ସମ୍ବାଦ ପ୍ରଭାବ: ଆର୍‌ଡିଏ ପ୍ଲଟ ନିଲାମ ବାତିଲ, ୩୭୫୦ ବର୍ଗଫୁଟ ପ୍ଲଟ୍‌କୁ ଥିଲା ୧କୋଟି ୨୯ ଲକ୍ଷ

Advertisment
ସମ୍ବାଦ ପ୍ରଭାବ: ଆର୍‌ଡିଏ ପ୍ଲଟ ନିଲାମ ବାତିଲ, ୩୭୫୦ ବର୍ଗଫୁଟ ପ୍ଲଟ୍‌କୁ ଥିଲା ୧କୋଟି ୨୯ ଲକ୍ଷ

ରାଉରକେଲା: ସହରର ଶିଳ୍ପପତି, ବ୍ୟବସାୟୀଙ୍କୁ କୋଟି କୋଟି ଟଙ୍କା ନିଲାମରେ ସିଭିଲଟାଉନ୍‌ସିପ୍‌ ପ୍ଲଟକୁ ଟେକିଦେବାକୁ ଚକ୍ରାନ୍ତ ଚଳାଇଥିବା ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ (ଆର୍‌ଡିଏ)କୁ ଝଟ୍‌କା ଲାଗିଛି। ଏ ସମ୍ପର୍କିତ ଖବର ‌ଦୈନିକ ‘ସମ୍ବାଦ’ରେ ଗତ ଜୁଲାଇ ୪ରେ ପ୍ରକାଶ ପାଇଥିଲା। ପରେ ଆର୍‌ଡିଏର ଏଭଳି ନୀତିକୁ କଡା ବିରୋଧ କରିଥିଲେ ସହର ବୁଦ୍ଧିଜୀବୀ ଓ ରାଉରକେଲା ଓକିଲ ସଂଘ। ନିଲାମକୁ ବିରୋଧ କରି ଏକ ସଂସ୍ଥା ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ମାମଲାକୁ ଗ୍ରହଣ କରି ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ନିଲାମକୁ ବାତିଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଶେଷରେ ଆର୍‌ଡିଏ କର୍ତ୍ତୃପକ୍ଷ ସିଭିଲଟାଉନସିପ୍‌ ପ୍ଲଟ ନିଲାମକୁ ବାତିଲ କରିବାକୁ ବାଧ୍ୟ ହୋଇଛନ୍ତି। ନିଲାମ ଅଂଶ ଗ୍ରହଣ କରୁଥିବା ଆବେଦନକାରୀଙ୍କ ଆଗାମି ୩୦ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା।

ଏ ସମ୍ପର୍କିତ ବିଜ୍ଞାପନ ମଧ୍ୟ ଆର୍‌ଡିଏ ପ୍ରକାଶ କରିଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସହରବାସୀ, ଓକିଲ ସଂଘ ଓ ବୁଦ୍ଧିଜୀବୀ ପକ୍ଷରୁ ସ୍ବାଗତ କରାଯାଇଛି। ନିକଟରେ ସିଭିଲଟାଉନସିପ୍‌ର ତିନିଟି ପ୍ଲଟକୁ ଆର୍‌ଡିଏ କର୍ତ୍ତୃପକ୍ଷ ଚାରି ଜଣକୁ ଟେକି ଦେବାକୁ ନିଷ୍ପତ୍ତି ନେଇଥିଲେ। ଯାହା ବିରୋଧରେ ଜଣେ ଆଇନଜୀବୀ କୋର୍ଟର ଦ୍ବାରସ୍ଥ ହୋଇଥିଲେ। ଫଳରେ ତିନିଟି ପ୍ଲଟକୁ ନିଲାମକୁ ରୋକଯାଇ ପାରିଥିଲା। ଉଲ୍ଲେଖଯୋଗ୍ୟ, ଆର୍‌ଡିଏ ସିଭିଲଟାଉନସିପ୍‌ରେ ୪୬ଟି ପ୍ଳଟ ନିଲାମ କରି ବଡ ବଡିଆ ଓ ବିଲ୍‌ଡରଙ୍କ ହାତକୁ ଟେକି ଦେବାକୁ ଯୋଜନା କରିଥିଲା। ସେଥିପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା। ସିଭିଲଟାଉନସିପ୍‌ରେ ୩୭୫୦ ବର୍ଗଫୁଟ୍‌କୁ ୧ କୋଟି ୨୯ ଲକ୍ଷ ଟଙ୍କା ମୂଲ୍ୟ ରଖା ଯାଇଥିଲା।

ଯେଉଁମାନେ ନିଲାମ ଜରିଆରେ ଧାର୍ଯ୍ୟମୂଲ୍ୟଠାରୁ ଅଧିକ ଦେଇ ପାରିବେ ପ୍ଲଟ୍‌କୁ ସେମାନଙ୍କୁ ଟେକି ଦେବାକୁ ନିଷ୍ପତ୍ତି ନିଆଯାଇଥିଲା। ରାଜସ୍ବ ଆଳରେ ଆର୍‌ଡିଏର ଏହି ପ୍ଲଟ ନିଲାମ କାହା ସ୍ବାର୍ଥରେ ବୋଲି ସେତେବେଳ ସାଧାରଣ ଲୋକ, ଆଇନଜୀବୀ ପ୍ରଶ୍ନ ଉଠାଇଥିଲେ। ସେପଟେ ଓଜିଏଲ୍‌ଏସ୍‌ ନିୟମ ଅନୁଯାୟୀ, ପ୍ଲଟ ସମ୍ପର୍କିତ ବିଜ୍ଞାପନ ପ୍ରକାଶ କରିବା ଆର୍‌ଡିଏ କର୍ତ୍ତୃପକ୍ଷଙ୍କ କ୍ଷମତା ବାହାରେ। କାରଣ ନିଲାମ ଜରିଆରେ ବିକ୍ରି ହେଉଥିବା ପ୍ଲଟ ଆର୍‌ଡିଏର ନୁହେଁ। ଏହାର ମାଲିକ ହେଉଛନ୍ତି ଏଲ୍‌ଏସି ( ଲ୍ୟାଣ୍ଡ ଆଲଟମେଟ୍‌ କମିଟି)। ଆର୍‌ଡିଏ ସଚିବ ଏଲ୍‌ଏସିର ମେମ୍ବର ନୁହନ୍ତି। ତେଣୁ କେଉଁ ନିୟମ ବଳରେ ପ୍ଲଟ୍‌ ନିଲାମ କରିବାକୁ ସେ ବିଜ୍ଞାପନ କରିଛନ୍ତି, ତାହା ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା।

ଆର୍‌ଡିଏର ଏପରି ବିଚିତ୍ର ବ୍ୟବସ୍ଥାକୁ ସହରର ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଆଇନଜୀବୀ ପ୍ରଦୀପ ଜେନା, ବିଜୟ କୁମାର ପ୍ରଧାନ, ସିପ୍ରାରାଣୀ ସାମଲ, ଭାଗ୍ୟଶ୍ରୀ ପତିହାରୀ, ରାଜ କୁମାର ଦାସ, ଶିବାନି ତ୍ରିପାଠୀ, ବିନୋଦ ବିହାରୀ ରାଉତ ଓ ଭୋଳା ରଜାକଙ୍କ ସମେତ ଅନେକ ବୁଦ୍ଧିଜୀବୀ ନିଲାମକୁ ବାତିଲ କରି ଉପରୋକ୍ତ ପ୍ଲଟରେ ବହୁତଳ ବିଶିଷ୍ଟ ଘର ନିର୍ମାଣ କରିବାକୁ ଦାବି କରିଥିଲେ। ଆଇନଜୀବୀମାନେ କୋର୍ଟରେ ଦ୍ବାରସ୍ଥ ହେବାକୁ ଚେତାବନୀ ଦେଇଥିଲେ। ରାଉରକେଲା ସହରରେ ଆଜିକୁ ପ୍ରାୟ ୩୦ ବର୍ଷ ହେବ ଆର୍‌ଡିଏ ଖଣ୍ଡିଏ ପ୍ଲଟ ଆବଣ୍ଟନ କରିନାହିଁ। ସାଧାରଣ ଲୋକଙ୍କୁ ୨୦ ହଜାର ପ୍ଲଟ୍ ଯୋଗାଇ ଦେବାଲାଗି ଆର୍‌ଡିଏର ପୁରୁଣା ପ୍ରତିଶ୍ରୁତି ପାଣିର ଗାର ହୋଇ ରହି ଯାଇଛି। ସହରର ସାଧାରଣ ଲୋକଙ୍କ ସମସ୍ୟା ନ ବୁଝି ରାଜସ୍ବ ଆଳରେ ବଡ ବଡିଆଙ୍କ ସ୍ବାର୍ଥ ପୂରଣ କରୁଥିବା ଆର୍‌ଡିଏର କାର୍ଯ୍ୟଶୈଳୀକୁ ନେଇ ସହରବାସୀ ପ୍ରଶ୍ନ ଉଠାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe