ରଥଖଳା ହାଲଚାଲ: ୧୩ ପରସ୍ତ ପୋଟଳ ନିର୍ମାଣ ଶେଷ

Advertisment

ପଟାଗୁଜ ଖୋଦେଇ ଆରମ୍ଭ, ରଥ କନା ଲେସ୍‌ କାମ ଜାରି

ପଟାଗୁଜ ଖୋଦେଇ ଆରମ୍ଭ, ରଥ କନା ଲେସ୍‌ କାମ ଜାରି

ରଥଖଳା ହାଲଚାଲ: ୧୩ ପରସ୍ତ ପୋଟଳ ନିର୍ମାଣ ଶେଷ

ପୁରୀ : ରଥଖଳାରେ ସୋମବାର ଦିନ ରଥର ନିର୍ମାଣ କାର୍ଯ୍ୟକୁ ୪୭ ଦିନ ପୂରିଛି। ସୋମବାର ଦିନ କାମ ଶେଷ ସୁଦ୍ଧା ତିନିରଥର ବେଦି ଚାରି ପାର୍ଶ୍ୱରେ ତାଗ ବାଡ଼ିଆ ଶେଷ ପରେ ବେଦି ପଛ ଭାଗରେ ପାରୁସ ପଟା ବାଡ଼ିଆ ଶେଷ ହୋଇଛି। ଏଥିସହ ବାକି ରହିଥିବା ଭୂଇଁ ପାଖୁଡ଼ାରେ ନାହାକା ସଂଯୋଗ କରାଯାଇଛି। ସୋମବାର ଦିନ ତିନିରଥର ପ୍ରଥମ ଭୂଇଁ ବା ମୂଳ ଭୂଇଁରେ କଇଁଚି ସହ ମଝି ଭୂଇଁ ଏବଂ ଅଗ(ତୃତୀୟ) ଭୂଇଁରେ ୮/୨ ସାଇଜର ୧୬ ଫୁଟ ଲମ୍ବ ‘ଅନ୍ଧାରି-ତାଗ’ ଦୁଇଟି ଲେଖାଁଏ କାପ କରାଯାଇ ସଂଯୋଗ କରାଯାଇଛି। ଏହା କଇଁଚି ସହ ଭୂଇଁ ଶେଣି, ଭୂଇଁ ଖମ୍ବୀ ଓ ପାଖୁଡ଼ାକୁ ବାନ୍ଧି ରଖିବାରେ ସହାୟକ ହୋଇଥାଏ। ପୂର୍ବରୁ ତିନିରଥର ୪ଟି ଲେଖାଁଏ ଧ୍ୱଜ ବତା ନିର୍ମାଣ ଶେଷ ହୋଇଥିଲା, ସୋମବାର ଦିନ ତିନି ରଥର ଗୋଟିଏ ଲେଖାଁଏ ‘ଦୁଆର ବେଢ଼ା’ ନିର୍ମାଣ ଶେଷ ହୋଇଛି। ଏହି ଦୁଆର ବେଢ଼ା ଦ୍ବିତୀୟ ଭୂଇଁରେ ଲାଗିବ। ତିନିରଥରେ ‘ଚାର ପାରୁଛ’ ସଂଯୋଗ ପରେ ତିନିରଥର ଦୁଇଟି ଲେଖାଁଏ ଆଗଆଣି କତରା ବାଡ଼ିଆ ଶେଷ ହୋଇଛି। ତିନିରଥର ଖପୁରୀ ଓ ପାରାଭାଡ଼ିକୁ ମିଶାଇ ୧୩ ପରସ୍ତ ପୋଟଳ ନିର୍ମାଣ ଶେଷ ହୋଇଛି।

publive-image

ଅନ୍ୟପଟେ ସୋମବାର ଦିନ ପାରାଭାଡ଼ିରେ ରଙ୍ଗ କାର୍ଯ୍ୟ ଶେଷ ପରେ ତିନିରଥକୁ ପୋଟଳ ନଦା ଉଠିଛି। ଆଜି (ମଙ୍ଗଳବାର) ତିନିରଥରେ ସମସ୍ତ ପୋଟଳ ସହ ପାରାଭାଡ଼ି ସଂଯୋଗ ହେବ। ରୂପକାର ସେବକମାନେ ଆଜି ଅବଶିଷ୍ଟ ନାଟଗୋଡ଼ରେ ଗନ୍ଧର୍ବ ରୂପ ଖୋଦେଇ କରିଛନ୍ତି। ତାଳଧ୍ବଜ ରଥର ପଟାଗୁଜରେ ସିଂହବିରାଳ, ଗଜବିରାଳ ଓ ନରବିରାଳ ରୂପ ଆଙ୍କି ଖୋଦେଇ ଆରମ୍ଭ କରିଛନ୍ତି।

publive-image

ଚିତ୍ରକାର ସେବକମାନେ ତିନି ରଥର ‌ପାର୍ଶ୍ବ ଦେବାବେଦୀ ମୂର୍ତ୍ତିଗୁଡ଼ିରେ ରଙ୍ଗ ଚିତ୍ର ସହ ତିନି ରଥର ନାଟଗୋଡ଼, ସିଂହାସନ, ଅଁଳା ଓ ଓଲଟ ଶୁଆ ରଙ୍ଗ କାର୍ଯ୍ୟ ଜାରି ରହିଛି। ଦର୍ଜୀ ସେବକମାନେ ତିନି ରଥର ଦୁଆର ବେଢ଼ା ପାଇଁ କନା କାଟିବା ପରେ ଲେସ୍‌ ଲଗାଇବା କାର୍ଯ୍ୟ ଜାରି ରଖିଛନ୍ତି। କମାରଶାଳରେ ଓଝା ସେବକମାନେ ରଥରେ ବେଦି ପଟା ବାଡ଼ିଆ ପାଇଁ ତାଗ କଣ୍ଟା, ଘୋଡ଼ା ମରାମତି ପାଇଁ ଘୋଡ଼ା ବାଗିଆ କଣ୍ଟା, ଚାନ୍ଦି କଣ୍ଟା, ଧୂଳି ଦଣ୍ଡା ପାଇଁ ବାଗିଆ କଣ୍ଟା ନିର୍ମାଣ ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe