ସଂସଦ ଭବନରେ ଭାଷଣ ଦେଲେ ଦୁର୍ଗମ ଅଞ୍ଚଳର ଓଡ଼ିଆ ଝିଅ, ଅନ୍ୟଙ୍କ ପାଇଁ ସାଜିଲେ ଉଦାହରଣ

Advertisment
ସଂସଦ ଭବନରେ ଭାଷଣ ଦେଲେ ଦୁର୍ଗମ ଅଞ୍ଚଳର ଓଡ଼ିଆ ଝିଅ, ଅନ୍ୟଙ୍କ ପାଇଁ ସାଜିଲେ ଉଦାହରଣ

ରାୟଗଡା: ରାୟଗଡା ଜିଲ୍ଲାର ଥେରୁବାରିଲ ସଫିଆ ବସିର।ଇମ୍ଫା କେମ୍ପସ ହାଇସ୍କୁଲର ୧୦ମ ଶ୍ରେଣୀର ଛାତ୍ରୀ। ପିଲାଟି ଦିନରୁ ପାଠ ପଢିବା ସହ କିଛି ଅଲଗା କରି ଦେଖାଇବାର ସ୍ବପ୍ନ ନେଇ ସେ ଆଗକୁ ବଢୁଛନ୍ତି। ସଫିଆ ଆଜି ରାୟଗଡା ସମେତ ସାରା ଦେଶରେ ଜଣେ ପରିଚିତ ଚେହେରା। ତାଂକର ଅନ୍ତର୍ନିହିତ ଗୁଣ ଯୋଗୁଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜେ ତାଂକୁ ଦିଲ୍ଲୀରେ ସମ୍ମାନିତ କଲେ। ଥେରୁବାଲିରୁ ଦିଲ୍ଲୀ ଯାତ୍ରା କଠିନ ଥିଲେ ମଧ୍ୟ ସେ ତାକୁ ସହଜ କରିପାରିଛନ୍ତି। ସଂସଦରେ ଭାଷଣ ଦେବା ପାଇଁ ସର୍ବଭାରତସ୍ତରରେ ଚିହ୍ନଟ ହେବା ହିଁ ବଡ ସଫଳତା। ବାପା ବସିର ଅହମ୍ମଦ ଏବଂ ରସିଦା ଖାତୁନଙ୍କ ବଡ ଝିଅ ସଫିଆ। ପ୍ରାଥମିକ ଶିକ୍ଷା ସେ ଖୋର୍ଦ୍ଧାର ଏକ ଇଂରାଜୀ ମାଧ୍ୟମିକ ଶିକ୍ଷାକେନ୍ଦ୍ରରେ କରୁଥିଲେ। କିନ୍ତୁ ଲକଡାଉନ ସମୟରେ ସେ ନିଜ ବାପାଙ୍କ ଘର ଥେରୁବାଲି ଆସି ଆଉ ଖୋର୍ଦ୍ଧା ଯାଇପାରିନଥିଲେ। ପରେ ସେ ଥେରୁବାଲିର ଇମ୍ଫା ପରିସର ବିଦ୍ୟାଳୟରେ ଶିକ୍ଷା ଆରମ୍ଭ କରିଛନ୍ତି। ଏହି ବିଦ୍ୟାଳୟର ଶିକ୍ଷକ ପ୍ରମୋଦ କୁମାର ମହାପାତ୍ର ସଫିଆଙ୍କ ପାଠ ପଢିବାର ନିଶା ଓ କିଛି କରିବାର ସ୍ବପ୍ନକୁ ଜାଣିପାରିଥିଲେ। ଟ୍ରାଇ ସାଇକେଲ ଫ୍ଲୋର କ୍ଲିନର ନାମକ ପ୍ରକଳ୍ପ ଦ୍ବାରା ସଫିଆ ଏବଂ ତାଂକ ସାଥୀ ଭି.ସୋନିଆ ଜାତୀୟ ସ୍ତରର ବିଜ୍ଞାନ ପ୍ରଦର୍ଶନୀ ପାଇଁ ଚୟନ ହେଲେ।

publive-image

ଆସାମର ଗୁଆହାଟୀରେ ଆୟୋଜିତ ଜାତୀୟସ୍ତରର ବିଜ୍ଞାନ ପ୍ରଦର୍ଶନୀରେ ଏହି ଦୁଇ ଜଣ ଭାଗ ନେଇଥିଲେ। ଏଠାରେ ସଫଳ ହେବା ପରେ ମହାରାଷ୍ଟ୍ରର ନାଗପୁରରେ ହେବାକୁ ଥିବା ଭାରତୀୟ ବିଜ୍ଞାନ କଂଗ୍ରେସରେ ମଧ୍ୟ ଭାଗ ନେଇ ନିଜକୁ ପ୍ରମାଣିତ କରିଲେ ସଫିଆ। ଭାରତର ଏନସିଇଆରଟି ଟିମ ଭାରତର ୨୫ ଜଣ ବଛା ବଛା ଛାତ୍ରୀଙ୍କୁ ସଂସଦ ଭବନ ଡାକିବା ନେଇ ଚୟନ ପ୍ରକ୍ରିୟା ଆରମ୍ଭ କଲା। ସେହି ୨୫ ଜଣଙ୍କ ମଧ୍ୟରେ ସଫିଆଙ୍କ ନାମ ମଧ୍ୟ ରହିଲା। ସଂସଦ ଭବନ ବୁଲି ଦେଖିବାର ଆଶା ଉଜ୍ବଳ ହେଲା।

ତେବେ ପୁଣି ଏହି ୨୫ ଜଣଙ୍କ ମଧ୍ୟରୁ ୧୫ ଜଣ ସଂସଦରେ ଭାଷଣ ଦେବା ପାଇଁ ସ୍ଥିର କରାଗଲା। ସେଥିରେ ମଧ୍ୟ ସଫିଆ ବାଜି ମାରିନେଲେ। ସଫିଆଙ୍କ ଭାଷଣ ଦେବାର ଶୈଳୀକୁ ଏନସିଇଆରଟି ଟିମ ଚିହ୍ନି ପାରିଥିଲେ। ସଫିଆଙ୍କୁ ମହାତ୍ମାଗାନ୍ଧୀଙ୍କ ଜୀବନୀ ଉପରେ ଭାଷଣ ଦେବାକୁ କୁହାଯାଇଥିଲା। ସଫିଆ ଇଂରାଜୀରେ ମହାତ୍ମାଗାନ୍ଧୀଙ୍କ ଜୀବନୀ ଉପରେ ବହୁ ଅଜଣା କଥାକୁ ଇଂରାଜୀରେ ଭାଷଣ ଦେଇ ସମସ୍ତଙ୍କୁ ଚକିତ କରିଥିଲେ। ପୁରୁଣା ସଂସଦ ଭବନ ଏବଂ ନୂଆ ସଂସଦ ଭବନ ବୁଲି ଦେଖିବାର ସୁଯୋଗ ପାଇଥିବାରୁ ସେ ନିଜକୁ ଭାଗ୍ୟବାନ ମନେ କରିଥିବା କହନ୍ତି। ସଂସଦ ଭବନର ସେଣ୍ଟ୍ରାଲ ହଲରେ ଭାଷଣ ଦେବା କମ୍ ବଡ କଥା ନୁହେଁ। ଦୁର୍ଗମ ପଲ୍ଲୀରୁ ଦିଲ୍ଲୀ ଯାତ୍ରୀ କଠିନ ଥିଲେ ମଧ୍ୟ ତାକୁ ସହଜ କରି ପାରିଥିଲେ ସଫିଆ। ଆଗକୁ ନିଜ ଅଂଚଳ ସହ ଦେଶର ନାମକୁ ଆଗକୁ ନେବାକୁ ଅଧ୍ୟୟନ କରି କିଛି ବଡ କରିବାର ସ୍ବପ୍ନ ଦେଖିଥିବା ସେ କହନ୍ତି।ସଫିଆଙ୍କ ବିଷୟରେ ଦିଲ୍ଲୀରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜାଣିବା ପରେ ତାଂକୁ ତୁରନ୍ତ ଡାକି ସମ୍ମାନୀତ କରିଥିଲେ। ଓଡିଶାର ଜଣେ ଝିଅ ସଂସଦରେ ଭାଷଣ ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଏକ ବଡ ସଫଳତା ବୋଲି ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ। ସଫିଆକୁ ଭବିଷ୍ୟତରେ ଆହୁରି ଉନ୍ନତି କରନ୍ତୁ ବୋଲି ଆଶୀର୍ବାଦ ଦେଇଥିଲେ।ସଫିଆଙ୍କ ଏହି ସଫଳତା ରାୟଗଡାବାସୀ ଏବଂ ଓଡିଶା ପାଇଁ ଗର୍ବ ହୋଇଥିବା ବେଳେ ଅନ୍ୟ ଛାତ୍ରୀମାନଙ୍କ ପାଇଁ ମଧ୍ୟ ଉଦାହରଣ ହୋଇଥିବା କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe