ଯାଞ୍ଚ ଆଳରେ ଅଟକି ଗଲା ସରକାରୀ ସହାୟତା; ଅପେକ୍ଷା କରି ଆଖିବୁଜିଲେ ରବୀନ୍ଦ୍ର

କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

Shutterstock

ସିକୋ/ଖୋର୍ଦ୍ଧା: ବଞ୍ଚିବାର ସଂଘର୍ଷରେ ଯେତେବେଳେ ଏକ ନାଗରିକର ସମସ୍ତ ଉପାୟ ସରିଯାଏ, ସମସ୍ତ ସମ୍ବଳ ନଷ୍ଟ ହୋଇଯାଏ, ସେତେବେଳେ ସହାୟତା ପାଇଁ ପ୍ରଶାସନ ଉପରେ ଭରସା କରିଥାଏ। ଗାଣତାନ୍ତ୍ରିକ ଜନମଙ୍ଗଳ ରାଷ୍ଟ୍ରରେ ଏଭଳି ନିଃସହାୟ ବ୍ୟକ୍ତଙ୍କୁ ଅଗ୍ରାଧିକାର ଭିତ୍ତିରେ ଓ ସୁଲଭ ସହାୟତା ଦେବା ହିଁ ବିଧି ନିର୍ଦ୍ଧାରିତ ଅଟେ। କିନ୍ତୁ ଅନେକ ସମୟରେ, ଜଟିଳ ଯାଞ୍ଚ, ଦୀର୍ଘ ପ୍ରାଶାସନିକ ନଧିପତ୍ର ନେଣଦେଣ ପ୍ରକ୍ରିୟାରେ ଏହି ସମସ୍ତ ଜନମଙ୍ଗଳର ଉଦ୍ଦେଶ୍ୟ ନିଷ୍ଫଳ ହୋଇଥାଏ। ବେଗୁନିଆ ବ୍ଲକର ସିକୋ ପଞ୍ଚାୟତରୁ ଏଭଳି ଏକ ଘଟଣା ପଦାକୁ ଆସିଛି। ଆର୍ଥିକ ସହାୟତା ପାଇଁ ଆବେଦନ କରିବା ପରେ ପ୍ରାଶାସନିକ ଯାଞ୍ଚର ଦୀର୍ଘ ପ୍ରକ୍ରିୟାରେ ପେଶି ହୋଇ ଶେଷରେ ରବୀନ୍ଦ୍ର ଆଖି ବୁଜିଛନ୍ତି।

ସିକୋ ଗାଁର ରବୀନ୍ଦ୍ର କୁମାର ସାହୁ (୩୮) ଜଣେ ଗରିବ ଦିନ ମଜୁରିଆ। ପ୍ରାୟ ୧ ବର୍ଷ ପୂର୍ବେ ଯକୃତ ରୋଗରେ ପୀଡ଼ିତ ହେଲେ। ବ୍ୟୟ ବହୁଳ ଚିକିତ୍ସାର ସମ୍ମୁଖିନ ହେବାକୁ ବିଜୁ ସ୍ବାସ୍ଥ୍ୟ କାର୍ଡ ଏକମାତ୍ର ଭରସା ଥିଲା। କିନ୍ତୁ ଚିକିତ୍ସାରେ ନିଜ କାର୍ଡର ସମସ୍ତ ଅର୍ଥ ଶେଷ ହୋଇଗଲା। ଏହାପରେ ଆଖପାଖ ଲୋକଙ୍କ ଠାରୁ ଧାରକରଜ କରି ଚିକିତ୍ସା କଲେ। ଏଥିରେ ମଧ୍ୟ ଅବସ୍ଥା ବଦଳିଲା ନାହିଁ। ଶେଷରେ ରେଡ୍‌କ୍ରସ ପାଣ୍ଠୀରୁ ସହାୟତା ପାଇଁ ରବୀନ୍ଦ୍ରଙ୍କ ପତ୍ନୀ ଚଳିତ ବର୍ଷ ରଶ୍ମିତା ୧୪ ଜୁଲାଇରେ ଆବେଦନ କଲେ। ଜିଲ୍ଲାପାଳ ଆବେଦନପତ୍ରଟିକୁ ତହସିଲଦାରଙ୍କୁ ପଠାଇଦେଇ ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଲେ। ବେଗୁନିଆ ତହସିଲଦାର, ଏହାର ପ୍ରାୟ ୪୦ ଦିନ ପରେ, ୨୮ ଅଗଷ୍ଟ ୨୦୨୩ରେ ତଦନ୍ତ ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ କଲେ। ଏଥିରେ ସେ ରବୀନ୍ଦ୍ରଙ୍କ ଆର୍ଥିକ ଅନଟନ ଦର୍ଶାଇ ସହାୟତା ଦେବାକୁ ସୁପାରିଶ କରିଥିଲେ।

ତେବେ ଜିଲ୍ଲାପାଳ କୌଣସି କାରଣରୁ ପୁଣିଥରେ ଏହାର ତଦନ୍ତ ପାଇଁ ବେଗୁନିଆ ବିଡିଓଙ୍କୁ ୧୧ ସେପ୍ଟମ୍ବର ୨୦୨୩ରେ ନିର୍ଦ୍ଦେଶ ଦେଇ ଚିଠି ଲେଖିଥିଲେ। ତଦନ୍ତ କରି ରିପୋର୍ଟ ଦେବାକୁ ବିଡିଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ବାରିକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପ୍ରଫୁଲ୍ଲ ନିର୍ଦ୍ଦେଶ ପାଇବାର ଦିନେ-ଦୁଇ ଦିନ ମଧ୍ୟରେ ଗାଁରେ ପହଞ୍ଚି ଅନୁସନ୍ଧାନ କରି ସହାୟତା ପ୍ରଦାନ କରିବାକୁ ଦର୍ଶାଇ ନିଜର ରିପୋର୍ଟ ଦାଖଲ କରିଦେଇଥିଲେ। ତେବେ ରବୀନ୍ଦ୍ରଙ୍କ ବିଜୁ ସ୍ବାସ୍ଥ୍ୟ ବୀମା କାର୍ଡ ଥିବାରୁ ପୁଣିଥରେ ଖାଦ୍ୟ ସୁରକ୍ଷା ଯୋଜନାରେ ସମ୍ପୃକ୍ତ ହୋଇଛନ୍ତି କି ନାହିଁ, ବିଏସ୍‌କେୱାଇ ସ୍ବାସ୍ଥ୍ୟ ବୀମାରେ କେଉଁଠି ଚିକିତ୍ସତ ହୋଇଛନ୍ତି ଏନେଇଯାଞ୍ଚ କରିବାକୁ ବିଡିଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ କହିଥିଲେ। ନିର୍ବାହୀ ଅଧିକାରୀ ଚଳିତ ମାସ ୧୭ ତାରିଖରେ ରବୀନ୍ଦ୍ରଙ୍କ ଘରେ ପହଞ୍ଚି ସମସ୍ତ ତଥ୍ୟ ସଂଗ୍ରହ କରି ବିଡିଓଙ୍କ ନିକଟକୁ ପଠାଇଥିଲେ। ତେବେ ରିପୋର୍ଟ ବିଡିଓଙ୍‌କ ଠାରୁ ଜିଲ୍ଲାପାଳଙ୍କ ଠାରେ ଦାଖଲ ହେବା, ରେଡ୍‌କ୍ରସ ପାଣ୍ଠୀ ଆସିବା ପୂର୍ବରୁ ପରଦିନ, ଅର୍ଥାତ୍‌ ୧୮ ତାରିଖରେ ରବୀନ୍ଦ୍ର ଆଖିବୁଜି ଦେଇଥିଲେ।

ଏନେଇ ବିଡିଓ ଲକ୍ଷ୍ମୀଧର ସାହୁଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସେ ରବୀନ୍ଦ୍ରଙ୍କ ସମ୍ପର୍କରେ ନିୟମାନୁସାରେ ସମସ୍ତ ଆବଶ୍ୟକ ତଥ୍ୟ ଯାଞ୍ଚ କରି ପଠାଇଦେଇଛନ୍ତି। ଅପରପକ୍ଷରେ, ଜୀବନମରଣ ପୂର୍ବନିର୍ଦ୍ଧାରିତ ବୋଲି ବିଶ୍ବାସ ରହିଛି, କିନ୍ତୁ ରବୀନ୍ଦ୍ର ଓ ତାଙ୍କ ଅସହାୟ ପରିବାର ସବୁଦିନ ପାଇଁ ଏହି ଅବଶୋଷରେ ରହିଲା ଯେ ଯଦି ଠିକଣା ସମୟରେ ସହାୟତା ପହଞ୍ଚିଥାନ୍ତା ତେବେ ହୁଏତ ଆଉ କିଛି ଦିନ ବଞ୍ଚିଯାଇଥାନ୍ତେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe