ରଥଖଳା ହାଲଚାଲ: ତିନି ରଥରେ ଲାଗିଲା ଋଷିପଟା

ସରିଲା ୧୨ ଦୁଆର ବେଢ଼ା କାମ

ରଥଖଳା ହାଲଚାଲ: ତିନି ରଥରେ ଲାଗିଲା ଋଷିପଟା

ପୁରୀ : ବଡ଼ଦାଣ୍ଡ ରଥଖଳା‌ରେ ବୁଧବାର ଦିନ ରଥ ନିର୍ମାଣକୁ ୪୮ ଦିନ ପୂରିଛି। ମଙ୍ଗଳବାର ଦିନ ତିନି ରଥର ଖପୁରି, ପାରିଭାଡ଼ିକୁ ମିଶାଇ ତେରପରସ୍ତ ପୋଟଳ ‌ସଂଯୋଗ ହୋଇଥିଲା। ବୁଧବାର କାମ ଶେଷ ସୁଦ୍ଧା ତିନି ରଥରେ ପୋଟଳ ତଳକୁ ଚାରିଟି ଲେଖାଏଁ ଋଷି ପଟା ସଂଯୋଗ କରାଯାଇଛି। ତିନି ରଥର ବେଦି ପଛ ଓ ସମ୍ମୁଖ ଭାଗରେ ପଟା ବାଡ଼ିଆ ଶେଷ ହୋଇଥିବାବେଳେ ଦକ୍ଷିଣ ଓ ବାମ ପାର୍ଶ୍ବରେ ପଟା ବାଡ଼ିଆ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବୁଧବାର ଦିନ ତିନି ରଥର ୪ଟି ଲେଖାଏଁ, ୧୨ଟି ଦୁଆର ବେଢ଼ା ନିର୍ମାଣ ଶେଷ ହୋଇଛି।

publive-image

ଦୁଆର ବେଢ଼ାଗୁଡ଼ିକରେ ପ୍ରାଇମର୍‌ ଦିଆଯାଇ ଚିତ୍ରକରମାନେ ଚିତ୍ର ଆଙ୍କିବା ଆରମ୍ଭ କରିଛନ୍ତି। ତିନି ରଥର ପ୍ରଭା ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରଭା ଫ୍ରେମ୍‌ରେ ପଟା ବାଡ଼ିଆ ପରେ ବାଙ୍କ ପଡ଼ି ରୂପ ଖୋଦେଇ ପଟା ‌ସଂଯୋଗ ହୋଇଛି। ରୂପକାର ସେବକମାନେ ତିନି ରଥର ଶେଷ ତିନି ନାଟଗୋଡ଼ରେ ରୂପ ଖୋଦେଇ କାମକୁ ଶେଷ ସ୍ପର୍ଶ ଦେଉଛନ୍ତି। ଚିତ୍ରକାର ସେବକମାନେ ଦୁଆର ବେଢ଼ାରେ ଚିତ୍ର କାମ ଜାରି ରଖିଛନ୍ତି। ଏହାସହ ପାର୍ଶ୍ବ ଦେବାଦେବୀ, ନାଟଗୋଡ଼, ଓଲଟ ଶୁଆ, ସକ୍ଷୀ ଆଦିରେ ରଙ୍ଗ କାମ ଜାରି ରଖିଛନ୍ତି। ଗୁଜ, ପଟାଗୁଜରେ ଖୋଦେଇ ପରେ ରୂପଗୁଡ଼ିକର ଚିତ୍ର କାମ ଜାରି ରହିଛି।

publive-image

ଦର୍ଜୀ ସେବକମାନେ ଶ୍ରୀମନ୍ଦିର କାର୍ଯ୍ୟାଳୟ ଉପର ପ୍ରକୋଷ୍ଠରେ ତିନି ରଥର କନା କାଟି ବେଢ଼ାଗୁଡ଼ିକ ପାଇଁ ମାପ ଅନୁଯାୟୀ କନା କାଟିଛନ୍ତି। ଏଥିରେ ସିଲ‌୍ଭର ଲେସ୍‌ ସଂଯୋଗ କରିଛନ୍ତି। ଚନ୍ଦ୍ରଶାଳୀରେ ଫୁଲ ପକା କାମ ‌ଶେଷ କରିଛନ୍ତି। କମାର ସେବକମାନେ ଦୋଳବେଦି କମାରଶାଳରେ ପ୍ରତି ଦୁଆର ବେଢ଼ା ପାଇଁ ୧୧ଟି ଲେଖାଏଁ, ମୋଟ ୧୩୨ଟି ଦୁଆର ବେଢ଼ା କଣ୍ଟା ନିର୍ମାଣ ଶେଷ କରିଛନ୍ତି। ଜଗତ ପୃଷ୍ଠ ଶେଣୀ କଣ୍ଟା, ସିଂହାସନ କଣ୍ଟା ଓ ସିଂହାସନ ଗୁଣ୍ଠି କଣ୍ଟା ନିର୍ମାଣ ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe