କନ୍ଧମାଳ ରାସନ ମହାଦୁର୍ନୀତି : କୁଟିଆକନ୍ଧ ଚାଉଳରୁ ବଞ୍ଚିତ ହେବେ!

ସ୍ୱତନ୍ତ୍ର ଅଡିଟ୍‌ ପୂର୍ବରୁ ସିଏସ୍‌ଓଙ୍କ ବଦଳି, ଘଟଣା ଚପାଇବା ଓ ଦୋଷୀଙ୍କୁ ସୁରକ୍ଷା ଅଭିଯୋଗ

ଆଦିବାସୀଙ୍କ ହକ୍‌କୁ ନେଇ ଦୋଷ ଲଦାଲଦି; ରାଜ୍ୟ ସରକାର ଆଦିବାସୀଙ୍କ ହକ୍‌ ଲୁଟୁଛନ୍ତି: ବିଜେପି

ଫୁଲବାଣୀ : କନ୍ଧମାଳ କୁଟିଆକନ୍ଧଙ୍କ ୩/୪ ବର୍ଷର ଚାଉଳ ମିଳିମିଶି ଖାଇ‌ଗଲେ। ଏଥିରେ ଦୋଷୀଙ୍କୁ ଜିଲ୍ଲା ପ୍ରଶାସନ ସୁରକ୍ଷା ଦେଲା। କୁଟିଆକନ୍ଧଙ୍କ ହକ୍ ପାଇଁ ‘ସମ୍ବାଦ’ରେ ଲଗାତାର ଖବର ପ୍ରକାଶ ପାଇବା ପରେ ଏହାକୁ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଳନ ଧମକ ଦିଆଗଲା। ଏମିତି କି ନ୍ୟାୟ ପାଇଁ କୁଟିଆକନ୍ଧ ନବୀନ ନିବାସ ଘେରାଉ କରିବା ପର୍ଯ୍ୟନ୍ତ କଥା ଯାଇଥିଲା। ବିଳମ୍ବରେ ହେଉ ପଛେ ଗତ ମାସ ପ୍ରଥମ ସପ୍ତାହରେ ରାଜ୍ୟ ସରକାର ଏହାର ସ୍ବତନ୍ତ୍ର ଅଡିଟ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଆଶା ଥିଲା, ଏହା ପରେ ରାସନ ଚାଉଳ ଦୁର୍ନୀତିର ପର୍ଦ୍ଦାଫାସ୍‌ ହେବ। ଏଥିରେ ସଂପୃକ୍ତ ତଳରୁ ବଡ ସମସ୍ତଙ୍କ ମୁଖା ଖୋଲିବ। ଆଉ କୁଟିଆକନ୍ଧ ୩ ବର୍ଷର ଚାଉଳ ଫେରି ପାଇବେ। ହେଲେ କରୋନା କଟକଣା ପାଇଁ ଭୁବଶ୍ବେରରୁ ସ୍ବତନ୍ତ୍ର ଅଡିଟ୍‌ ଟିମ୍‌ ଆସି ପାରି ନ ଥିବା ବେଳେ ଏବେ ହଠାତ୍ କନ୍ଧମାଳ ଜିଲ୍ଲା ଯେଗାଣ ଅଧିକାରୀଙ୍କ ସମ୍ବଲପୁରକୁ ବଦଳି ହେବା ଚର୍ଚ୍ଚାର ବିଷୟ ହୋଇଛି। କୁଟିଆକନ୍ଧଙ୍କ ଚାଉଳ ୩-୪ ବର୍ଷ ହେଲା ହଡ଼ପ ହୋଇଛି। ବର୍ତ୍ତମାନର ଜିଲ୍ଲା ଯୋଗାଣ ଅଧିକାରୀ ୨ ବର୍ଷ ହେଲା ଏଠାରେ ଅଛନ୍ତି। ଏହି ସମୟରେ ଚାଉଳ ମହାଦୁର୍ନୀତି ପ୍ରସଙ୍ଗ ଉଠିବା ଏବଂ ରାଜ୍ୟ ସରକାର ଏହାର ସ୍ବତନ୍ତ୍ର ଅଡିଟ ନିର୍ଦ୍ଦେଶ ଦେଇଥିବା ବେଳେ ତାଙ୍କର ଅନ୍ୟତ୍ର ବଦଳିକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟ୍ରା ପ୍ରକାଶ ପାଇଛି। ତଳିଆ କର୍ମଚାରୀଙ୍କୁ ଜିଲ୍ଲା ପ୍ରଶାସନ ସୁରକ୍ଷା ଦେଇଥିବା ବେଳେ ଅଧିକାରୀଙ୍କୁ ରାଜ୍ୟ ସରକାର ସୁରକ୍ଷା ଦେବାକୁ ଉଦ୍ୟମ କରୁଛନ୍ତି ବୋଲି ଅଭିଯୋଗ ହେଉଛି।

ତୁମୁଡିବନ୍ଧ ବ୍ଳକ ଗୁମା ପଞ୍ଚାୟତରେ ୩ଶହରୁ ୪ଶହ କୁଟିଆକନ୍ଧ ହିତାଧିକାରୀଙ୍କ ୩/୪ ବର୍ଷର ରାସନ ଚାଉଳକୁ ମିଳିମିଶି ଖାଇ ଦେଇଥିବା ବେଳେ ୬ ମାସ ପୂର୍ବେ ଏହା ପଦାକୁ ଆସିଥିଲା। ଏହି ବଡ଼ ଧରଣର ଚାଉଳ ଦୁର୍ନୀତିରେ ତଳିଆ କର୍ମଚାରୀ ସହ ଜିଲ୍ଲା ଯୋଗାଣ ଅଧିକାରୀ ସଂପୃକ୍ତ। ଏଥିରେ କିଛି ନେତା ଓ ପ୍ରଶାସନିକ ଅଧିକାରୀଙ୍କ ବି ହାତ ରହିଛି। ଏହାର ସ୍ବତନ୍ତ୍ର ଅଡିଟ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ତାପୂର୍ବରୁ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ବଦଳି କରି ଘଟଣାକୁ ଚପାଇ ଦେବାକୁ ଏବଂ ଦୋଷୀଙ୍କୁ ସୁରକ୍ଷା ଦେବାକୁ ଉଦ୍ୟମ କରାଯା‌ଉଛି ବୋଲି କୁଇ ସମାଜ ସମନ୍ବୟ ସମିତି ସାଧାରଣ ସମ୍ପାଦକ ଲମ୍ବୋଦର କହଁର କହିଛନ୍ତି। ହେଲେ ଚାଉଳ ଦୁର୍ନୀତିକୁ ନେଇ ଆଗାମୀ ଦିନରେ ଜିଲ୍ଲାବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।

କନ୍ଧମାଳର ବରିଷ୍ଠ ନାଗରିକ ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କମଳାକାନ୍ତ ପାଣ୍ଡେ କହିଛନ୍ତି, କୁଟିଆକନ୍ଧଙ୍କ ଚାଉଳ କେବଳ ତଳିଆ କର୍ମଚାରୀ କି ଅଧିକାରୀ ଖାଇ ନାହାନ୍ତି। ଏଥିରେ ଆହୁରି ବଡ଼ ବଡ଼ ନେତା ଓ ସରକାରୀ ବାବୁ ସଂପୃକ୍ତ ଅଛନ୍ତି। ଚାଉଳ ଦୁର୍ନୀତିର ସ୍ବତନ୍ତ୍ର ଅଡିଟ ନିର୍ଦ୍ଦେଶ ଦେଲେ। ଅଡିଟ୍‌ ପୂର୍ବରୁ ଜିଲ୍ଲା ଯେଗାଣ ଅଧିକାରୀଙ୍କ ବଦଳି କରିବାର ଅର୍ଥ ଏହି ମହାଦୁର୍ନୀତିକୁ ଚପାଇ ଦେବାକୁ ଚେଷ୍ଟା କରାଯାଉଛି। ସ୍ବତନ୍ତ୍ର ଅଡିଟ ସହ ଭିଜିଲାନ୍‌ସ ତଦନ୍ତ ହେଉ। ତଳିଆ କର୍ମଚାରୀଙ୍କଠାରୁ ଜିଲ୍ଲା ଯେଗାଣ ଅଧିକାରୀ ଏବଂ ଅନ୍ୟମାନଙ୍କୁ ତଦନ୍ତ ପରିସରକୁ ଅଣାଯାଉ। ତଦନ୍ତ ନ ହେବା ପର୍ଯ୍ୟନ୍ତ ଜିଲ୍ଲା ଯୋଗାଣ ଅଧିକାରୀ ଏଠାରେ ରୁହନ୍ତୁ ଏବଂ ଆଉ ମହାଦୁର୍ନୀତିର ପର୍ଦ୍ଦାଫାସ୍‌ ପାଇଁ ତାଙ୍କର ବଦଳି ଆଦେଶକୁ ବାତିଲ କରାଯାଉ ବୋଲି ‌ଶ୍ରୀ ପାଣ୍ଡେ ଦାବି କରିଛନ୍ତି। ସେହିଭଳି ସ୍ବତନ୍ତ୍ର ଅଡିଟ ଦେଇ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଅନ୍ୟତ୍ର ବଦଳିକୁ ବିରୋଧ କରିଛନ୍ତି ରାଷ୍ଟ୍ରୀୟ ମଜୁଦର କଂଗ୍ରେସ ଜିଲ୍ଲା ସଭାପତି ଘନକୁମାର ଶବର। ସ୍ବତନ୍ତ୍ର ଅଡିଟ୍‌ ନ ହେବା ଯାଏ ତାଙ୍କର ବଦଳି ବାତିଲ କରାଯାଉ ବୋଲି ସେ ବି ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe