆଜି ଏହା ରଥର କନକମୁଣ୍ଡ‌ିରେ ଲାଗିବ। ସେପଟେ ଆଜି ତିନି ରଥର ପ୍ରଭା ସଂଯୋଗ କରିବାକୁ ଲକ୍ଷ୍ୟ ରଖାଯାଇଛି। ଦରଜୀ ସେବକ ସର୍ଦ୍ଦାର ପ୍ରକାଶ ମହାପାତ୍ରଙ୍କ ସୂଚନା ମୁତାବକ, ଆଜି ଦୁଆର ବେଢ଼ା, ଚନ୍ଦ୍ରଶାଳୀ, ଅଁଳା ସିଡି କନା ରଥରେ ଲାଗିଛି। ପରେ ମେଣ୍ଢା ମୁଣ୍ଡିଆ, ମଗରବତା କନା ଆଦି ଲାଗିବ। ଏହାସହ ଚାନ୍ଦୁଆ ଓ ଅନ୍ୟାନ୍ୟ କାମ ଜାରି ରହିଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

publive-image

ଶରଧାବାଲିରୁ ପୁରୁଣା ବାଲି ସ୍ଥାନାନ୍ତର
ପୁରୀ : ଆଉ ତିନି ଦିନରେ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ତାହା ପୁଣି ବିନା ଭକ୍ତରେ ହେବାକୁ ଯାଉଛି। ତେବେ ଏଥିପାଇଁ ପୁରୀରେ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଏବଂ ପୁଲିସ ପ୍ରଶାସନର ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପବିତ୍ର ଶରଧାବାଲିରେ ଥିବା ପୁରୁଣା ବାଲିକୁ ପରିବର୍ତ୍ତନ କରାଯାଉଛି। ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଏହି ପୁରୁଣା ବାଲିକୁ ବଦଳାଇ ସେଠାରେ ନୂଆ ବାଲି ପକାଯିବ। ଫଳରେ ରଥର ଦକ୍ଷିଣମୋଡ଼ ସମୟରେ ତିନି ରଥ ସଫାସୁତରା ବାଲିରେ ଆସି ରହିବ। ତେଣୁ ଆଜି ରାତିରେ ଠିକାଦାର ଜେସିବି ମେସିନ୍‌ ଲଗାଇ ଏଠାରେ ଥିବା ପୁରୁଣା ବାଲିକୁ ଟ୍ରକ୍‌ ମାଧ୍ୟମରେ ଉଠାଇ ନେବା ପରେ ଏଠାରେ ନୂଆ ବାଲି ପକାଯିବ ବୋଲି ଜଣାପଡ଼ିଛି।

publive-image

ସିଂହଦ୍ବାର ସମ୍ମୁଖକୁ ସିଲ୍‌ କଲା ପ୍ରଶାସନ
ପୁରୀ : ଗୁରୁବାର ବିଳମ୍ବିତ ରାତିରେ ପ୍ରଶାସନ ପକ୍ଷରୁ ଶ୍ରୀନଅରଠାରୁ ଦୋଳମଣ୍ଡପ ସାହି ଜଗାବଳିଆ ଲଜ୍‌ ପର୍ଯ୍ୟନ୍ତ ସିଲ୍‌ କରାଯାଇଛି। ଏହା ମଧ୍ୟକୁ ସର୍ବସାଧାରଣଙ୍କ ପ୍ରବେଶ ନିଷେଧ କରାଯାଇଛି। ବର୍ତ୍ତମାନ ଲୁହା ବ୍ୟାରିକେଡିଂ ମଧ୍ୟରେ ନନ୍ଦିଘୋଷ ରଥ ଥିବା ବେଳେ ଅନ୍ୟ ଦୁଇ ରଥ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ରହିଛନ୍ତି। ଆଜିଠାରୁ ଆଉ କୌଣସି ଗାଡ଼ିମୋଟର ସିଧାସଳଖ ଭାବେ ସିଂହଦ୍ବାର ଦେଇ ବଡ଼ଦାଣ୍ଡରୁ ବାଲିସାହି, ଦୋଳମଣ୍ଡପ ସାହିକୁ ଯାଇପାରିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe