ସାଆନ୍ତେ ଆସିବେ ବୋଲି... ତିନି ରଥର ୪୨ଟି ତୁମ୍ବରେ ୧୬ ଯୋଡ଼ା ବିନ୍ଧ କାର୍ଯ୍ୟ ଶେଷ

ରଥ ନିର୍ମାଣର ୧୦ମ ଦିବସ ଶେଷ ସୁଦ୍ଧା ତିନି ରଥ ତୁମ୍ବଗୁଡ଼ିକର ଅଗର ବିନ୍ଧ ଶେଷ ହୋଇଛି। ଗତକାଲି ସୁଦ୍ଧା ରଥ ନିର୍ମାଣ ସେବକମାନେ ତିନି ରଥର ୪୨ଟି ତୁମ୍ବରେ ୧୬ ଯୋଡ଼ା ବିନ୍ଧ କାର୍ଯ୍ୟ ଶେଷ କରିଥିଲା।

ddfcvcvff

ପୁରୀ: ରଥ ନିର୍ମାଣର ୧୦ମ ଦିବସ ଶେଷ ସୁଦ୍ଧା ତିନି ରଥ ତୁମ୍ବଗୁଡ଼ିକର ଅଗର ବିନ୍ଧ ଶେଷ ହୋଇଛି। ଗତକାଲି ସୁଦ୍ଧା ରଥ ନିର୍ମାଣ ସେବକମାନେ ତିନି ରଥର ୪୨ଟି ତୁମ୍ବରେ ୧୬ ଯୋଡ଼ା ବିନ୍ଧ କାର୍ଯ୍ୟ ଶେଷ କରିଥିଲା। ତୁମ୍ବଗୁଡ଼ିକରେ ଅଗର ବିନ୍ଧ କାର୍ଯ୍ୟ ଜାରି ରଖିବା ସହ ତୁମ୍ବଗୁଡ଼ିକର ଉଭୟ ପାର୍ଶ୍ୱରେ ପନ୍ଦାରି ଗାଡ଼ ଖୋଦେଇ ଆରମ୍ଭ କରିଥିଲେ। 

ଆଜି ସୁଦ୍ଧା ତିନି ରଥର ୪୨ଟି ତୁମ୍ବର ଉଭୟ ପାର୍ଶ୍ୱର ମଧ୍ୟଭାଗରେ ପନ୍ଦାରି ବଳା ବସିବା ପାଇଁ ତିନି ରଥର ମହାରଣା ସେବକ ନିହାଣରେ ଗୋଲାକାର ଗାଡ଼ ଖୋଦେଇ ଜାରି ରଖିଛନ୍ତି। ରବିବାର ନୃସିଂହ ଚତୁର୍ଦ୍ଦଶୀ ତିଥିରେ ଜନ୍ତାଗାଡ଼ ପ୍ରସ୍ତୁତି ସହ, ଗୁଜ ଅନୁକୂଳ ପୂଜା ନିମନ୍ତେ ଆବଶ୍ୟକ ପରିମାଣର କାଠ ରଥ ଅମିନ ରଥ ଭୋଇ ସେବକଙ୍କ ସହାୟତାରେ ଖଳାକୁ ଯୋଗାଇ ଦେଇଛନ୍ତି। ରବିବାର ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ ମହାପ୍ରଭୁ ଶ୍ରୀନୃସିଂହ ଦେବଙ୍କ ଜନ୍ମ ତିଥିରେ ଗୁଜ ଅନୁକୂଳ ପୂଜା ଅନୁଷ୍ଠିତ ହେବ। ଏଥିସହ ଅର କଟା ଅନୁକୂଳ, ଅର ଭୁଞ୍ଜା ଅନୁକୂଳ ଏବଂ ଜନ୍ତା ପଟାରେ ବିନ୍ଧ ଅନୁକୂଳ ପୂଜା ତିନି ରଥର ମୁଖ୍ୟ ମୁଖ୍ୟ ମହାରଣା ସେବକଙ୍କ ଦ୍ୱାରା ପରମ୍ପରା ଅନୁଯାୟୀ କରାଯିବ। ସେଥିପାଇଁ ଆଜି ରଥ ଅମିନ ଲକ୍ଷ୍ମଣ ମହାପାତ୍ର ଭୋଇ ସେବକଙ୍କ ସହାୟତାରେ ତିନି ରଥ ଚାଳିକୁ ଗୁଜ, କୁଡ଼ୁକା, ଜଳଯନ୍ତ୍ର ନିର୍ମାଣ ପାଇଁ ପ୍ରଥମ ଦଫାରେ ୧୦ଟି ଲେଖାଏଁ ୧୨ ଫୁଟିଆ ଧଉରା ଏବଂ ଅସନ କାଠ ଯୋଗାଇ ଦେଇଛନ୍ତି।

ଏଥି ସହ ତିନି ରଥର ଦୁଇଟି ନାହାକା ଚକର ଅର ନିର୍ମାଣ ପାଇଁ ତିନି ରଥ ଚାଳିକୁ ୧୧ଟି ଲେଖାଏଁ ୧୨ ଫୁଟିଆ ଅର ପଟା ଯୋଗାଇଛନ୍ତି। ପ୍ରତ୍ୟେକ ଚାଳିକୁ ୭ଟି ଲେଖାଏଁ ଚକ ନିର୍ମାଣ ପାଇଁ ପ୍ରଥମ ଦଫାରେ ପଇ ଯୋଗାଇ ଦେଇଛନ୍ତି। ଦୋଳବେଦୀସ୍ଥିତ ଅସ୍ଥାୟୀ କମାରଶାଳରେ ତିନି ରଥର ଓଝା ସେବକମାନେ ତିନି ରଥର ଚକାଡେରା ନୀତି ପାଇଁ ଆବଶ୍ୟକ ପ୍ରକାରେ ଗୋଟିଏ ନାହାକା ତୁମ୍ବ ପାଇଁ ୪ଟି ଲେଖାଏଁ ୧୨ଟି ବଡ଼ ସାଇଜର ପନ୍ଦାରି ବଳା ନିର୍ମାଣ କରିଛନ୍ତି। ତିନି ରଥର ଦୁଇ ଦୁଇଟି ଚକ ନିର୍ମାଣ ପାଇଁ ଆବଶ୍ୟକ ୩୨ ଯୋଡ଼ା ଲେଖାଏଁ ଅର କଣ୍ଟା ନିର୍ମାଣ ଶେଷ କରିଛନ୍ତି। ବାକି ତୁମ୍ବଗୁଡ଼ିକ ପାଇଁ ଅର କଣ୍ଟା, ପନ୍ଦାରି ବଳା ଓ ତୁମ୍ବ ବଳା ନିର୍ମାଣ ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe