ଆଜି ଶ୍ରୀମନ୍ଦିର ଯିବ ଦଶମୂଳ ମୋଦକ: ଗାରଦରେ କମାଣ୍ଡରଙ୍କ ଜିମା ଦେବେ ରାଜବୈଦ୍ୟ

Advertisment
ଆଜି ଶ୍ରୀମନ୍ଦିର ଯିବ ଦଶମୂଳ ମୋଦକ: ଗାରଦରେ କମାଣ୍ଡରଙ୍କ ଜିମା ଦେବେ ରାଜବୈଦ୍ୟ

ପୁରୀ: ଚାଲିଛି ମହାପ୍ରଭୁଙ୍କ ଅଣସର ଲୀଳା। ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ଓଷ ପ୍ରସ୍ତୁତ କରିଛନ୍ତି ରାଜ ବୈଦ୍ୟ। ଦୁଇମାସ ତଳୁ ଏନେଇ କାର୍ଯ୍ୟ ଜାରି ରହିଥିବା ବେଳେ ଅଣସର ଦଶମୀରେ ସୋମବାର ଦିନ ଦଶମୂଳ ମୋଦକ ଗାରଦରେ ଜିମା ଦେବେ ରାଜ ବୈଦ୍ୟ।
ଲବଣିଖିଆ ଛକର ରାଜବୈଦ୍ୟ ନନ୍ଦନନ୍ଦନ ମିଶ୍ରଙ୍କ କହିବା ମୁତାବକ, ବିଧିବିଧାନ ମୁତାବକ ୫ଟି ଛୋଟ ଓ ୫ଟି ବଡ଼ ଗଛର ମୂଳ ତଥା ଚେରରେ ଏହା ପ୍ରସ୍ତୁତ କରାଯାଇଛି। ବେଲ, ଗମ୍ଭାରୀ, ଫଣଫଣା, ଅଗବଥୁ, କୃଷ୍ଣପର୍ଣ୍ଣୀ, ଶାଳପର୍ଣ୍ଣୀ, ଅଙ୍କରାନ୍ତି, ନବାଙ୍କୁରୀ, ଗୋଖର, ପାଟେଳୀ ଆଦି ଚେରମୂଳିକୁ ବିଭିନ୍ନ ସ୍ଥାନରୁ ସଂଗ୍ରହ ପରେ ସେସବୁକୁ ମିଶାଇ ଟାଣ ଖରାରେ ଶୁଖାଯାଇଥିଲା।

ଶୁଦ୍ଧପୂତ ଭାବେ ରାଜବୈଦ୍ୟ ଏହି ଶୁଖିଲା ଦଶମୂଳକୁ ହେମଦସ୍ତାରେ କୁଟି କରିଆ କନାରେ ଛାଣି ଚୂର୍ଣ୍ଣ ପ୍ରସ୍ତୁତ କରିଥିଲେ। ଏଥିରେ ରାଜବୈଦ୍ୟଙ୍କ ପରିବାର ବର୍ଗ ମଧ୍ୟ ସହଯୋଗ କରିଥିଲେ। କ୍ଷୀର, ମହୁ, ଚିନି, ଖୁଆ, ସର, ଘିଅ ଅନ୍ୟାନ୍ୟ ମସଲା ଆଦିରେ କୁଟା ହୋଇଥିବା ଦଶମୂଳ ଗୁଣ୍ଡକୁ ମିଶାଇ ରନ୍ଧା ଯାଇଥିଲା। ଥଣ୍ଡା ହେବା ପରେ ସେଥିରେ ଗୁଳା ଆକାରରେ ଦଶମୂଳ ମୋଦକ ପ୍ରସ୍ତୁତ କରାଯାଇଥିଲା। ଏହାକୁ ଆସନ୍ତାକାଲି ରାଜବୈଦ୍ୟ ନିଜେ ନେଇ ଗାରଦରେ କମାଣ୍ଡରଙ୍କୁ ଜିମା ଦେବେ।

ରାଜବୈଦ୍ୟ ସୁଧାଂଶୁ ପ୍ରସାଦ ମିଶ୍ରଙ୍କ ସୂଚନା ମୁତାବକ, ୭ଟି ରାଜବୈଦ୍ୟ ପରିବାର ଏହି ଦଶମୂଳ ମୋଦକ ଯୋଗାଇ ଆସୁଛନ୍ତି। ୨ ମାସ ଆଗରୁ ଏହାର ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଥାଏ। ଦଶମୂଳ ସଂଗ୍ରହ କରାଯିବା ପରେ ଏହାକୁ ନିର୍ଦ୍ଦିଷ୍ଟ ପରିମାଣରେ ମିଶାଇ ଶୁଖାଯିବା ପରେ ଗୁଣ୍ଡ କରାଯାଇଥିଲା। ଗୁଣ୍ଡ ପାକ ହୋଇ ମୋଦକ ତିଆରି କରାଯାଇଥିଲା। ଏହି ମୋଦକକୁ ୭ଟି ଓଳିରେ ଯୋଗାଇ ଦିଆଯିବ। ପତିମହାପାତ୍ର ସଂସ୍କାର କରିବା ପରେ ଏହି ଭୋଗ ମହାପ୍ରଭୁଙ୍କୁ ଲାଗି କରାଯିବ। ମୋଦକ ସେବନ ପରେ ମହାପ୍ରଭୁ ସୁସ୍ଥ ହୋଇ ନବଯୌବନ ଦର୍ଶନ ଦେବେ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe