ରାୟଗଡ଼ା ଜିଲ୍ଲା ଛାଡ଼ୁନି ମହାବଳ, ବନ ବିଭାଗ ନାକେଦମ

Advertisment
ରାୟଗଡ଼ା ଜିଲ୍ଲା ଛାଡ଼ୁନି ମହାବଳ, ବନ ବିଭାଗ ନାକେଦମ

ରାୟଗଡ଼ା/ମୁନିଗୁଡ଼ା: ଗଜପତି ଜିଲ୍ଲା ଅତିକ୍ରମ କରି ରାୟଗଡ଼ା‌ ଜିଲ୍ଲାରେ ପଶିଥିବା ମହାବଳ ବାଘ ସପ୍ତାହେ‌ ହେଲା ବାରମ୍ବାର ସ୍ଥାନ ପରିବର୍ତ୍ତନ କରୁଛି। ଯାହା ବନ ବିଭାଗକୁ ଅକଳରେ ପକାଇବା ସହ ନାକେଦମ କରି ସାରିଲାଣି। ସେହିପରି ଜଙ୍ଗଲରେ ଶିକାର ମିଳୁନଥିବାରୁ ଜନବସତି ଆଖପାଖରେ ବୁଲୁଥିବା ପାଦଚିହ୍ନରୁ ସ୍ପଷ୍ଟ ହୋଇଛି। ଗତକାଲି ସଂଧ୍ୟାରେ ଚନ୍ଦ୍ରପୁର ବ୍ଲକ ତେଲେଙ୍ଗାପଦର ପଞ୍ଚାୟତର ହୁମାଗୁଞ୍ଚି ଜଙ୍ଗଲ ପାଦଦେଶରେ ରହିଥିବା ଗୋଟିଏ ଗାଁ ନିକଟରେ ବାଘକୁ ଶେଷଥର ପାଇଁ ଠାବ କରାଯାଇଥିଲା। ଏଠାରେ ଗୋଟିଏ ବଳଦକୁ ଆକ୍ରମଣ କରିଥିଲେ ସୁଦ୍ଧା ଗ୍ରାମବାସୀ ଏକଜୁଟ ହୋଇ ପାଟିତୁଣ୍ଡ କରିବା ସହ ଟର୍ଚ୍ଚ ଲାଇଟ୍‌ ପକାଇବାରୁ ପୁଣି ଜଙ୍ଗଲ ମୁହାଁ ହୋଇଥିଲା।

ବନ ବିଭାଗର ଅନୁମାନ ଅନୁସାରେ ଚନ୍ଦ୍ରପୁର ଏବଂ ସିରିଗୁଡା ଅଞ୍ଚଳରେ ମହାବଳ ବୁଲୁଛି। ପାଦଚିହ୍ନକୁ ଅନୁଧ୍ୟାନ କରିବାରୁ ଦୈନିକ ପ୍ରାୟ ୧୫କିଲୋମିଟର ଅତିକ୍ରମ କରୁଛି। ତେଣୁ ବନ ବିଭାଗ ବାରମ୍ବାର ଟ୍ରାପ୍‌ କ୍ୟାମେରା ସ୍ଥାନ ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଛି। ଦିନରେ ବିଶ୍ରାମ ନେଉଛି ଏବଂ ରାତିରେ ଶିକାର ଖୋଜୁଥିବା ଜଣାପଡ଼ିଛି। ସର୍ବାଧିକ ଗତିବିଧି ଗଜପତି ଜିଲ୍ଲା ସୀମାନ୍ତରେ ରହିଥିବାରୁ ଖୁବଶୀଘ୍ର ରାୟଗଡ଼ା ଜିଲ୍ଲା ଛାଡ଼ିବ ବୋଲି ଆଶା କରାଯାଉଛି। ତଥାପି ୨୦ରୁ ଊର୍ଦ୍ଧ୍ବ ଗ୍ରାମବାସୀଙ୍କୁ ସତର୍କ ରହିବା ସହ ବାଘକୁ ଦେଖିଲେ ତୁରନ୍ତ ସୂଚନା ଦେବାକୁ ପରାମର୍ଶ ଦିଆଯାଇଛି।

ମୁନିଗୁଡ଼ା ବନ ବିଭାଗ ସୂଚନା ଅନୁଯାୟୀ, ତିନିଟି ଟିମ୍‌ରେ ୨୪ଜଣ କର୍ମଚାରୀ ବାଘକୁ ସନ୍ଧାନ କରିବା ସହ ପ୍ରତ୍ୟେକ ଗତିବିଧି ଉପରେ ନଜର ରଖିଛନ୍ତି। ବାଘ ପାଇଁ ଏହି ଜଙ୍ଗଲ ସଂପୂର୍ଣ୍ଣ ନୂଆ ହୋଇଥିବାରୁ ବାରମ୍ବାର ସ୍ଥାନ ପରିବର୍ତ୍ତନ କରୁଛି ଏବଂ ଜଙ୍ଗଲରେ ଖାଦ୍ୟ ମିଳୁନଥିବାରୁ ଗୃହପାଳିତ ପଶୁଙ୍କୁ ଆକ୍ରମଣ କରୁଛି ବୋଲି ରେଞ୍ଜର ଅନିଲ କୁମାର ବାଲା କହିଛନ୍ତି। ଫରେଷ୍ଟର ଅଶ୍ୱିନୀ କରକରିଆଙ୍କ କହିବା ଅନୁଯାୟୀ, ବର୍ତ୍ତମାନ ମୂଳ ବାସସ୍ଥାନକୁ ଫେରିବା ପାଇଁ ବାଘ ପ୍ରୟାସ କରୁଛି। ଆଉ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଫେରିବା ରାସ୍ତା ପାଇଯିବ। ସେହିପରି ବରିଷ୍ଠ ବନରକ୍ଷୀ ରୋନିତ ମହାରଣା କହିଛନ୍ତି, ଆମଲିମା ଓ ମାଖନଗୁଡ଼ି ଜଙ୍ଗଲରେ ବାଘ ରହିଛି। ଚନ୍ଦ୍ରପୁର ସୀମାନ୍ତ କନ୍ଧମାଳ ଜିଲ୍ଲା କେନାକାଡ଼ୁ ଜଙ୍ଗଲ କିମ୍ବା ପୋକରାରୁ ଫେରି ଗୁଡ଼ାରୀ ବାଟ ହୋଇ ଗଜପତି ଯାଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe