ରଥଖଳା ହାଲଚାଲ: ରଥ ବେଦି ଚାରିପାର୍ଶ୍ବ ପଟାବାଡ଼ିଆ ଶେଷ

ରଥଖଳା ହାଲଚାଲ: ରଥ ବେଦି ଚାରିପାର୍ଶ୍ବ ପଟାବାଡ଼ିଆ ଶେଷ

ପୁରୀ : ରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରଥର ୪ଟି ଲେଖାଏଁ ଦୁଆର ବେଢ଼ା ରଥ ଉପରକୁ ଉଠି ସାରିଥିବା ବ‌େଳେ ଶନିବାର ଦିନ ଦୁଆର ବେଢ଼ାର ଉପର ଭାଗ ଚନ୍ଦ୍ରଶାଳୀରେ ଧ୍ବଜ ବତା ସଂଯୋଗ ହୋଇ ଦୁଆର ବେଢ଼ା ମଜଭୁତ ହୋଇ ରହିବା ଲାଗି ମଝି ଭୂଇଁ ଶେଣିରେ କଣ୍ଟା ସଂଯୋଗ ହୋଇଛି। ଦୁଆର ବେଢ଼ାକୁ ବାନ୍ଧି ରଖିବା ପାଇଁ ପ୍ରତି ଦୁଆର ବେଢ଼ାର ନାଟଗୋଡ଼ ସହ ଚଉଦ ନାହାକାରେ ଦୁଇଟି ଲେଖାଏଁ ଦୁଆର ବାଣିଆ ସଂଯୋଗ ହୋଇଛି। ତିନିରଥର କୋଣମାନଙ୍କର ମଣ୍ଡଣି ବତା ସଂଯୋଗ ସହ ତିନି ରଥରେ ହାତିଆଳ ବା ବତାଫାଳିଆ ୮ଟି ଲେଖାଏଁ ବଡ଼ଧରା ପୋଟଳଠାରୁ ଚନ୍ଦ୍ରଶାଳୀ ପର୍ଯ୍ୟନ୍ତ ସଂଯୋଗ କରାଯାଇଛି।

publive-image

ତିନିରଥର ଚାରିକୋଣକୁ ଛାଡ଼ି ରଥ ବେଦି ଚାରି ପାର୍ଶ୍ବରେ ପଟା ବାଡ଼ିଆ ଶେଷ ହୋଇଥିବା ବ‌େଳେ ଶନିବାର ଦିନ ତିନିରଥର କୋଣଗୁଡ଼ିକରେ ପଟା ବାଡ଼ିଆ ସମ୍ପୂର୍ଣ୍ଣ ହୋଇଛି। ତିନିରଥର ପ୍ରଭା ସଂଯୋଗ ପାଇଁ ସିଂହାସନ ବେଦି ପଛଭାଗ ଚଉଦ ନାହାକାର ପଛ ଦୁଇ ନାହାକାରେ ଦୁଇଟି ଲେଖାଏଁ ଧୂଳିଦଣ୍ଡା ସଂଯୋଗ କରାଯାଇଛି। ତିନିରଥର ରୂପକାରମାନେ ପ୍ରଭାରେ ରୂପ ଖୋଦେଇ କାର୍ଯ୍ୟରେ ଶେଷ ସ୍ପର୍ଶ ଦେଉଛନ୍ତି। ଚିତ୍ରକରମାନେ ରଥର ବିଭିନ୍ନ ଅଂଶରେ ରଙ୍ଗ କାର୍ଯ୍ୟ ସହ ଗୁଜ, ପଟାଗୁଜରେ ଖୋଦେଇ ରୂପଗୁଡ଼ିକରେ ଚିତ୍ର କାର୍ଯ୍ୟ କରୁଛନ୍ତି।

publive-image

ରଥ ପାର୍ଶ୍ବ ଦେବଦେବୀ, ହଂସପଟାରେ ରଙ୍ଗକାର୍ଯ୍ୟ ଜାରି ରହିଛି। ତିନିରଥର ଦୁଆର ବେଢ଼ା ପାଇଁ କଟିଂ ହୋଇଥିବା କନାରେ ଡାଳି, ଚକ୍ର ବସି ହାତ ସିଲେଇ କାର୍ଯ୍ୟ ସହ ପୋଟଳ କନା ସିଲେଇ କାର୍ଯ୍ୟ, କଣି ଚାନ୍ଦୁଆ, କନକ ମୁଣ୍ଡି ଚାନ୍ଦୁଆ କାମ ଜାରି ରହିଛି। ଦୋଳବେଦୀସ୍ଥିତ ଅସ୍ଥାୟୀ କମାରଶାଳରେ ଓଝାମାନେ ତିନି ରଥର ଧୂଳିଦଣ୍ଡା ସଂ‌ଯୋଗ ପାଇଁ ୪ଟି ଲେଖାଏଁ ୧୨ଟି ଧୂଳିଦଣ୍ଡା କଣ୍ଟା, ଧ୍ବଜ ବତା ସଂଯୋଗ ପାଇଁ ତିନି ରଥର ୨୪ଟି ଧ୍ବଜ ବତା କଣ୍ଟା, ତିନିରଥର ୬ଟି ସିଂହାସନ ରାଏ କଣ୍ଟା ନିର୍ମାଣ କାର୍ଯ୍ୟ ସାରି ଯୋଗାଇ ଦେବା ସହ ତିନି ରଥ ପାଇଁ ୨୪ଟି ଶୁଆ କଣ୍ଟା, ନାରଜ କଣ୍ଟା ୧୨ଟି, କଳସ ସଂଯୋଗ ପାଇଁ ୩୬ଟି ଲେଖାଏଁ ବାଗିଆ କଣ୍ଟା ନିର୍ମାଣ କରି ରଖିଛନ୍ତି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe