ସମ୍ବଲପୁର: ସମ୍ବଲପୁରରେ ସ୍ଥିତି ସୁଧୁରିଲେ କର୍ଫ୍ୟୁ ହଟିବ। ଏବେ ତ କର୍ଫ୍ୟୁ ବଳବତ୍ତର ରହିଛି। ହେଲେ ଏନେଇ ଦିନେ ଦୁଇ ଦିନ ଭିତରେ ନିଷ୍ପତ୍ତି ନିଆଯିବ। ଆଜି ସମ୍ବଲପୁରରେ ସ୍ଥିତିର ସମୀକ୍ଷା କରି ଏଭଳି କହିଛନ୍ତି ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ। ସେ ଆହୁରି କହିଛନ୍ତି ଯେ ଏବେ ସମ୍ବଲପୁରରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ସମ୍ବଲପୁରରେ ସ୍ବାଭାବିକ ସ୍ଥିତି ଫେରୁଛି। ଜନସାଧାରଣଙ୍କୁ ସହଯୋଗ କରିବାକୁ ଅପିଲ କରାଯାଇଛି। ଅପ୍ରୀତିକର ଘଟଣାରେ ସଂପୃକ୍ତ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବ। ପିଲାଙ୍କ ପରୀକ୍ଷାକୁ ଦୃଷ୍ଟିରେ ରଖି ଆଜି କଟକଣାକୁ ଅଧିକ କୋହଳ କରାଯାଇଥିଲା। କୌଣସି ପ୍ରକାରର ହିଂସାକାଣ୍ଡର ସୂଚନା ନାହିଁ।
ଉଲ୍ଲେଖଯୋଗ୍ୟ, ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ବ୍ୟାପକ ହିଂସାକାଣ୍ଡ ପରେ ସମ୍ବଲପୁରର ସ୍ଥିତି ସମ୍ବେଦନଶୀଳ ଥିବାରୁ ପୁଲିସ ମହାନିର୍ଦ୍ଦେଶକ(ଡିଜିପି) ସୁନୀଲ ବଂଶଲଙ୍କ ସମେତ ଆଇନଶଙ୍ଖଳା ଏଡିଜି ଆର୍. କେ ଶର୍ମା ଓ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ସଂଜୀବ ପଣ୍ଡା ଶନିବାର ସମ୍ବଲପୁରରେ ପହଞ୍ଚି ସ୍ଥିତି ସମୀକ୍ଷା କରିଥିଲେ। ଏଥି ସହିତ ହିଂସାକାଣ୍ଡ ଘଟିଥିବା ସ୍ଥାନ ଏବଂ କ୍ଷତିଗ୍ରସ୍ତ ଅଂଚଳ ମଧ୍ୟ ନିରୀକ୍ଷଣ କରିଥିଲେ।
ସ୍ଥିତି ସମୀକ୍ଷା ପରେ ଡିଜିପି ଶ୍ରୀ ବଂଶଲ କହିଥିଲେ, ଶୁକ୍ରବାର ହନୁମାନ ଜୟନ୍ତୀ ଶୋଭାଯାତ୍ରା ଚାଲିଥିବା ସମୟରେ ବିଭିନ୍ନ ସ୍ଥାନରେ ହିଂସା ଦେଖିବାକୁ ମିଳିଥିଲା। ସ୍ଥିତି ଅଣାୟତ୍ତ ହେବାରୁ ପ୍ରଶାସନ ପକ୍ଷରୁ ଶୁକ୍ରବାର ରାତି କର୍ଫ୍ୟୁ ମଧ୍ୟ ଲଗାଗଲା। ସମ୍ବଲପୁରବାସୀଙ୍କୁ ଭୟ କରିବାର ଆବଶ୍ୟକତା ନାହିଁ। ପ୍ରଶାସନକୁ ଖାଲି ସହଯୋଗ କରନ୍ତୁ, ବିପୁଳ ପରିମାଣର ପୁଲିସ ମୁତୟନ ରହିଛନ୍ତି। ଆଶା କରୁଛି ଦିନେ ଦୁଇଦିନ ମଧ୍ୟରେ ସ୍ଥିତି ସ୍ବାଭାବିକ ହୋଇଯିବ। ଶ୍ରୀ ବଂଶଲ ଆହୁରି କହିଛନ୍ତି ଯେ ଉତ୍ତରାଞ୍ଚଳ ରେଞ୍ଜ୍ ଆଇଜି ଦୀପକ କୁମାର ଓ ଏସ୍ପି ସମ୍ବଲପୁର ବି. ଗଙ୍ଗାଧରଙ୍କ ସହ ବିସ୍ତୃତ ଭାବେ ସମୀକ୍ଷା କରିଛି। ଶୁକ୍ରବାର ଯେଉଁ ଅଘଟଣ ଘଟିଲା, ତାପରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ତୁରନ୍ତ ପଦକ୍ଷେପ ନିଆଯାଇଛି। ପର୍ଯ୍ୟାପ୍ତ ପୁଲିସ ଶୁକ୍ରବାର ଦିନ ଥିଲେ। ତା ପରେ ମଧ୍ୟ ଅତିରିକ୍ତ ଆଉ କିଛି ଫୋର୍ସ ଶନିବାର ସାମିଲ କରାଯାଇଛି। ଆମର ବିଶ୍ବାସ ଅଛି, ଏବେ ଶାନ୍ତିଶୃଙ୍ଖଳା ବଜାୟ ରହିବ। କିନ୍ତୁ, ତା ପରେ ମଧ୍ୟ ପ୍ରାକ୍ ସାବଧାନତା ଦୃଷ୍ଟିରୁ କର୍ଫ୍ୟୁ ଜାରି ରହିବ। ଯେଉଁ ଲୋକମାନେ ଏହି ଗଣ୍ଡଗୋଳ ଭିଆଇଛନ୍ତି, ସେମାନଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରହିଛି। ସେମାନଙ୍କ ବିରୋଧରେ ଯେଉଁ ପ୍ରମାଣ ମିଳିଛି ଏବଂ ଯାହା ମିଳିବ, ତା ଆଧାରରେ ଯେଉଁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us