ଆର୍‌ଡିସିଙ୍କ ରଥକାଠ ସଂଗ୍ରହ ବୈଠକ: ୫ ବନଖଣ୍ଡରୁ ଆସିବ ୭୪୭ ଖଣ୍ଡ ରଥକାଠ

ଯୋଗଦେଲେ ୫ ବନଖଣ୍ଡର ଅଧିକାରୀ, ଶ୍ରୀଜଗନ୍ନାଥ ବନ ପ୍ରକଳ୍ପ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ

ଆର୍‌ଡିସିଙ୍କ ରଥକାଠ ସଂଗ୍ରହ ବୈଠକ: ୫ ବନଖଣ୍ଡରୁ ଆସିବ ୭୪୭ ଖଣ୍ଡ ରଥକାଠ

ପୁରୀ: ଆସନ୍ତା ଜୁନ୍‌ ମାସରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଏହାପୂର୍ବରୁ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଡ. ସୁରେଶ ଚନ୍ଦ୍ର ଦଳାଇ ଆଜି ରଥଯାତ୍ରା ଓ ରଥ କାଠ ଉପରେ ସମୀକ୍ଷା କରିଛନ୍ତି। କେତେ ରଥ କାଠ ଆବଶ୍ୟକ, କେତେ ଗଚ୍ଛିତ ରହିଛି ଓ କେତେ କାଠ କଟାହେବ, ତାହା ଉପରେ ୫ରୁ ଅଧିକ ବନଖଣ୍ଡର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ୫ ବନଖଣ୍ଡରୁ ୭୪୭ ଖଣ୍ଡ କାଠ ଆସିବ ବୋଲି ସ୍ଥିର ହୋଇଛି। ରଥଯାତ୍ରା ଓ ରଥ ନିର୍ମାଣ କାର୍ଯ୍ୟ ସୁରୁଖୁରରେ ଶେଷ ପାଇଁ ସମସ୍ତ ଅଧିକାରୀଙ୍କୁ ସହଯୋଗଭିତ୍ତିରେ କାମ କରିବାକୁ ପରାମର୍ଶ ଦେଇଛନ୍ତି।

ଆଜି ପୁରୀ ସ୍ବତନ୍ତ୍ର ସର୍କିଟ୍‌ ହାଉସ୍‌ଠାରେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଡ. ଦଳାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆଗାମୀ ରଥଯାତ୍ରା ପାଇଁ ରଥ କାଠ ଯୋଗାଣ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ରଥ ନିର୍ମାଣ ପାଇଁ ମୋଟ୍‌ ୮୬୫ ଖଣ୍ଡ ବିଭିନ୍ନ ପ୍ରକାରର କାଠର ଆବଶ୍ୟକ ଥିବାବେଳେ ପୂର୍ବବର୍ଷର ୧୧୮ ଖଣ୍ଡ ବଳକା ରହିଛି। ଅବଶିଷ୍ଟ ୭୪୭ ଖଣ୍ଡ କାଠର ଆବଶ୍ୟକତା ରହିଛି ବୋଲି ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀମାନେ ବୈଠକରେ ସୂଚନା ଦେଇଥିଲେ। ଅବଶିଷ୍ଟ ଏହି କାଠ ନୟାଗଡ଼ , ବୌଦ୍ଧ, ଖୋର୍ଦ୍ଧା, ଘୁମୁସର, ରେଢ଼ାଖୋଲ ଆଦି ବନଖଣ୍ଡରୁ ଯୋଗାଇ ଦିଆଯିବ ବୋଲି ବନଖଣ୍ଡ ଅଧିକାରୀମାନେ ସୂଚନା ଦେଇଛନ୍ତି। ଅପରପକ୍ଷରେ, ରଥ କାଠର ଆବଶ୍ୟକତାକୁ ମେଣ୍ଟାଇବା ପାଇଁ ଶ୍ରୀଜଗନ୍ନାଥ ବନ ପ୍ରକଳ୍ପର ବ୍ୟବସ୍ଥା ରହିଛି। ଏହାର ନିୟମିତ ଅନୁଧ୍ୟାନ କରିବା ସହ ପ୍ରକଳ୍ପ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ପରାମର୍ଶ ଦିଆଯାଇଛି।

ବୈଠକରେ ଆର୍‌ସିସିଏଫ୍‌ ସଞ୍ଜିତ କୁମାର, ଜିଲ୍ଲାପାଳ ସମର୍ଥ ବର୍ମା, ପୁରୀ ଡିଏଫ୍‌ଓ ପି. ରାମସ୍ବାମୀ, ଖୋର୍ଦ୍ଧା ଡିଏଫ୍‌ଓ ପୂର୍ଣ୍ଣିମା ପାଣ୍ଡିଆନ, ନୟାଗଡ଼ ଡିଏଫ୍‌ଓ କ୍ଷମା ଷଡ଼ଙ୍ଗୀ, ଭୁବନେଶ୍ୱର ଉତ୍ତର ଡିଏଫ୍‌ଓ ସୁଦର୍ଶନ ବେହେରା, ଭୁବନେଶ୍ୱର ଦକ୍ଷିଣ ଡିଏଫ୍‌ଓ ଦିଲୀପ କୁମାର ରାଉତ, ବୌଦ୍ଧ ଡିଏଫ୍‌ଓ ଦେବପ୍ରିୟ କାମ୍ପା, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନ) ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ(ପ୍ରୋଟୋକଲ) ଦିଲୀପ କୁମାର ମହାପାତ୍ର, ଉପଜିଲ୍ଲାପାଳ ଭବତାରଣ ସାହୁ, ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା, ସୁଦର୍ଶନ ମେକାପ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe