ନବ ଦାସ ହତ୍ୟାକାଣ୍ଡ ଚାର୍ଜସିଟ ନେଇ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା: ତଦନ୍ତ ସରିଲେ, ଜଣାଇବି

Advertisment
ଏଫବିଆଇ ତଦନ୍ତ ନେଇ ଭାରତ ସରକାରଙ୍କଠାରୁ କୌଣସି ଉତ୍ତର ଆସିନି: ଗୃହ ରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ବର:  ନବ ଦାସ ହତ୍ୟାକାଣ୍ଡ ଚାର୍ଜସିଟ ନେଇ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,ଏବେ କ୍ରାଇମବ୍ରାଞ୍ଚ ଯେଉଁ ଚାର୍ଜସିଟ ଦାଖଲ କରିଛି, ସେଥିରେ କିଛି ଫରମାଲିଟି ବାକି ଅଛି। ତେଣୁ ସବୁ ତଥ୍ୟ ସର୍ବସାଧାରଣ ହେବା କଥା ନୁହେଁ। ଜଣେ ଅବସରପ୍ରାପ୍ତ ଜଜଙ୍କ ତଦାରଖରେ ଏହାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ। ସବୁ ତଦନ୍ତ ସରିଲେ, ଜଣାଇବୁ।

ସୂଚନାଯୋଗ୍ୟ,୫୪୪ ପୃଷ୍ଠା ଦୀର୍ଘ ଚାର୍ଜସିଟ୍‌ରେ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ରହସ୍ୟ ଉନ୍ମୋଚନ କରିବାକୁ ଯାଇ ଏମିତି ଉଲ୍ଲେଖ କରିଛି କ୍ରାଇମବ୍ରାଞ୍ଚ। ତେବେ ଗୋପାଳ ମାନସିକ ଅସୁସ୍ଥ ଥିବା ନେଇ ଯାହା ଚର୍ଚ୍ଚା ଚାଲିଥିଲା, ତାହା ଠିକ୍ ନୁହେଁ। ବରଂ ସେ ସୁସ୍ଥ ମସ୍ତିଷ୍କରେ ରହି ମନ୍ତ୍ରୀଙ୍କୁ ହତ୍ୟା ନିଷ୍ପତ୍ତି ନେଇଥିବା କ୍ରାଇମବ୍ରାଞ୍ଚ ସ୍ପଷ୍ଟ କରିଛି। ଶୁକ୍ରବାର ଦିନ କ୍ରାଇମ୍‌ବ୍ରାଞ୍ଚର ତଦନ୍ତକାରୀ ଅଧିକାରୀ ଡିଏସ୍‌ପି ରମେଶ ଦୋରାଙ୍କ ନେତୃତ୍ବରେ ୩ ଜଣିଆ ଟିମ୍‌ ଝାରସୁଗୁଡ଼ାରେ ପହଞ୍ଚି ପ୍ରଥମେ ଜେଏମ୍‌ଏଫ୍‌ସିଙ୍କ ଅଦାଲତକୁ ଯାଇଥିଲେ। ମାତ୍ର ଜେଏମ୍‌ଏଫ୍‌ସିଙ୍କ ଅନୁପସ୍ଥିତି କାରଣରୁ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ବନ୍ଦ ଲଫାପାରେ ଚାର୍ଜସିଟ୍‌ ଦାଖଲ କରାଯାଇଥିଲା।

ସ୍ମରଣଯୋଗ୍ୟ, ଝାରସୁଗୁଡ଼ାରେ ମନ୍ତ୍ରୀ ନବ ଦାସଙ୍କୁ ଜାନୁଆରି ୨୯ ତାରିଖ ପୁଲିସ ଏଏସ୍‌ଆଇ ଗୋପାଳ ହତ୍ୟା କରିବା ପରେ ସେହିଦିନ ହିଁ କ୍ରାଇମବ୍ରାଞ୍ଚ ତଦନ୍ତଭାର ଗ୍ରହଣ କରିଥିଲା। ତଦନ୍ତ ସମୟରେ କ୍ରାଇମବ୍ରାଞ୍ଚ ମୋଟ ୮୯ଜଣଙ୍କୁ ପଚରାଉଚରା କରିଥିଲା। ଏଥିରେ ଝାରସୁଗୁଡ଼ା ପୁଲିସ ଓ ବ୍ରଜରାଜନଗର ଅଞ୍ଚଳ ବାସିନ୍ଦା ବି ଅଛନ୍ତି। ସେମାନଙ୍କୁ ଘଟଣାର ସାକ୍ଷୀ ଭାବେ ନିଆଯାଇଛି। କ୍ରାଇମବ୍ରାଞ୍ଚ ଟିମ୍ ନବ ଦାସଙ୍କୁ ଗୋପାଳ ହତ୍ୟା କରିଥିବା ବନ୍ଧୁକ ସମେତ ଜୀବନ୍ତ କାଟ୍ରିଜ, ଖାଲି କାଟ୍ରିଜ୍ କ୍ୟାସ୍ ଆଦି ଜବତ କରିଛି। ହତ୍ୟାକାଣ୍ଡକୁ ନେଇ ଗୋପାଳର ବୟାନର ସତ୍ୟାସତ୍ୟ ଜାଣିବା ପାଇଁ ତଦନ୍ତ ସମୟରେ କ୍ରାଇମବ୍ରାଞ୍ଚ ଗୋପାଳର ଏଲ୍‌ଭିଏ(ଲେୟାର୍‌ଡ୍‌ ଭଏସ୍ ଆନାଲିସିସ୍) ପରୀକ୍ଷା, ପଲିଗ୍ରାଫ୍ ପରୀକ୍ଷା, ନାର୍କୋ ପରୀକ୍ଷା କରିଥିଲା। ନିର୍ଦ୍ଦିଷ୍ଟ ଭାବେ ଯେଉଁ ଚାରିଟି କାରଣ ପାଇଁ ନବ ଦାସଙ୍କ ସହ ଶତ୍ରୁତା ଥିବାରୁ ତାଙ୍କୁ ସେ ହତ୍ୟା କରିଥିବା ବୟାନ ଦେଇଥିଲା, ଏହାର ସତ୍ୟାସତ୍ୟ ଉପରୋକ୍ତ ପରୀକ୍ଷା ମାଧ୍ୟମରେ ସ୍ପଷ୍ଟ ହୋଇଥିଲା। ଏସବୁ ସଂପର୍କରେ କୋର୍ଟରେ ଅତରିକ୍ତ ଚାର୍ଜସିଟ୍ ଦାଖଲ ସମୟରେ ତଥ୍ୟ ସଂଲଗ୍ନ କରାଯିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe