ରଥଖଳା ଚଳଚଞ୍ଚଳ: ତିନି ରଥର ଶିଙ୍ଗଡ଼ା ବାଡ଼ିଆ ଅନୁକୂଳ

ରଥଖଳା ଚଳଚଞ୍ଚଳ: ତିନି ରଥର ଶିଙ୍ଗଡ଼ା ବାଡ଼ିଆ ଅନୁକୂଳ

ପୁରୀ : ରଥଖଳାରେ ରଥନିର୍ମାଣର ଦ୍ବାଦଶ ଦିନରେ ଶୁକ୍ରବାର ଦିନ ଶିଙ୍ଗଡ଼ା ବାଡ଼ିଆ ଅନୁକୂଳ ହୋଇଛି। ‌‌‌ଆରମ୍ଭରୁ ଭୋଇ ସର୍ଦ୍ଦାର ରବି ଭୋଇ ଓ ଅନ୍ୟ ଭୋଇ ସେବକମାନେ ମହାପ୍ରଭୁ ଓ ମା’ ଚର୍ଚ୍ଚିକା ଠାକୁରାଣୀଙ୍କୁ ଉଦ୍ଦେଶ୍ୟରେ ଶ୍ରୀଫଳ, ମାଳ, ମାହାର୍ଦ୍ଦ ସମର୍ପଣ କରିଥିଲେ। ପରେ ଭୋଇ ସେବକମାନେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖ ଯନ୍ତାଗାଡ଼ରେ ତୁମ୍ବରେ ଅର ସଂଯୋଗ ପୂର୍ବକ ଶିଙ୍ଗଡ଼ା ବାଡ଼ିଆ କାମ ଆରମ୍ଭ କରିଛନ୍ତି।

ଶୁକ୍ରବାର ଦିନ ମହାରଣାମାନେ ତାଳଧ୍ୱଜ ରଥର ୧୬ଟି, ଦେବଦଳନ ରଥର ୧୨ଟି ଓ ନନ୍ଦିଘୋଷ ରଥର ୧୬ଟି ଗୁଜ ଚଉପଟ କାମ ‌ଶେଷ କରିଛନ୍ତି। ତିନି ରଥର ମହାରଣାମାନେ ତିନି ରଥ ପାଇଁ ଦୁଇଟି ଲେଖାଏଁ ଯନ୍ତା ପଟାରେ ତିନିଟି ଲେଖାଏଁ ବିନ୍ଧ ଓ କୀଳା ନିର୍ମାଣ ଶେଷ କରିଛନ୍ତି। ତିନି ରଥର ଚକ ପାଇଁ ଅରଗୁଡ଼ିକର ମୁଖସାଲ କାର୍ଯ୍ୟ ଶେଷ ହୋଇଛି। ରୂପକାର ସେବକମାନେ ତାଳଧ୍ୱଜ ରଥର ୨ଟି ଗୁଜ, ନନ୍ଦିଘୋଷ ରଥର ୨ଟି ଗୁଜ ଓ ଦେବଦଳନ ରଥର ୩ଟି ଗୁଜରେ ନୃସିଂହ ରୂପ ଖୋଦେଇ କାର୍ଯ୍ୟ ଜାରି ରଖିଛନ୍ତି। ଦୋଳବେଦି ଅସ୍ଥାୟୀ କମାରଶାଳରେ ୪୨ ତୁମ୍ବ ପାଇଁ ପନ୍ଦାରି ନିର୍ମାଣ କାମ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe