ଭୁବନେଶ୍ବର: ବିଜେଡିର ଶୋଚନୀୟ ପରାଜୟ ପାଇଁ କିଏ ଦାୟୀ? ଏନେଇ ଆଜି ବିଧାନସଭା ପରିସରରେ ଗଣମାଧ୍ୟମ ପ୍ରତିନିଧିମାନେ ବିଭିନ୍ନ ବିଧାୟକଙ୍କୁ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ବିଜେଡିର ବରିଷ୍ଠ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ଦଳର ଆନୁଷ୍ଠାନିକ ବୈଠକରେ ପରାଜୟର ତର୍ଜମା ହେବ। ପାଣ୍ଡିଆନ ଓ ବବି ଦାସଙ୍କ ପାଇଁ ପରାଜୟ ହେଲା କି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ସଭାପତି ନବୀନ ପଟ୍ଟନାୟକ ସମସ୍ତଙ୍କ ସହ ଅଣଆନୁଷ୍ଠାନିକ ଭାବେ କଥା ହେଉଛନ୍ତି। ଆନୁଷ୍ଠାନିକ ଭାବେ ବୈଠକ ହେଲାବେଳେ ସବୁ କଥା ଜଣାପଡ଼ିଯିବ।
ସେହିଭଳି ଦଳର ପରାଜୟକୁ ନେଇ ଜଳେଶ୍ବର ବିଧାୟକ ଅଶ୍ୱିନୀ ପାତ୍ର କହିଛନ୍ତି, ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ ହେବ। ଏହି କମିଟି ପରାଜୟର କାରଣ ଖୋଜିବ। ଏନେଇ ବିଜେଡି ସୁପ୍ରିମୋ ଖୁବଶୀଘ୍ର ନିଷ୍ପତ୍ତି ନେବେ। ଯେଉଁ ଜନାଦେଶ ମିଳିଛି ସେହି ଆଧାରରେ ବିରୋଧୀ ଦଳ ଭୂମିକାରେ କାମ କରିବୁ।
ତେଣେ ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର କହିଛନ୍ତି, ବିଜେଡି ହାରିବାର ଅନେକ କାରଣ ରହିଛି। ଆମେ ଜିତିଯିବୁ ବୋଲି ଅଧିକ ଆତ୍ମବିଶ୍ୱାସ ଥିଲା। ତାହା ମଧ୍ୟ ପରାଜୟର ଅନ୍ୟ ଏକ କାରଣ। ବିଜେପିର ଓଡ଼ିଆ ଅସ୍ମିତା ପ୍ରସଙ୍ଗ ନିର୍ବାଚନରେ କାମ ଦେଲା। ପରାଜୟର କାରଣ ପାଣ୍ଡିଆନ କି ପ୍ରଶ୍ନରେ ବଦ୍ରି କହିଛନ୍ତି, ସେ ବିଷୟରେ ବି ଆଲୋଚନା ହେବ।
Follow Us