ରତ୍ନଭଣ୍ଡାର ଚାବି ପ୍ରସଙ୍ଗରେ ନୂଆ ମୋଡ଼ : ‘ଶ୍ରୀମନ୍ଦିର ପ୍ରଶାସନକୁ ଆସିନି ଚାବି’

Advertisment

ଦାୟିତ୍ବ ଛାଡ଼ିବାବେଳେ ବିବାଦୀୟ ମନ୍ତବ୍ୟ ଦେଲେ ପୂର୍ବତନ ପ୍ରଶାସକ

ଦାୟିତ୍ବ ଛାଡ଼ିବାବେଳେ ବିବାଦୀୟ ମନ୍ତବ୍ୟ ଦେଲେ ପୂର୍ବତନ ପ୍ରଶାସକ

ରତ୍ନଭଣ୍ଡାର ଚାବି ପ୍ରସଙ୍ଗରେ ନୂଆ ମୋଡ଼ : ‘ଶ୍ରୀମନ୍ଦିର ପ୍ରଶାସନକୁ ଆସିନି ଚାବି’

ପୁରୀ : ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ନେଇ ଗଠିତ ଜଷ୍ଟିସ ରଘୁବୀର ଦାସ ତଦନ୍ତ କମିସନ ଏ ନେଇ ରାଜ୍ୟ ସରକାରଙ୍କୁ ଏକ ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରଦାନ କରିଛନ୍ତି। ସରକାରଙ୍କ ପାଖରେ ଏ ରିପୋର୍ଟ ଜଉମୁଦ ମଧ୍ୟରେ ରହିଛି। ରତ୍ନଭଣ୍ଡାର ଘର କେବେ ମରାମତି ହେବ, ରତ୍ନ ଭଣ୍ଡାରର ରତ୍ନ କେବେ ଆକଳନ ହେବ ସେ ନେଇ ଭକ୍ତ ଅନ୍ଧାରରେ ରହିଛନ୍ତି। ଏଭଳି ସ୍ଥିତିରେ ଆଜି ଶ୍ରୀମନ୍ଦିର ପୂର୍ବତନ ନୀତି ପ୍ରଶାସକ ପ୍ରଦୀପ ଦାଶ ତାଙ୍କ ବିଦାୟ ଦିନ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି।

ସେ କହିଛନ୍ତି ଏ ପ୍ରସଙ୍ଗରେ ତଦନ୍ତବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କମିସନଙ୍କ ନିକଟରେ ଏକ ବିସ୍ତୃତ ସତ୍ୟପାଠ ଦାଖଲ କରାଯାଇଛି। ଏଥିରେ ସଂପୂର୍ଣ୍ଣ ତଥ୍ୟ ଦିଆଯାଇଛି। ତେବେ ରାଜ୍ୟ ସରକାର ଶ୍ରୀମନ୍ଦିର ଦା‌ୟିତ୍ବ ନେବା ଦିନଠାରୁ ରତ୍ନ ଭଣ୍ଡାର ଚାବି ଶ୍ରୀମନ୍ଦିର ପ୍ରଶାସନ ନିକଟକୁ ଆସି ନ ଥିବା ସେ କହିଛନ୍ତି।

୧୯୬୦ ପରେ ଶ୍ରୀମନ୍ଦିର ରାଜ୍ୟ ସରକାରଙ୍କ କର୍ତୃତ୍ବକୁ ଆସିଥିଲା। ସେବେଠାରୁ ରତ୍ନ ଭଣ୍ଡାର ଚାବି ମନ୍ଦିର ପ୍ରଶାସନକୁ କେବେ ବି ହସ୍ତାନ୍ତର କରାଯାଇନଥିବ‌ା ଶ୍ରୀ ଦାଶ କହିଛନ୍ତି। ୧୯୭୮ରେ ରତ୍ନଭଣ୍ଡାର ଆକଳନ କରାଯାଇଥିଲା। ସେତେବେଳେ ୭୦ ଦିନ ଧରି ଆକଳନ ଚାଲିଥିଲା। ନୀତିକୁ ଦୃଷ୍ଟିରେ ରଖି ଏହା କରାଯାଉଥିଲା। ଜିଲ୍ଲାପାଳମାନେ ଦାୟିତ୍ବରେ ରହୁଥିଲେ।

ପୂର୍ବତନ ନୀତି ପ୍ରଶାସକ ଶ୍ରୀ ଦାଶ ବିଦାୟ ଅବସରରେ ବ୍ରହ୍ମ ବିଭ୍ରାଟ ସଂପର୍କରେ ମଧ୍ୟ କହିଛନ୍ତି। ସେ କହିଛନ୍ତି ଯେ ଏହା ବିଭ୍ରାଟ ନୁହେଁ ବରଂ ଏହା ବିଭ୍ରାନ୍ତି। ସେ ଦିନ କୌଣସି ବିଭ୍ର‌ାଟ ହୋଇ ନଥିଲ‌ା‌। କେବଳ ନୀତିରେ ବିଳମ୍ବ ହୋଇଥିଲା‌। ତେବେ ଏହା ନୂଆ କଥା ନୂହେଁ, ଅତୀତରେ ମଧ୍ୟ ଅନେକ ଥର ଏଭଳି ବିଳମ୍ବ ହୋଇଛି। ତେବେ ଦାରୁ ଫିକ୍ସିଂ ପ୍ରସଙ୍ଗକୁ ଏଡ଼ାଇ ଦେଇଥିଲେ। ଦାରୁ ବ୍ରହ୍ମ ହୋଇ ପୂଜା ପାଇବା ପ‌ରେ ଏ ପ୍ରସଙ୍ଗରେ ଆଲୋଚନା କରିବା ଓ କୌଣସି ଟିପଣୀ ଦେବା ଉଚିତ ହେବ ନା‌ହିଁ ବୋଲି କହିଥିଲେ। ଶ୍ରୀମନ୍ଦିର ନୀତି ସହିତ ଜଡିତ ଥିବା ୯୫ ପ୍ରତିଶତ ସେବକ ଭଲ ବୋଲି ଶ୍ରୀ ଦାଶ କହିଛନ୍ତି। ସୂଚନାଯୋଗ୍ୟ, ଆଜି ନୂତନ ନୀତି ପ୍ରଶାସକ ଭାବେ ବିଶ୍ବଜିତ ବିଶ୍ବାଳ ଯୋଗ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe