ରାୟଗଡ଼ା : ଭଙ୍ଗା ଚକରେ ଗଡ଼ିବ ଶ୍ରଦ୍ଧା ଶ୍ରୀକ୍ଷେତ୍ର ରଥ

Advertisment

ଆବଶ୍ୟକ ୨ ଟ୍ରକ୍ କାଠ ପାଇଁ ଜଙ୍ଗଲ ବିଭାଗ ମାଗୁଛି ଟଙ୍କା,  ବିଭାଗକୁ ଚିଠି ଲେଖିଲେ ତହସିଲଦାର, ଭକ୍ତ ମହଲରେ ଅସନ୍ତୋଷ

ଆବଶ୍ୟକ ୨ ଟ୍ରକ୍ କାଠ ପାଇଁ ଜଙ୍ଗଲ ବିଭାଗ ମାଗୁଛି ଟଙ୍କା,  ବିଭାଗକୁ ଚିଠି ଲେଖିଲେ ତହସିଲଦାର, ଭକ୍ତ ମହଲରେ ଅସନ୍ତୋଷ

ରାୟଗଡ଼ା : ଭଙ୍ଗା ଚକରେ ଗଡ଼ିବ ଶ୍ରଦ୍ଧା ଶ୍ରୀକ୍ଷେତ୍ର ରଥ

ରାୟଗଡ଼ା : ଚଳିତ ବର୍ଷ ଭଙ୍ଗା ଚକ ଓ ଅଖରେ ଗଡ଼ିବ ଶ୍ରଦ୍ଧା ଶ୍ରୀକ୍ଷେତ୍ର ରଥ। ରଥ ମରାମତି ପାଇଁ ଆବଶ୍ୟକ ୨ ଟ୍ରକ୍ କାଠ ଲାଗି ଜଙ୍ଗଲ ବିଭାଗ ଟଙ୍କା ମାଗୁଥିବାରୁ ଟଙ୍କା ଦେବାକୁ ପରିଚାଳନା କମିଟି ପାଖରେ ସମ୍ବଳ ନାହିଁ। ଫଳରେ ରଥ ମରାମତି ନେଇ ଅନିଶ୍ଚିତତା ଦେଖା ଦେଇଛି। ଅକ୍ଷୟ ତୃତୀୟା ଆଉ ୧୦ ଦିନ ବାକିଥିବା ବେଳେ ଏହି ତିଥିରୁ ରଥ ନିର୍ମାଣ କାମ ଆରମ୍ଭ ହେବ। ହେଲେ ରଥ ପାଇଁ କାଠ ଚୂଡାନ୍ତ ହୋଇପାରୁନଥିବାରୁ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

publive-image

ଶହ ଶହ ବର୍ଷ ପୁରୁଣା ରାୟଗଡ଼ାର ରଥଯାତ୍ରା। ରାଜ ରାଜୁଡ଼ା ଅମଳରେ ୨୫ ଫୁଟ ଓସାର, ୪୨ ଫୁଟ ଉଚ୍ଚତା ବିଶିଷ୍ଟ ରଥରେ ଶଗଡ଼ ଆକୃତିର ୮ଟି ଚକ ଲାଗୁଥିଲା। ସମୟକ୍ରମେ ରଥ ନିର୍ମାଣ ଶୈଳୀରେ ପରିବର୍ତ୍ତନ କରାଯାଇ ଚକର ଆକାର ଛୋଟ ହୋଇଛି। ୧୬ଟି ଚକ ଓ ଅଖରେ ଦୁଇ ଦଶନ୍ଧି ହେଲା ରଥ ଗଡ଼ି ଆସୁଥିବା ବେଳେ ଆବଶ୍ୟକ ସ୍ଥଳେ ରଥ ମରାମତି କରାଯାଉଛି। ଗତ ବର୍ଷ ଗୁଣ୍ଡିଚା ଓ ବାହୁଡ଼ାରେ ରଥର ଅଖ, ଚକ ଭାଙ୍ଗିବା ଯୋଗୁ ରଥଟଣା ବିଳମ୍ବିତ ହୋଇଥିଲା। ମରାମତି ପରେ ରଥ ଗଡ଼ିଥିବା ବେଳେ ଚଳିତ ବର୍ଷ ରଥ ପୂର୍ବରୁ ନୂତନ ଚକ, ଅଖ ସଂଯୋଗ ପାଇଁ ନିଷ୍ପତ୍ତି ହୋଇଥିଲା। ବର୍ତ୍ତମାନ ରଥର ୮ଟି ଚକ, ୨ଟି ଅଖ ସମେତ ପାରାଭାଡ଼ି ମରାମତିର ଆବଶ୍ୟକତା ରହିଛି। ରଥ ମରାମତି ପାଇଁ ୨ ଟ୍ରକ୍ କାଠ ଦରକାର ଥିବାବେଳେ ମୁକୁନ୍ଦପୁର ଘାଟିରେ କାଠ ଚିହ୍ନଟ ହୋଇଛି। ୧୨ଟି ବିଶାଳ ଗଛକୁ କଟାଯାଇ ଅଣାଯିବା ପରେ ମୁନିଗୁଡା କରତ କଳରେ କଟାଯାଇ ଶୁଖିବା ପରେ ମରାମତି କାମ ଆରମ୍ଭ ହେବ। ଏହି ପ୍ରକ୍ରିୟାକରଣକୁ ମାସେରୁ ଦେଢ଼ ମାସ ସମୟ ଲାଗିବ। କିନ୍ତୁ ଏଯାବତ୍ ଜଙ୍ଗଲ ବିଭାଗ କାଠ ପ୍ରଦାନ ପାଇଁ ଅନୁମତି ଦେଇନି। କାଠ ଆସିବାରେ ବିଳମ୍ବ ହେଲେ ରଥ ମରାମତି ହୋଇ ପାରିବ ନାହିଁ ବୋଲି ରଥ ତିଆରି କରୁଥିବା ମହାରଣା କହିଛନ୍ତି।

publive-image

ଗତ ସପ୍ତାହକ ତଳେ ରାୟଗଡ଼ା ତହସିଲଦାର ଉମା ଶଙ୍କର ବେହେରା ୨ ଟ୍ରକ୍ କାଠ ପ୍ରଦାନ ଲାଗି ବନ ବିଭାଗକୁ ଚିଠି ଲେଖିଥିଲେ। ୧୨ଟି ଗଛ ବାବଦକୁ ପାଖାପାଖି ୧୦ରୁ ୨୦ ଲକ୍ଷ ଟଙ୍କା ଦେବାକୁ ବନ ବିଭାଗ କହିବା ପରେ ପରିଚାଳନା କମିଟି ଚିନ୍ତାରେ ପଡ଼ିଛି। ରଥଯାତ୍ରା ପରିଚାଳନା ପାଇଁ ସମୁଦାୟ ୫ ଲକ୍ଷ ଟଙ୍କାର ବଜେଟ୍ ଥିବା ବେଳେ ମରାମତି ପାଇଁ ୨୦ ଲକ୍ଷ ଟଙ୍କା କମିଟି କେଉଁଠୁ ଆଣିବ ବୋଲି ପରିଚାଳନା କମିଟି ସଦସ୍ୟ ପ୍ରଶ୍ନ କରିଛନ୍ତି। ଘଟଣା ସଂପର୍କରେ ତହସିଲଦାର ଶ୍ରୀ ବେହେରା ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଉପଜିଲ୍ଲାପାଳ କାଠ ପ୍ରଦାନ ନେଇ ବନ ବିଭାଗ ସହିତ ଆଲୋଚନା କରିଛନ୍ତି। କିନ୍ତୁ କାଠ ଆସିବା ନେଇ କିଛି ଚୂଡାନ୍ତ ହୋଇ ପାରିନି। ଅନ୍ୟପକ୍ଷରେ ରଥ ଗଡ଼ିବା ପୂର୍ବରୁ ପୂର୍ତ୍ତ ବିଭାଗ ଫିଟନେସ୍ ପ୍ରମାଣପତ୍ର ଦେଉଥିବା ବେଳେ ତାହା ଠିକ୍ ଭାବରେ ଯାଞ୍ଚ ହେଉନଥିବା ଭକ୍ତ ଅଭିଯୋଗ କରିଛନ୍ତି। ଯେଉଁଥି ପାଇଁ ଗତ ବର୍ଷ ରଥଯାତ୍ରାରେ ଗୁଣ୍ଡିଚା ଓ ବାହୁଡ଼ାରେ ରଥ ଚକ ଭାଙ୍ଗିଥିଲା। ରଥ ମରାମତି ଓ ନିର୍ମାଣ ପାଇଁ କାଠ ଆସିବାରେ ବିଳମ୍ବ ହେଉଥିବାରୁ ଭକ୍ତ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ତୁରନ୍ତ ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ତହସିଲଦାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe