ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଉପନିର୍ବାଚନ : କ୍ରସ୍‌ ଭୋଟିଂରେ ବାଜିମାତ୍‌ କଲା ବିଜେଡି

Advertisment
ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଉପନିର୍ବାଚନ : କ୍ରସ୍‌ ଭୋଟିଂରେ ବାଜିମାତ୍‌ କଲା ବିଜେଡି

ଆଶୁତୋଷଙ୍କୁ ହରାଇ ଗଙ୍ଗାଧର ପୁଆଲା ନୂଆ ଅଧ୍ୟକ୍ଷ
ବିଜେଡି ସପକ୍ଷରେ ୧୩, କଂଗ୍ରେସକୁ ମିଳିଲା ୫ ଭୋଟ
ହୁଇପ୍‌ ସତ୍ତ୍ବେ ମତଦାନ କଲେ ୨ ବିଜେପି ସଦସ୍ୟ

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଉପନିର୍ବାଚନରେ ବାଜି ମାରିଛି ବିଜେଡି। କ୍ରସ୍‌ ଭୋଟିଂ ଯୋଗୁଁ ଦଳୀୟ ପ୍ରାର୍ଥୀ ଗଙ୍ଗାଧର ପୁଆଲା ସର୍ବାଧିକ ୧୩ଟି ଭୋଟ ପାଇ ବିଜୟୀ ହୋଇଛନ୍ତି। କଂଗ୍ରେସର ୧୦ ଜିଲ୍ଲା ପରିଷଦ ସଦସ୍ୟ ଥିଲେ ମଧ୍ୟ କଂଗ୍ରେସ ପ୍ରାର୍ଥୀଙ୍କୁ ମାତ୍ର ୫ଟି ଭୋଟ ମିଳିଛି। ସେହିପରି ହୁଇପ୍ ଜାରି ସତ୍ତ୍ବେ ଦଳୀୟ ନାଲିଆଖିକୁ ନ ଡରି ବିଜେପିର ଦୁଇ ଜିଲ୍ଲା ପରିଷଦ ସଦସ୍ୟ ନିର୍ବାଚନରେ ସାମିଲ୍ ହୋଇ ଭୋଟ ଦେଇଛନ୍ତି। ଫଳରେ କଂଗ୍ରେସ ଓ ବିଜେପି ସଦସ୍ୟଙ୍କୁ ମିଶାଇ ବିଜେଡି ଅଧିକ ୬ଟି ଭୋଟ ପାଇଛି।

ଏହା ପୂର୍ବରୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଥିବା କଂଗ୍ରେସର ପୁରୁଷୋତ୍ତମ ଗମାଙ୍ଗୋ ଅଦାଲତଙ୍କ ଆଦେଶକ୍ରମେ ନିଜ ପଦ ହରାଇଥିଲେ ଏବଂ ସେଦିନ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିଲା। ତେଣୁ ନୂତନ ଅଧ୍ୟକ୍ଷ ଚୟନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଅଧ୍ୟକ୍ଷ ପଦବିକୁ ହାତେଇବା ପାଇଁ କଂଗ୍ରେସ-ବିଜେଡି ମଧ୍ୟରେ ଆରମ୍ଭ ହୋଇଥିଲା ଟଣାଓଟରା। ୨୨ ସଦସ୍ୟ ବିଶିଷ୍ଟ ଜିଲ୍ଲା ପରିଷଦରେ କଂଗ୍ରେସ ୧୧ଟି, ବିଜେଡି ୭ଟି, ବିଜେପି ୪ଟି ଆସନ‌ରେ ବିଜୟୀ ହୋଇଥିଲେ। ପୁରୁଷୋତ୍ତମଙ୍କ ମୃତ୍ୟୁ ପରେ ମଧ୍ୟ କଂଗ୍ରେସ ନିକଟରେ ୧୦ ଜିଲ୍ଲା ପରିଷଦ ସଭ୍ୟ ରହିଥିବାରୁ ପଲା ଭାରି ରହିଥିଲା। ତେଣୁ ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହେବେ ବୋଲି ଆଶା ରଖିଥିଲେ। କିନ୍ତୁ ଦଳୀୟ ଅନ୍ତଃକନ୍ଦଳ ଦଳ ଓ ପ୍ରାର୍ଥୀଙ୍କୁ ପଛକୁ ନେଇଗଲା।

ବିଜ୍ଞପ୍ତି ଅନୁଯାୟୀ ଆଜି ସକାଳ ୧୦ଟାରେ କଂଗ୍ରେସର ୮ ଓ ବିଜେଡିର ୭ ଜିଲ୍ଲା ପରିଷଦ ସଦସ୍ୟ ନିର୍ବାଚନୀ କକ୍ଷକୁ ଯାଇଥିଲେ। ଅନ୍ୟପଟେ ନିର୍ବାଚନରେ ଭୋଟ ନ ଦେବା ପାଇଁ ବିଜେପିର ହୁଇପ୍‌ ସତ୍ତ୍ବେ ରାମନାଗୁଡ଼ା ‘ଏ’ ଜୋନ୍ ସଦସ୍ୟ ପୁଷ୍ପାଞ୍ଜଳି ମୁଟୁକା, ପଦ୍ମପୁର ଜୋନ୍ ‘ଏ’ ସଦସ୍ୟ ନେତ୍ରାନନ୍ଦ କୈବର୍ତ ଭୋଟ ଦେବାକୁ ଯାଇଥିଲେ। ଯାହା ସମସ୍ତଙ୍କୁ ତାଜୁବ କରିଥିଲା। ଦଳୀୟ ନିଷ୍ପତ୍ତି ମୁତାବକ ବିଜେଡିର ରାୟଗଡ଼ା ‘ଖ’ ଜୋନ୍ ସଦସ୍ୟ ଗଙ୍ଗାଧର ପୁଆଲା, କଂଗ୍ରେସର କୋଲନରା ‘ଖ’ ଜୋନ୍ ସଦସ୍ୟ ଆଶୁ‌ତୋଷ କିଲାକା ନିର୍ବାଚନ ଅଧିକାରୀ ଅମ୍ରିତ୍ ଋତୁରାଜଙ୍କ ନିକଟରେ ନାମାଙ୍କନ ଦାଖଲ କରିଥିଲେ। ଭୋଟଦାନ ପୂର୍ବରୁ ସଂଖ୍ୟା ଖେଳରେ ବିଜେଡି ଆଗୁଆ ଥିବା ଆଲୋଚନା ଚାଲିଥିବା ବେଳେ ନିର୍ବାଚନ କକ୍ଷରେ ଅନୁପସ୍ଥିତ ଥିବା କଂଗ୍ରେସର କାଶୀପୁର ଜୋନ୍-୨ ସଦସ୍ୟ ନୀଳକଣ୍ଠ ଝୋଡ଼ିଆ, ଅମ୍ବିକା ମାଝୀଙ୍କୁ ସାଂସଦ ସପ୍ତଗିରି ଉଲାକା ନିଜ ଗାଡ଼ିରେ ଆଣି ନିର୍ବାଚନ କକ୍ଷରେ ଛାଡ଼ିଥିଲେ। କଂଗ୍ରେସର ୨ ସଦସ୍ୟଙ୍କ ଉପସ୍ଥିତି ପରେ ଦଳ କିଛି ଚକ୍‌ମା କରିବା ଆଶାରେ ଥିଲା। ହେଲେ ଫଳାଫଳ ପ୍ରକାଶ ବେଳକୁ ସଂପୂର୍ଣ ଓଲଟା ହେଲା।

ଅପରାହ୍ନ ସାଢ଼େ ୨ଟା ବେଳକୁ ସମସ୍ତଙ୍କୁ ଚକିତ କଲା ଭଳି ଖବର ବାହାରକୁ ଆସିଥିଲା। ଭୋଟ ଗଣିତରେ ବିଜେଡି ସପକ୍ଷରେ ୧୩ଟି, କଂଗ୍ରେସ ସପକ୍ଷରେ ୫ଟି ଭୋଟ ପଡ଼ିଥିଲା। ଗୋଟିଏ ଭୋଟ ନାକଚ ହୋଇଥିବା ନିର୍ବାଚନ ଅଧିକାରୀ ଅମ୍ରିତ୍ ଋତୁରାଜ ଘୋଷଣା କରିଥିଲେ। ସର୍ବାଧିକ ଭୋଟ ପାଇଥିବା ଯୋଗୁଁ ନିର୍ବାଚନ ଅଧିକାରୀ ଶ୍ରୀ ଋତୁରାଜ ବିଜେଡି ପ୍ରାର୍ଥୀ ଗଙ୍ଗାଧର ପୁଆଲାଙ୍କୁ ବିଜୟୀ ଘୋଷଣା କରିଥିଲେ।

ତେବେ ଏହି ନିର୍ବାଚନରେ ବିଜେଡିକୁ କ୍ରସ୍‌ ଭୋଟିଂରେ ଅଧିକ ମିଳିଥିବା ୬ଟି ଭୋଟକୁ ନେଇ ନାନା ଆଲୋଚନା ଚାଲିଛି। ବିଜୟୀ ଘୋଷଣା ପରେ ବିଜେଡି ପ୍ରାର୍ଥୀ ଶ୍ରୀ ପୁଆଲା ନିର୍ବାଚନ କକ୍ଷ ବାହାରକୁ ଆସିବା ପରେ ବିଜେଡି ନେତା ଓ କର୍ମୀ ବିଜୟ ଉତ୍ସବ ମନାଇଥିଲେ। ଶ୍ରୀ ପୁଆଲା ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର ଦାଶ, ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା, ପୂର୍ବତନ ସାଂସଦ ଝିନ୍ନ ହିକକା, ବରିଷ୍ଠ ବିଜେଡି ନେତା ଜଗଦୀଶ ପାତ୍ରଙ୍କୁ ସାକ୍ଷାତ କରି ଦଳର ବିଜୟ ପାଇଁ କୃତଜ୍ଞତା ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe