କମିସନଙ୍କ ନିକଟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ,ପୁରୀ ଜିଲ୍ଲାପାଳଙ୍କ ସତ୍ୟପାଠ ଦାଖଲ

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ

ଶ୍ରୀମନ୍ଦିର ନୀତି ସବ୍‌କମିଟିର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ପୋତା ହେବ ଶ୍ରୀଜିଉଙ୍କ ଅଦରକାରୀ ଘୋଡ଼ାବସ୍ତ୍ର

କଟକ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ତଦନ୍ତ ପାଇଁ ଗଠିତ ବିଚାରବିଭାଗୀୟ କମିସନ୍‌ ଜଷ୍ଟିସ ରଘୁବୀର ଦାଶଙ୍କ ନିକଟରେ ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର, ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲ ଓ ପୁରୀର ବାସିନ୍ଦା ସମାଜସେବୀ ରାଜକୁମାର ମହାନ୍ତି ସତ୍ୟପାଠ ଦାଖଲ କରିଛନ୍ତି। କମିସନଙ୍କ କଟକ ସର୍କିଟ ହାଉସସ୍ଥିତ କାର୍ଯ୍ୟାଳୟରେ ଆଜି ଏ ନେଇ ଜଷ୍ଟିସ ଦାଶ ସୂଚନା ଦେଇ କହିଛନ୍ତି ଯେ ପୂର୍ବରୁ ୪ଟି ସତ୍ୟପାଠ ଦାଖଲ ହୋଇଥିବା ବେଳେ ଆଉ ୩ଟି ସତ୍ୟପାଠ ଆସିଛି। ଏହି ସତ୍ୟପାଠ ଗୁଡିକ ଅନୁଧ୍ୟାନ କରାଯିବ। ୭ ଦିନ ପରେ ନିର୍ଦ୍ଦେଶନାମା ଜାରି କରାଯିବ ଓ ପରବର୍ତ୍ତୀ କାର୍ଯ୍ୟପନ୍ଥା ସଂପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଜଷ୍ଟିସ ଦାଶ କହିଛନ୍ତି।

ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ଓ ପୁରୀ ଜିଲ୍ଲାପାଳ କମିସନଙ୍କ ନିକଟରେ ସତ୍ୟପାଠ ସହିତ କେତେକ ନଥିପତ୍ରର ନକଲ ମଧ୍ୟ ଦାଖଲ କରିଥିବା ସୂଚନା ମିଳିଛି। ରତ୍ନ ଭଣ୍ଡାର ଚାବି ପ୍ରସଂଗରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏହି ସତ୍ୟପାଠ ଦୁଇଟିରେ ରହିଛି। ରତ୍ନ ଭଣ୍ଡାର କେବେ ଶେଷ ଥର ଖୋଲା ଯାଇଥିଲା ଓ ଏହା ପରେ ଚାବି କେଉଁ ପରିସ୍ଥିତିରେ କାହାକୁ କେଉଁ ସ୍ଥାନରେ ରଖିବା ପାଇଁ ହସ୍ତାନ୍ତର କରାଯାଇଥିଲା ସେ ନେଇ ବିଭିନ୍ନ ରେକର୍ଡ ପତ୍ରରେ ରହିଥିବା ଉଲ୍ଲେଖ ସଂପର୍କରେ ତଥ୍ୟ ସତ୍ୟପାଠରେ ରହିଛି ବୋଲି ଅନୁମାନ କରାଯାଉଛି। ଅନ୍ୟପକ୍ଷରେ ପୁରୀ ଏସପି ଏ ପର୍ଯ୍ୟନ୍ତ କମିସନଙ୍କ ନିକଟରେ କୌଣସି ସତ୍ୟପାଠ ଦାଖଲ କରି ନାହାନ୍ତି। ଦାଖଲ କରାଯାଇଥିବା ସତ୍ୟପାଠ ଗୁଡିକର ନକଲ ସରକାରଙ୍କ ପକ୍ଷରୁ ନିଯୁକ୍ତ ସ୍ୱତନ୍ତ୍ର ଓକିଲ ଅଯୋଧ୍ୟା ରଂଜନ ଦାଶଙ୍କୁ ହସ୍ତାନ୍ତର କରାଯିବ। ଶ୍ରୀ ଦାଶ ସତ୍ୟପାଠ ଗୁଡିକ ଅନୁଧ୍ୟାନ କରିବା ପରେ ଏ ନେଇ କମିସନଙ୍କୁ ଅବଗତ କରିବେ। ଏହା ପରେ କମିସନ ସତ୍ୟପାଠରେ ରହିଥବା ତଥ୍ୟ ଓ ତଦନ୍ତ ପ୍ରକ୍ରିୟାର ବିଭିନ୍ନ ଦିଗ ସଂପର୍କରେ ଅନୁଧ୍ୟାନ କରି ନିଷ୍ପତ୍ତି ଗ୍ରହଣ କରିବେ। ତଦନ୍ତ ପ୍ରକ୍ରିୟାର ଭବିଷ୍ୟତ କାର୍ଯ୍ୟପନ୍ଥା ଓ ପଦକ୍ଷେପ ସଂପର୍କରେ ଆସନ୍ତା ୧୪ ତାରିଖରେ ନିଷ୍ପତ୍ତି ନିଆଯିବ ବୋଲି କମିସନଙ୍କ ସଚିବ କାଶୀନାଥ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସୂଚନା ଯୋଗ୍ୟ ଯେ ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଂଗକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଘଟଣାର ବିଚାର ବିଭାଗୀୟ ତନନ୍ତ ପାଇଁ ସରକାର ଘୋଷଣା କରିଥିଲେ। ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଘୁବୀର ଦାସଙ୍କୁ କମିସନଙ୍କ ଅଧ୍ୟକ୍ଷ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe