ରଥଖଳା: କଇଁଚି ସହ ପଡ଼ିଲା ଅନ୍ଧାରୀ ତାଗ

ରଥ ନିର୍ମାଣର ଆଜି ଥିଲା ୪୭ତମ ଦିବସ। ଆଜି ତିନି ଭୂଇଁରେ କଇଁଚି ସହ ଅନ୍ଧାରୀ ତାଗ ପଡ଼ିଛି। ଗତକାଲି ସୁଦ୍ଧା ତିନି ରଥର ମୂଳ କଇଁଚି ଚାରିନାହାକା ଭିତର ପାର୍ଶ୍ୱ ଉଭୟ ପଟରେ ପଡ଼ିଥିଲା।

fhffsxvvb

ପୁରୀ: ରଥ ନିର୍ମାଣର ଆଜି ଥିଲା ୪୭ତମ ଦିବସ। ଆଜି ତିନି ଭୂଇଁରେ କଇଁଚି ସହ ଅନ୍ଧାରୀ ତାଗ ପଡ଼ିଛି। ଗତକାଲି ସୁଦ୍ଧା ତିନି ରଥର ମୂଳ କଇଁଚି ଚାରିନାହାକା ଭିତର ପାର୍ଶ୍ୱ ଉଭୟ ପଟରେ ପଡ଼ିଥିଲା। ଆଜି ମହାରଣା ସେବକ ଏବଂ ଭୋଇ ସେବକଙ୍କ ମିଳିତ ସହଯୋଗରେ ତିନି ରଥର ପ୍ରଥମ ଭୂଇଁ ଉଭୟ ପଟରେ କଇଁଚି ପଡ଼ିଥିଲା। ଦ୍ୱିତୀୟ ଭୂଇଁ ଉଭୟ ପାର୍ଶ୍ୱରେ ଅନ୍ଧାରୀ ତାଗ ବାଡ଼ିଆ ଯାଇଥିଲା। ଅଗ ଭୂଇଁ ବା ତୃତୀୟ ଭୂଇଁରେ କଇଁଚି ସହ ଅନ୍ଧାରୀ ତାଗ ବାଡ଼ିଆ ଶେଷ ହୋଇଛି। ଭୂଇଁ ଫ୍ରେମ୍‌ଗୁଡ଼ିକୁ ମଜଭୁତ କରି ଗଢ଼ି ତୋଳିବା ପାଇଁ ଭୂଇଁ ଫ୍ରେମ୍‌ର ଉଭୟ ପାର୍ଶ୍ୱରେ କଇଁଚି ସଦୃଶ କ୍ରସ୍ କରି କାଠ ବଟନ୍ ବାଡ଼ିଆ ଯାଇଛି। ମଝି ଭୂଇଁ ଓ ଅଗ ଭୂଇଁର ଉଭୟ ପଟରେ ଦୁଇଟି ୧୬ ଫୁଟିଆ ବଟନ୍ ପଟାର ଉଭୟ ପଟ କାପ କରାଯାଇ ଭୂଇଁ ଫ୍ରେମ୍‌ଗୁଡ଼ିକର ସୁରକ୍ଷା ଦୃଷ୍ଟିରୁ ବାନ୍ଧେଣି କରାଯାଇଛି।

ଏଥିସହ ରଥର ଚାରି କୋଣଗୁଡ଼ିକୁ ଛାଡ଼ି ତିନିରଥ ଉପର ତାଗ ବାଡ଼ିଆ ଶେଷ ହୋଇଛି। ପୋଟଳ ସମେତ ପାରା ଭାଡ଼ି ଓ ଖପୁରିର  ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ୪ଟି ଲେଖାଏଁ ଚନ୍ଦ୍ରଶାଳୀ ନିର୍ମାଣ ଶେଷ ହୋଇଛି। କଳସରେ ସିଲଭର ଚଦର ଫିଟିଂ କାର୍ଯ୍ୟ ଶେଷ ହୋଇଛି। ୧୬ ଗୋଟି ନାଟ ଗୋଡ଼ରେ ରାହୁରୂପ ଖୋଦେଇ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏଥିସହ ରୂପକାର ସେବକମାନେ ତିନି ରଥର ପଟା ଗୁଜଗୁଡ଼ିକରେ ନର ବିରାଳ, ଗଜ ବିରାଳ  ରୂପ ଖୋଦେଇ ଆରମ୍ଭ କରିଛନ୍ତି। ମୁଖ୍ୟ ଚିତ୍ରକାର ସେବକ ଦେବରାଜ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ୩୪ ଜଣ ଚିତ୍ରକର ସେବକ ରଥ ପାର୍ଶ୍ୱ ଦେବଦେବୀଙ୍କ ମୂର୍ତ୍ତିରେ ରଙ୍ଗ କାର୍ଯ୍ୟ ଚାଲୁ ରଖିଛନ୍ତି। ଦରଜୀ ସେବକ କନା କଟିଂ ପରେ ବତା କନାରେ ବିଳାସ ପଟି ସହ ଝାଲର ପକା କାର୍ଯ୍ୟ ଜାରି ରଖିଛନ୍ତି। କମାରଶାଳରେ ଓଝା ସେବକ ପୋଟଳ ପାଇଁ ଗୋଡ଼ି ଛାଲ କଣ୍ଟା ନିର୍ମାଣ ଶେଷ କରିଛନ୍ତି। ପୋଟକ ପାଇଁ ଜଂଘା କଣ୍ଟା, ଶୁଆ ଫିଟିଂ ପାଇଁ ନାରଜ କଣ୍ଟା, ଏଲ୍‌ କ୍ଲାମ୍ପ, ଇଉ କ୍ଲାମ୍ପ ନିର୍ମାଣ ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe