ରେଭେନ୍ସାକୁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ମାନ୍ୟତା ପାଇଁ ଦାବି

ରେଭେନ୍ସା-୭୦ ବନ୍ଧୁ ମିଳନ ୧୧ରେ

Collegedunia.com

ଭୁବନେଶ୍ବର : ରେଭେନ୍ସା ବିଶ୍ୱବିଦ୍ୟାଳୟ ଉନ୍ନୟନ ନ୍ୟାସର ଏକ ଅଭାସି ସଭା ଚଳିତମାସ ୧୬ ତାରିଖ ଦିନ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ମୁଖ୍ୟତଃ ରେଭେନ୍ସାକୁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ପରିଣତ କରିବା ଦିଗରେ ଉଦ୍ୟମ କରିବା ବିଷୟରେ ଆଲୋଚନା ହୋଇଥିଲା।

ନ୍ୟାସର ଉପଦେଷ୍ଟା ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ଅମୀୟ ଭୂଷଣ ତ୍ରିପାଠୀ ରାଜ୍ୟର ସର୍ବପୁରାତନ ଉଚ୍ଚ ଶିକ୍ଷାନୁଷ୍ଠାନ ତଥା ଅଗଣିତ ବ୍ୟକ୍ତିଙ୍କର ଶିକ୍ଷାମାତୃକା ରେଭେନ୍ସାକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କୁ ନ୍ୟାସ ତରଫରୁ ଦାବି ଜଣାଇବା ଉପରେ ଗୁରୁତ୍ବ ଆରୋପ କରିଥିଲେ।

ଆଲୋଚନାରେ ଅଂଶଗ୍ରହଣ କରି ଓଡ଼ିଶାର ପୂର୍ବତନ ଆଡଭୋକେଟ ଜେନେରାଲ ସୂର୍ଯ୍ୟପ୍ରସାଦ ମିଶ୍ର ରେଭେନ୍ସା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ମାନ୍ୟତା ପାଇବାରେ କୌଣସି ପ୍ରତିବନ୍ଧକ ନଥିବା ବିଷୟରେ ସୂଚନା ଦେଇଥିଲେ। ସେ କହିଥିଲେ ଯେ ଗୋଟିଏ ରାଜ୍ୟ ବିଶ୍ବବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପରିଣତ କରିବାବେଳେ ଦେଖାଦେଉଥିବା ଯେଉଁ ସମସ୍ୟାଗୁଡ଼ିକ କେନ୍ଦ୍ର ଶିକ୍ଷାମନ୍ତ୍ରାଳୟ ଉଲ୍ଲେଖ କରିଛନ୍ତି, ସେହି ସବୁ ସମସ୍ୟା ରେଭେନ୍ସା କ୍ଷେତ୍ରରେ ଦେଖା ଦେବାର ସମ୍ଭାବନା ନାହିଁ। ଏହା ଏକ ସଂପୂର୍ଣ୍ଣ ସରକାରୀ ଅନୁଷ୍ଠାନ ଏବଂ ଏକ ଏକକ ବିଶ୍ବବିଦ୍ୟାଳୟ ହୋଇଥିବା ଦୃଷ୍ଟିରୁ ରାଜ୍ୟ ସରକାରଙ୍କ ଅଧୀନରୁ କେନ୍ଦ୍ର ଅଧିନକୁ ଯିବାରେ ଏଥିରେ କୌଣସି ବାଧା ଉପୁଜିବ ନାହିଁ। ନ୍ୟାସର ଅନ୍ୟତମ ବରିଷ୍ଠ ସଦସ୍ୟ ଅବସରପ୍ରାପ୍ତ ପ୍ରଶାସକ ସଂଜୀବ ଚନ୍ଦ୍ର ହୋତା ରେଭେନ୍ସାର ଭିତ୍ତିଭୂମିର ବିକାଶ ଓ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟାକୁ ତ୍ବରାନିତ କରିବାପାଇଁ ପରାମର୍ଶ ଦେଇଥିଲେ। ରେଭେନ୍ସାର ପୂର୍ବତନ ଅଧ୍ୟକ୍ଷ ପ୍ରଭାତ କୁମାର ମିଶ୍ର ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନର ଜନନୀ ରେଭେନ୍ସା ପାଇଁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ମାନ୍ୟତା ହାସଲ ଦିଗରେ ସମସ୍ତ ଉଦ୍ୟମ କରାଯିବା ପାଇଁ କହିଥିଲେ। ସବିଶେଷ ଆଲୋଚନା ପରେ ନ୍ୟାସ ତରଫରୁ ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅନୁରୋଧ କରିବାପାଇଁ ନିଷ୍ପତ୍ତି ନିଆଯାଇଥିଲା।

କୁଳପତି ସଂଜୟ କୁମାର ନାୟକ ରେଭେନ୍ସାର ଭିତ୍ତିଭୂମିର ବିକାଶ, ପାଠ୍ୟକ୍ରମର ଆଧୁନିକୀକରଣ, ବହୁ ବିଷୟକ ପାଠ୍ୟକ୍ରମ ପ୍ରଚଳନ, କୌଶଳ ବିକାଶ ପାଠ୍ୟକ୍ରମର ଅୟାରମ୍ଭ ଇତ୍ୟାଦି କାର୍ଯ୍ୟକ୍ରମ ଗୁଡିକ କାର୍ଯ୍ୟକାରୀ ହେଉଥିବା ବିଷୟରେ ସୂଚନା ଦେଇଥିଲେ।

ସେହିଭଳି, କନିକା ପାଠାଗାରରେ ଥିବା ପୁରାତନ ମୂଲ୍ୟବାନ ପୁସ୍ତକ ଓ ଦଲିଲ ଗୁଡ଼ିକର ସଂରକ୍ଷଣ ପାଇଁ ନ୍ୟାସ ତରଫରୁ ସହାୟତା ଯୋଗାଇବା ଏବଂ ଏଥିପାଇଁ ଆବଶ୍ୟକ ଅର୍ଥ ଯୋଗାଡ଼ କରିବାପାଇଁ ଉପଦେଷ୍ଟା ଶ୍ରୀ ତ୍ରିପାଠୀ ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ରେଭେନ୍ସାକୁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ମାନ୍ୟତା ପାଇଁ ପ୍ରଚେଷ୍ଟିତ ହେବାକୁ ପୁରାତନ ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରାଯାଇଥିଲା। ଶରତ କୁମାର ସାହୁ ବୈଠକରେ ଉପସ୍ଥିତ ରହି ଅାଲୋଚନାରେ ଅଂଶଗ୍ରହଣ କରିିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe