ଆଞ୍ଚଳିକ ବିପଣନ ସମବାୟ ସମିତି ଅଧିକାରୀଙ୍କ ଦୁର୍ନୀତି ତଦନ୍ତକୁ ଚାପିଦେଲେ

Advertisment

ସ୍ବତନ୍ତ୍ର ଅଡିଟର ଭରଣା ନିର୍ଦ୍ଦେଶ ବି ଫାଇଲ୍ ତଳେ

ସ୍ବତନ୍ତ୍ର ଅଡିଟର ଭରଣା ନିର୍ଦ୍ଦେଶ ବି ଫାଇଲ୍ ତଳେ

ଆଞ୍ଚଳିକ ବିପଣନ ସମବାୟ ସମିତି ଅଧିକାରୀଙ୍କ ଦୁର୍ନୀତି ତଦନ୍ତକୁ ଚାପିଦେଲେ

The New Indian Express

ସୁନ୍ଦରଗଡ଼: ସୁନ୍ଦରଗଡ଼ ଆଞ୍ଚଳିକ ବିପଣନ ସମବାୟ ସମିତି (ଆରସିଏମଏସ)ର ତତ୍କାଳୀନ ସମ୍ପାଦକ ଓ ବିଭିନ୍ନ ଲ୍ୟାମ୍ପସର ଭାରପ୍ରାପ୍ତ ପରିଚାଳକ (ଏମଆଇସି) ସୀତାରାମ ବାଘଙ୍କ ନାମରେ  ବହୁ ଦୁର୍ନୀତି ଓ ଅନିୟମିତତା ଅଭିଯୋଗ ହୋଇଆସିଛି। ଧାନ ଓ ସାର କିଣା, ଦରମା, ପରିବହନ ଖର୍ଚ୍ଚରେ ଲକ୍ଷ ଲକ୍ଷ ଟଙ୍କାର ଅନିୟମିତତା, ବେଆଇନ ନିଯୁକ୍ତି ଅଭିଯୋଗ ମଧ୍ୟରେ  ୨୦୧୫ରେ ସ୍ବତନ୍ତ୍ର ଅଡିଟ୍ ଏହି ଅଧିକାରୀଙ୍କୁ ଦାୟୀ କରି ଲକ୍ଷାଧିକ ଟଙ୍କାର ଅର୍ଥ ଭରଣା ନିର୍ଦ୍ଦେଶ ଦେଇଥିଲେ। ଏହା ସହ  ଆଞ୍ଚଳିକ ସମବାୟ ସମିତି ଆଇନ-୧୯୬୨ ଉପଧାରା ୬୫ ଅନୁସାରେ, ୨୦୧୮ ଜୁଲାଇରେ ଅଧିକାରୀ ଶ୍ରୀ ବାଘଙ୍କ ଦୁର୍ନୀତି ଓ ଅନିୟମିତତାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ନିର୍ଦ୍ଦେଶର ୪ ବର୍ଷ ପରେ ମଧ୍ୟ ନା  ତଦନ୍ତ ହୋଇଛି ଓ ନା ଅଧିକାରୀ ଅର୍ଥ ଭରଣା କରିଛନ୍ତି।

ସବୁ ନିର୍ଦ୍ଦେଶ  ଫାଇଲ୍ ତଳେ ଚାପି ହୋଇ ରହିଥିବା ବେଳେ  ଏପରି ଦୁର୍ନୀତି ଓ ଅନିୟମିତତାରେ ଛନ୍ଦି ହୋଇଥିବା  ଏହି ଅଧିକାରୀ ସମବାୟ ସମିତିର ସୁନାପୁଅ ସାଜିଥିବା ଚର୍ଚ୍ଚା ହେଉଛି। ସୁନ୍ଦରଗଡ଼ ସମବାୟ ସମିତିର  ସହ ନିବନ୍ଧକ ଥିବା  ଏହି ଅଧିକାରୀଙ୍କୁ ୨୦୨୨ରେ  ପୁଣି ଥରେ ବିରବିରା, ଲାଇଙ୍ଗ, ବଡ଼ଗାଁ ଲ୍ୟାମ୍ପସ ସହ  ସାହାଜବାହାଲ, ବିରଙ୍ଗାଟୋଲି  ଲ୍ୟାମ୍ପସର ଭାରପ୍ରାପ୍ତ ପରିଚାଳକ ଦାୟିତ୍ବ ଦିଆଯାଇଛି। ଯେଉଁଠି ପୂର୍ବରୁ ତାଙ୍କ ନାମରେ ବହୁ ଦୁର୍ନୀତି ଅଭିଯୋଗ ରହିଛି। ସାହାଜବାହାଲ ଲ୍ୟାମ୍ପସରେ ୨୦୧୨-୧୩ ଓ ୨୦୧୩-୧୪ରେ ଶ୍ରୀ ବାଘ ପ୍ରଶାସକ ଦାୟିତ୍ବରେ ଥିବା ବେଳେ ତାଙ୍କ ନାମରେ ବ୍ୟାପକ ଦୁର୍ନୀତି ଅଭିଯୋଗ ହୋଇଥିଲା। ୪୪୦ କ୍ବିଣ୍ଟାଲ ୟୁରିଆ ସାର ପ୍ରାୟ ୨ ଲକ୍ଷ ୫୮ ହଜାର  ଟଙ୍କା  ଲ୍ୟାମ୍ପସ ଆକାଉଣ୍ଟରେ ଜମା ନକରି ଏମଡି ଓ ଅନ୍ୟ କର୍ମଚାରୀ ହଡ଼ପ କରି ଦେଇଥିବା ବେଳେ ଏମଆଇସି ଶ୍ରୀ ବାଘ ଷ୍ଟକ ଯାଞ୍ଚ କରି ନଥିଲେ କି ହଡ଼ପ ସଂକ୍ରାନ୍ତରେ କୌଣସି ରିପୋର୍ଟ ନଦେଇ ଦୁର୍ନୀତିକୁ ପ୍ରୋତ୍ସାହିତ କରିଥିଲେ।

ଏହି ସମୟରେ ୫୯ ଲକ୍ଷ ଟଙ୍କାର ଆର୍ଥିକ ଅନିୟମିତତା କରିଥିବା ଅଡିଟ ଧରିଥିଲା। ଏହା ସହ କ୍ଷମତାର ଦୁରୁପଯୋଗ ଓ ବିପୁଳ ଅର୍ଥ ଲାଞ୍ଚ ନେଇ ସାହାଜବାହାଲ ଲ୍ୟାମ୍ପସରେ  ବ୍ରଜ ମଗର, ନବକିଶୋର ଦାନୀ, ବିଭୂତି ବନଛୋର, ପ୍ରଶାନ୍ତ ବନଛୋର, ଦୀପକ ପାଣ୍ଡେଙ୍କୁ  ବେଆଇନ ନିଯୁକ୍ତି ଦିଆଯାଇଥିବା ବେଳେ  ବିରଙ୍ଗାଟୋଲି ଲ୍ୟାମ୍ପସରେ ପୂର୍ଣ୍ଣଚନ୍ଦ୍ର ଟପ୍ପୋ, ମଦନ ସୁନ୍ଦର ବରିହା, ରୁକ୍ମଣ କଲସେର, ପ୍ରଭାତ କୁମାର ଟପ୍ପୋ, ଅମୂଲ୍ୟ ପ୍ରସାଦ ବେହେରା, ମଜେନ୍ଦ୍ର ବାଘଙ୍କୁ ନିଯୁକ୍ତି ଦିଆଯାଇଥିବା ସ୍ବତନ୍ତ୍ର ଅଡିଟ୍ ଦର୍ଶାଇଥିଲା। ସେଥିରେ ଶ୍ରୀ ବାଘଙ୍କ ଜଣେ ସମ୍ପର୍କୀୟଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଥିବା ପ୍ରକାଶ ପାଇଥିଲା। ସେହିପରି ସୁନ୍ଦରଗଡ଼ ଆରସିଏମଏସରେ ଜାଲ୍ ପରିବହନ ବିଲ୍, ଗାଡ଼ି ମରାମତି ଓ ରକ୍ଷଣାବେକ୍ଷଣ ବାବଦକୁ ମିଥ୍ୟା ବିଲ୍ ଆୟ ଠାରୁ ଅଧିକ ଖର୍ଚ୍ଚ ଦେଖାଇ ହଡ଼ପ କରିବା, ବେଆଇନ ଭାବେ ଭତ୍ତା ହାତେଇନେବା ଅଡିଟ୍ ଧରିଥିଲା। କେବଳ ସେତିକି ନୁହେଁ, ଶ୍ରୀ ବାଘ ଲାଇଙ୍ଗ ଲ୍ୟାମ୍ପସ ଭାରପ୍ରାପ୍ତ ପରିଚାଳକ ବା ପ୍ରଶାସକ ଥିବା ବେଳେ ୨୦୨୦ରେ ସପ୍ତମ ବେତନ କମିସନ ଲାଗୁ କରିଥିଲେ।

ଯେତେବେଳେ ଜିଲ୍ଲାର ଅନ୍ୟ ଲ୍ୟାମ୍ପସ କର୍ମଚାରୀଙ୍କୁ ପଞ୍ଚମ ବେତନ କମିସନ ମିଳି ନଥିଲା। ଏହାର ଫାଇଦା ଉଠାଇ ସେ ନିଜର ଲକ୍ଷ ଲକ୍ଷ  ଟଙ୍କାର ବକେୟା ପାସ୍ କରି ନେଇଥିବା ଅଭିଯୋଗ ହୋଇଥିଲା। ସୁନ୍ଦରଗଡ଼ ସମବାୟ ନିବନ୍ଧକ ସମିତିରେ ନିୟମିତ ୧୮ ବର୍ଷ ବିତାଇଥିବା ଏହି ଅଧିକାରୀଙ୍କୁ ପୂର୍ବରୁ ଦୁଇ ଥର ବୌଦ୍ଧ ଜିଲ୍ଲାକୁ ବଦଳି ହୋଇଥିଲା। କିନ୍ତୁ  ତତ୍କାଳୀନ ସମବାୟ ସମିତି ଉପ ନିବନ୍ଧକ ଜେମସ କେର୍କେଟା ତାଙ୍କୁ ଡେପୁଟେସନରେ ସୁନ୍ଦରଗଡ଼ ଫେରାଇ ଆଣିଥିଲେ।  ପରବର୍ତ୍ତୀ ସମୟରେ ତାଙ୍କ  ବଦଳି ବାତିଲ ହୋଇଯାଇଥିଲା। ବ୍ୟାପକ ଦୁର୍ନୀତି, ଅନିୟମିତତା ସତ୍ତ୍ବେ ସେ  ଏବେ ଏହି କାର୍ଯ୍ୟାଳୟର ସର୍ବେସର୍ବା ପାଲଟି ଯାଇଥିବା ଅଭିଯୋଗ ହୋଇଛି। ଏହିକ୍ରମରେ ଶ୍ରୀ ବାଘଙ୍କ ଦୁର୍ନୀତିର ୬୫ ତଦନ୍ତ ଓ ଅଡିଟର ଭରଣା ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ଜିଲ୍ଲାପାଳଙ୍କ ଠାରେ ଦାବି ହୋଇଛି। ଏ ସମ୍ପର୍କରେ ଶ୍ରୀ ବାଘଙ୍କ ମତାମତ ନେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ  କୌଣସି ଉତ୍ତର ମିଳି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe