ସାଆନ୍ତେ ଆସିବେ ବୋଲି... ୧୬ ଚକ ନିର୍ମାଣ ଶେଷ

ରଥ ନିର୍ମାଣର ଆଜି ଥିଲା ଷୋଡ଼ଶ ଦିବସ। ଆଜି ସୁଦ୍ଧା ତିନିରଥର ଗୋଟିଏ ଗୋଟିଏ ନାହାକା ଅଖ ଉଭୟ ପାର୍ଶ୍ୱ ଗୋଲେଇ ସହ ମାଠେଣି କାର୍ଯ୍ୟ ଶେଷ ହୋଇଛି। ଗତକାଲି ସୁଦ୍ଧା ତିନି ରଥର ୧୨ ଗୋଟି ଚକର ନିର୍ମାଣ ଶେଷ ହେବାସହ....

dccssx

ପୁରୀ: ରଥ ନିର୍ମାଣର ଆଜି ଥିଲା ଷୋଡ଼ଶ ଦିବସ। ଆଜି ସୁଦ୍ଧା ତିନିରଥର ଗୋଟିଏ ଗୋଟିଏ ନାହାକା ଅଖ ଉଭୟ ପାର୍ଶ୍ୱ ଗୋଲେଇ ସହ ମାଠେଣି କାର୍ଯ୍ୟ ଶେଷ ହୋଇଛି। ଗତକାଲି ସୁଦ୍ଧା ତିନି ରଥର ୧୨ ଗୋଟି ଚକର ନିର୍ମାଣ ଶେଷ ହେବାସହ ତିନି ରଥର ଗୋଟିଏ ଗୋଟିଏ ନାହାକା ଅଖର ଅନୁକୂଳ ପୂଜା ପରେ ଅଖର ଉଭୟ ପାର୍ଶ୍ୱ ଗୋଲେଇ କାର୍ଯ୍ୟ ଜାରି ରହିଥିଲା। ତିନିରଥର ମୋଟ ୪୨ ଗୋଟି ଚକ ମଧ୍ୟରୁ ଆଜି ସୁଦ୍ଧା ୧୬ ଗୋଟି ଚକ ନିର୍ମାଣ ଶେଷ ହୋଇଛି।

ତାଳଧ୍ୱଜ ରଥ ଓ ଦର୍ପଦଳନ ରଥର ୫ଟି ଲେଖାଏଁ ଚକ ନିର୍ମାଣ ଶେଷ ହୋଇଛି। ନନ୍ଦିଘୋଷ ରଥର ୬ ଗୋଟି ଚକ ନିର୍ମାଣ ଶେଷ ହୋଇଛି। ଏତଦ୍‌ବ୍ୟତୀତ ତିନି ରଥର ଚାରିଟି ଲେଖାଏଁ ୧୨ ଫୁଟିଆ ପ୍ରଥମ ଭୂଇଁ ଓରା ଚଉପଟ ପରେ ଉଭୟ ପାର୍ଶ୍ୱ ବିନ୍ଧ କାର୍ଯ୍ୟ ଶେଷ ହୋଇଛି। ଏଥିସହ ତିନି ରଥର ଦୁଇଟି ଲେଖାଏଁ ଭୂଇଁ ଖମ୍ବୀର ଚଉପଟ କାର୍ଯ୍ୟ ଶେଷ ହୋଇଛି। ତିନି ରଥର ଆଉ ଦୁଇଟି ଲେଖାଏଁ ତୁମ୍ବରେ ଭୋଇ ସେବକଙ୍କ ଦ୍ୱାରା ସିଙ୍ଗଡ଼ା ବାଡ଼ିଆ ଶେଷ ହେବାପରେ ତୁମ୍ବରେ ଅଖ ବିନ୍ଧ ପାଇଁ ଭୋଇ ସେବକମାନେ ରଥ ଚାଳିକୁ ଯୋଗାଇ ଦେଇଥିଲେ।

ତୁମ୍ବଗୁଡ଼ିକରେ ତୁମ୍ବ ବିନ୍ଧ ବା ଅଗର ବିନ୍ଧ ହେବାପରେ ତିନି ରଥର ମହାରଣା ସେବକମାନେ ଅର ସାଲ କାର୍ଯ୍ୟ ଶେଷ କରିଛନ୍ତି। ତିନି ରଥର ପ୍ରଭା ଅପସରା ଏବଂ ବେଦି ସିଂହାସନ ନିର୍ମାଣ ନିମନ୍ତେ ରଥ ଅମିନ ତିନି ରଥଚାଳିକୁ ଦୁଇଟି ଲେଖାଏଁ ୧୨ ଫୁଟିଆ ଅସନ କାଠ ଯୋଗାଇ ଦେଇଥିଲେ। ଉକ୍ତ କାଠର ଚଉପଟ କାର୍ଯ୍ୟ ତିନି ରଥର ମହାରଣା ସେବକମାନେ ଜାରି ରଖିଛନ୍ତି। ରୂପକାର ସେବକମାନେ ତିନି ରଥର ସାଲ ଗୁଜରେ ନୃସିଂହ ରୂପ ଖୋଦେଇ ଜାରି ରଖିଛନ୍ତି। ଦୋଳବେଦି ଅସ୍ଥାୟୀ କମାର ଶାଳରେ ତିନି ରଥର ୧୦ଟି ଲେଖାଏଁ ଚକ ପାଇଁ ଆବଶ୍ୟକ ଅର କଣ୍ଟା ନିର୍ମାଣ ଶେଷ କରି ବାକି ଚକଗୁଡ଼ିକ ପାଇଁ ଅର କଣ୍ଟା ନିର୍ମାଣ ଚାଲୁ ରଖିଛନ୍ତି। ଅବଶିଷ୍ଟ ଚକଗୁଡ଼ିକର ତୁମ୍ବ ପାଇଁ ପନ୍ଦାରି ବଳା, ତୁମ୍ବ ବାହ୍ୟ ବଳା ଓ ପନ୍ଦାରି ଚାବି ନିର୍ମାଣ ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe