ଅନୁକୂଳ ହେଲା ରଥକାଠ, ନିର୍ବିଘ୍ନରେ ରଥଯାତ୍ରା ଶେଷ ପାଇଁ ମହାପ୍ରଭୁଙ୍କୁ ପ୍ରାର୍ଥନା

Advertisment
ଅନୁକୂଳ ହେଲା ରଥକାଠ, ନିର୍ବିଘ୍ନରେ ରଥଯାତ୍ରା ଶେଷ ପାଇଁ ମହାପ୍ରଭୁଙ୍କୁ ପ୍ରାର୍ଥନା

ପୁରୀ :‌ ରଥ ନିର୍ମାଣ ପାଇଁ ବଡ଼ଦାଣ୍ଡରେ ପ୍ରଥମ ପର୍ଯ୍ୟାୟ ରଥକାଠ ପହଞ୍ଚିବା ପରେ ଆଜି ପବିତ୍ର ବସନ୍ତ ପଞ୍ଚମୀରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖ ବଡ଼ଦାଣ୍ଡ ରଥଖଳାରେ ରଥକାଠ ଅନୁକୂଳ କାର୍ଯ୍ୟ ସଂପନ୍ନ ହୋଇଛି। ରାଜନଅର ପକ୍ଷରୁ ‌ଦେବୀପ୍ରସାଦ ରାଜଗୁରୁଙ୍କ ସହ ଅନ୍ୟ ସ୍ତୋତ୍ରୀୟ ବ୍ରାହ୍ମଣମାନେ ଆଜି ଏହି ପୂଜାର୍ଚ୍ଚନା କାର୍ଯ୍ୟ ସଂପାଦନ କରିଛନ୍ତି।

ତିନି ରଥ ପାଇଁ ତିନିଟି ୧୨ ଫୁଟିଆ ଧଉରା କାଠକୁ ରଥଖଳାରେ ପୁଷ୍ପମାଲ୍ୟ ଅର୍ପଣପୂର୍ବକ ପୂଜାର୍ଚ୍ଚନା କରାଯାଇଛି। ସ୍ତୋତ୍ରୀୟ ବ୍ରାହ୍ମଣମାନେ ବାଗଦେବୀ ମା’ ସରସ୍ବତୀଙ୍କୁ ଆବାହନ ସହ ଫୁଲ, ଚନ୍ଦନ, ପଞ୍ଚାମୃତ, ଅର୍ଘ୍ୟ ଓ ମହାପ୍ରସାଦ ଆଦି ଅର୍ପଣ କରିଛନ୍ତି। ଚଳିତ ବର୍ଷର ରଥଯାତ୍ରା ନିର୍ବିଘ୍ନରେ ଶେଷ ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍‌ କୁମାର, ଜିଲ୍ଲାପାଳ ସମର୍ଥ ବର୍ମା, ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ସମେତ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ବରିଷ୍ଠ ସେବାୟତ, ଶ୍ରୀମନ୍ଦିର କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

ରଥ ସଂହିତା ଅନୁଯାୟୀ, ତିନି ରଥ ନିର୍ମାଣ ପାଇଁ ୪୨୬ ଖଣ୍ଡ ଧଉରା, ୩୬୪ ଖଣ୍ଡ ଅସନ, ୭୨ ଖଣ୍ଡ ଫାଶି ଓ ୩ ଖଣ୍ଡ ଶିମିଳି କାଠ, ଏପରି ‌ମୋଟ ୮୬୫ ଖଣ୍ଡ କାଠ ଆବଶ୍ୟକ ଥାଏ। ପୂର୍ବ ବର୍ଷର ୬୯ ଖଣ୍ଡ କାଠ ବଳକା ରହିଥିବାରୁ ଚଳିତ ବର୍ଷ ୭୯୬ ଖଣ୍ଡ ରଥକାଠ ଯୋଗାଇଦେବାକୁ ଶ୍ରୀମନ୍ଦିର ପ୍ରଶାସନ ନୟାଗଡ଼ ବନଖଣ୍ଡକୁ ଚିଠି କରିଛି। ୭୯୬ ଖଣ୍ଡ କାଠରୁ ୪୯୦ ଖଣ୍ଡ କଟକ ସ’ ମିଲ୍‌ ଓ ୩୦୬ ଖଣ୍ଡ ବଡ଼ଦାଣ୍ଡ ରଥଖଳାକୁ ଆସିବାକୁ ସ୍ଥିର କରାଯାଇଛି। ଏହା ଭିତରେ ୪୯ ଖଣ୍ଡ ରଥ କାଠ ବଡ଼ଦାଣ୍ଡରେ ପହଞ୍ଚି ସାରିଛି। ପର୍ଯ୍ୟାୟକ୍ରମେ ବାକି କାଠ ପହଞ୍ଚିବା ପରେ ପବିତ୍ର ରାମନବମୀରେ ରଥକାଠ ଚିରଟ ଓ ଅକ୍ଷୟ ତୃତୀୟାରେ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ନୀତି ଅନୁଷ୍ଠିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe